www.samajalive.in
Monday, December 15, 2025
17.1 C
Bhubaneswar

ଉଚ୍ଚ ଶ୍ରେଣୀରେ ପଢ଼ାଇବାକୁ ଶିକ୍ଷକ ନାହାନ୍ତି ; ମହାବିଦ୍ୟାଳୟ ସ୍ତରରେ ୩୬୦୦ ଅଧ୍ୟାପକ ପଦ ଖାଲି

ଭୁବନେଶ୍ୱର : କରୋନା କାଳରେ କ୍ରମାଗତ ଭାବେ ଗତ ଦୁଇ ବର୍ଷ ଧରି ରାଜ୍ୟର ଶିକ୍ଷା କ୍ଷେତ୍ର ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ପିଲାଙ୍କୁ ଠିକଣା ଭାବେ ପାଠ ପଢ଼ାଯାଇପାରିନି କିମ୍ବା ଧାର୍ଯ୍ୟ ସମୟରେ ପରୀକ୍ଷା ପରିଚାଳନା ମଧ୍ୟ ସମ୍ଭବ ହୋଇନାହିଁ। ଫଳରେ ଚଳିତବର୍ଷ ବିନା ପରୀକ୍ଷାରେ ଫଳ ପ୍ରକାଶ ପାଇଛି। ଏ ପ୍ରକାର ଫଳ ସର୍ବକାଳୀନ ଇତିହାସ ସୃଷ୍ଟି କରିଛି। ଏହା ସତ୍ତ୍ବେ ପରୀକ୍ଷା ଫଳ ସମସ୍ତଙ୍କୁ ସନ୍ତୁଷ୍ଟ କରିପାରିନି। ଏ ପ୍ରକାର ବ୍ୟବସ୍ଥାଗତ ତ୍ରୁଟିକୁ ଘୋଡ଼ାଇବା ପାଇଁ ଯେତେ ତାଳି ପକାଇଲେ ମଧ୍ୟ ପିଲାଙ୍କ କ୍ଷତିଭରଣା ସମ୍ଭବ ହୋଇପାରୁନି। ତେବେ ବର୍ତ୍ତମାନ ସବୁଠୁ ବଡ଼ ପ୍ରଶ୍ନ ହେଲା ଯେତେ ସଂଖ୍ୟାରେ ପିଲା ଉତ୍ତୀର୍ଣ୍ଣ ହୋଇଛନ୍ତି ସେମାନେ ପଢ଼ିବେ କେଉଁଠି ଆଉ ସେମାନଙ୍କୁ ପଢ଼ାଇବ କିଏ ?
ସୂଚନାଯୋଗ୍ୟ ଯେ ଦଶମରେ ୬ଲକ୍ଷ ୧୮ହଜାର ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିପରି ଚଳିତବର୍ଷ ଯୁକ୍ତ ଦୁଇରେ ୩ଲକ୍ଷ ୭ହଜାର ପିଲା ଉତ୍ତୀର୍ଣ୍ଣ ହୋଇଛନ୍ତି। ଗତବର୍ଷ ଯୁକ୍ତ ଦୁଇରେ ୪ଲକ୍ଷ ୪୩ହଜାର ଆସନରେ ପିଲା ନାମ ଲେଖାଇଥିଲେ। ଚଳିତବର୍ଷ ଅଧିକ ୫୫ହଜାର ଆସନ ବୃଦ୍ଧି କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଉତ୍ତୀର୍ଣ୍ଣ ପିଲାଙ୍କ ପାଇଁ କଲେଜରେ ଆବଶ୍ୟକ ସଂଖ୍ୟାରେ ଆସନ ନଥିବାରୁ ସେମାନଙ୍କ ସକାଶେ ଆସନ ବଢ଼ାଯିବାକୁ ନିଷ୍ପତ୍ତି ହୋଇଥିବା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଭରସା