୨୦୨୨ ଆଇପିଏଲ୍‌ରେ ୧୦ଟି ଦଳ: ଧୁମଲ

ନୂଆଦିଲ୍ଲୀ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌)ର ୨୦୨