ଦେଇଛନ୍ତି। ଏ ପର୍ଯ୍ୟନ୍ତ ପ୍ରାୟ ୫୫ହଜାର ଆସନ ବଢ଼ାଇ ଦିଆଯାଇଥିବା ସମ୍ପର୍କରେ ସେ ସୂଚନା ଦେଇଛନ୍ତି। ହେଲେ ଭିତ୍ତିଭୂମି ବିକାଶ ସମ୍ପର୍କରେ କିଛି କହିନାହାନ୍ତି। ଏବେ ଯୁକ୍ତ ତିନି ପାଇଁ ମଧ୍ୟ ଅନୁରୂପ ସମସ୍ୟା ଦେଖାଦେଲାଣି। ସରକାର କଲେଜରେ ଆସନ ସଂଖ୍ୟା ବଢ଼ାଇ ଦେବାରେ କିଛି ଅସୁବିଧା ନାହିଁ, କିନ୍ତୁ ବିଡ଼ମ୍ବନାର କଥା ହେଲା ଯେଉଁ ସଂଖ୍ୟାରେ ଅଧିକ ପିଲା ନାମଲେଖାଇବେ ସେମାନଙ୍କ ପାଇଁ କଲେଜଗୁଡ଼ିକରେ ଆବଶ୍ୟକ ଭିତ୍ତିଭୂମି ନାହିଁ, କିମ୍ବା ନିକଟ ଭବିଷ୍ୟତରେ ଏହା କରାଯିବାର ବି ସମ୍ଭାବନା ନାହିଁ। ସେ ବାବଦରେ ସରକାର ପୂରା ଚୁପ୍‍। ତେଣୁ ପିଲା କଲେଜରେ ନାମଲେଖାଇଲେ ବି କିଭଳି ପାଠ ପଢ଼ିବେ ତାହା ସହଜରେ ଅନୁମେୟ।
ବର୍ତ୍ତମାନ ସବୁଠୁ ବଡ଼ ପ୍ରଶ୍ନ ହେଉଛି ପିଲା ଯଦି କୌଣସି ମହାବିଦ୍ୟାଳୟରେ ନାମ ଲେଖାଇବାରେ ସଫଳ ହେଲେ ସେମାନଙ୍କୁ ପଢ଼ାଇବ କିଏ? ମଞ୍ଜୁରିପ୍ରାପ୍ତ ଆସନଠାରୁ ଅଧିକ ପିଲା ନେଲେ ସେମାନଙ୍କୁ ପଢ଼ାଇବାକୁ ଶିକ୍ଷକ ଅଛନ୍ତି ତ? ଏବେ ରାଜ୍ୟର ଏମିତି କୌଣସି ମହାବିଦ୍ୟାଳୟ ନାହିଁ ଯେଉଁଠି ଶିକ୍ଷକ ପଦ ଖାଲି ନାହିଁ। ରେଭେନ୍ସାରୁ ଆରମ୍ଭ କରି ବିଜେବି ଭଳି ବଡ଼ ବଡ଼ ମହାବିଦ୍ୟାଳୟରେ ବି ଶିକ୍ଷକ ଅଭାବ ଯୋଗୁଁ ପାଠପଢ଼ାରେ ବିଭ୍ରାଟ ସୃଷ୍ଟି ହୋଇଛି। ଏବେ ରାଜ୍ୟର ସରକାରୀ କଲେଜଗୁଡ଼ିକରେ ସ୍ଥିତି ଖୁବ୍‍ ଭୟଙ୍କର। କୌଣସି ମହାବିଦ୍ୟାଳୟରେ ସ୍ଥାୟୀ ଅଧ୍ୟକ୍ଷ ନାହାନ୍ତି। ସବୁ ଚାଲିଛି ଭାରପ୍ରାପ୍ତଙ୍କ ତତ୍ତ୍ୱାବଧାନରେ। ରାଜ୍ୟର ୫୧ଟି ସରକାରୀ କନିଷ୍ଠ ମହାବିଦ୍ୟାଳୟ(ଜୁନିୟର କଲେଜ)ରେ ପ୍ରାୟ ୧୦୦୦ରୁ ଅଧିକ କନିଷ୍ଠ ଅଧ୍ୟାପକ ପଦ ଖାଲି। ସରକାରୀ ଡିଗ୍ରୀ ବା ଯୁକ୍ତ ତିନିରେ ପ୍ରାୟ ୬୦୦ରୁ ଅଧିକ ଶିକ୍ଷକ ପଦ ଖାଲିପଡ଼ିଛି। ପ୍ରତିବର୍ଷ ବହୁ ସଂଖ୍ୟାରେ ଶିକ୍ଷକ ଅବସର ନେଉଛନ୍ତି। ମଞ୍ଜୁରିପ୍ରାପ୍ତ ପଦ ଦୀର୍ଘ ଦିନ ଧରି ଖାଲିରହୁଛି। ନୂଆ ନିଯୁକ୍ତି ତ ଦୂରର କଥା ଖାଲି ମଞ୍ଜୁରିପ୍ରାପ୍ତ ପଦ ବି ପୂରଣ ଦିଗରେ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। ସର୍ଭିସ ସିଲେକ୍ସନ ବୋର୍ଡ଼ ଜରିଆରେ ପର୍ଯ୍ୟାୟ କ୍ରମେ ଶିକ୍ଷକ ନିଯୁକ୍ତି ପାଇଁ ପ୍ରୟାସ ଚାଲିଥିବାରୁ କିଛି ମାତ୍ରାରେ ପଦ ପୂରଣ ହେଉଛି। କିନ୍ତୁ ଘରୋଇ ଯୁକ୍ତ ଦୁଇ ଓ ଡ଼ିଗ୍ରୀ କଲେଜ ଅବସ୍ଥା ନକହିଲେ ଭଲ। ରାଜ୍ୟର ୪୮୮ଟି ସରକାରୀ ସାହାଯ୍ୟପ୍ରାପ୍ତ ମହାବିଦ୍ୟାଳୟରେ ପ୍ରାୟ ୨୦୦୦ ଅଧ୍ୟାପକ ପଦ ଖାଲିପଡ଼ିଛି। ୩୪ଟି ସରକାରୀ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଓ ଯୁକ୍ତ ତିନି ଏକାଠି ଚାଲିଛି। ୨୫୫ଟି ସରକାରୀ ସାହାଯ୍ୟପ୍ରାପ୍ତ ମହାବିଦ୍ୟାଳୟରେ ମଧ୍ୟ ଉଭୟ ପାଠ୍ୟକ୍ରମ ପଢ଼ାଯାଉଛି। ଏଠାରେ ଅଧ୍ୟାପକମାନେ ଉଭୟ ଶ୍ରେଣୀରେ ପଢ଼ାଉଛନ୍ତି। ଶିକ୍ଷକ ଅଭାବ ପୂରଣ ପାଇଁ ଅତିଥି ଶିକ୍ଷକ ବ୍ୟବସ୍ଥା ଫଳପ୍ରଦ ହୋଇପାରୁନି। ନିକଟରେ ୯୭୨ଟି ଅଧ୍ୟାପକ ପଦରେ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ ପାଇଥିଲେ ହେଁ ପ୍ରତି ମାସରେ ଅଧ୍ୟାପକ ଅବସର ନେଉଛନ୍ତି। ସେପଟେ ରାଜ୍ୟର ୬୬୨ ବର୍ଗ ମହାବିଦ୍ୟାଳୟରେ ମଧ୍ୟ ବହୁ ସଂଖ୍ୟାରେ ଶିକ୍ଷକ ପଦ ଖାଲିପଡ଼ିଛି। ସେସବୁ ମହାବିଦ୍ୟାଳୟ ପାଇଁ ସରକାରଙ୍କ ଶିକ୍ଷକ ନିଯୁକ୍ତିରେ ଏପର୍ଯ୍ୟନ୍ତ ସ୍ପଷ୍ଟ ନୀତି ନାହିଁ। ଆଗାମୀ ଶିକ୍ଷାବର୍ଷ ପାଇଁ ଏସବୁ କଲେଜରେ କେବଳ ପିଲାଙ୍କ ଗହଳି ଦେଖିବାକୁ ମିଳିବ ହେଲେ ପାଠ ପଢ଼ାଇବାକୁ ଶିକ୍ଷକ ନଥିବେ। କାରଣ ପିଲାଙ୍କ ନାମଲେଖା ତୁଳନାରେ ଶିକ୍ଷକ ନିଯୁକ୍ତି ଉପରେ ସରକାର ଗୁରୁତ୍ୱ ଦେଉନାହାନ୍ତି।
କରୋନା କାଳରେ ବିଶେଷ ଭାବେ ପ୍ରଭାବିତ ମଧ୍ୟବିତ୍ତ ଶ୍ରେଣୀର ଅଧିକାଂଶ ପରିବାରର ପିଲା ଘରୋଇ କଲେଜ ଉପରେ ନିର୍ଭରଶୀଳ। ସେମାନଙ୍କ ଜୀବନଜୀବିକା ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ଉପରେ ନିର୍ଭର କରୁଛନ୍ତି। ମାତ୍ର ସରକାରୀ ସାହାଯ୍ୟପ୍ରାପ୍ତ ଘରୋଇ କଲେଜଗୁଡ଼ିକରେ ସହସ୍ରାଧିକ ସଂଖ୍ୟାରେ ଶିକ୍ଷକ ପଦ ଖାଲିପଡ଼ିଥିବାରୁ ସେମାନେ ଚଳିତବର୍ଷଠାରୁ ଶିକ୍ଷାରୁ ବଞ୍ଚିତ ହେବାକୁ ଯାଉଛନ୍ତି। ଗରିବ ଓ ମଧ୍ୟବିତ୍ତ ଶ୍ରେଣୀର ପିଲାମାନଙ୍କ ପାଠପଢ଼ା ସକାଶେ କଲେଜଗୁଡ଼ିକରେ ଖାଲିପଦ ପୂରଣ ଏବେ ସମ୍ଭବ ହେଉ ନଥିବାରୁୁ ଏବେ ରାଜ୍ୟ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ଶିକ୍ଷକମାନଙ୍କ ଅବସର ବୟସସୀମା ବଢ଼ାଇ ଦେବାର ଆବଶ୍ୟକତା ରହିଛି ବୋଲି ଶିକ୍ଷକ ସଂଘଗୁଡ଼ିକ ବାରମ୍ବାର ଦାବି ଉପସ୍ଥାପନ କରୁଥିଲେ ବି ସେଥିପ୍ରତି ସରକାର କର୍ଣ୍ଣପାତ କରୁନାହାନ୍ତି। ପଶ୍ଚିମବଙ୍ଗ ସରକାର ଏ ପ୍ରକାର ସମସ୍ୟାର ସମାଧାନ ନିମନ୍ତେ ଅଧ୍ୟାପକଙ୍କ ଅବସର ବୟସସୀମାକୁ ବଢ଼ାଇ ଦେଇଛନ୍ତି। ଏଭଳି ସ୍ଥିତିରେ ସରକାର ବିକଳ୍ପ ବ୍ୟବସ୍ଥା ଗ୍ରହଣ ନକଲେ ଆଗକୁ କଲେଜ ପାଠପଢ଼ାରେ ଜଟିଳ ସ୍ଥିତି ଦେଖାଦେବାର ଆଶଙ୍କା ରହିଛି। ଏହାଛଡ଼ା ଏବେ ରାଜ୍ୟବ୍ୟାପୀ ବିଭିନ୍ନ କଲେଜରେ କିରାଣି, ଚତୁର୍ଥଶ୍ରେଣୀ କର୍ମଚାରୀ, ସଫେଇ କର୍ମଚାରୀ, ସୁରକ୍ଷା କର୍ମୀ, ଗ୍ରନ୍ଥାଗାରିକ ଭଳି ବହୁ ସଂଖ୍ୟାରେ ଅଣଶିକ୍ଷକ ପଦ ଖାଲିପଡ଼ିଛି। ଏମାନଙ୍କ ଅନୁପସ୍ଥିତିରେ କଲେଜର ନିତିଦିନିଆ ପରିଚାଳନା ସମ୍ଭବ ନୁହେଁ। ଏ ଦିଗ ପ୍ରତି ଉଚ୍ଚଶିକ୍ଷା କିମ୍ବା ଗଣଶିକ୍ଷା ବିଭାଗ ଠିକଣା ପଦକ୍ଷେପ ଗ୍ରହଣ କରୁନଥିବା ବିଭିନ୍ନ କଲେଜ ସଂଘଗୁଡ଼ିକ ଅଭିଯୋଗ କରୁଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories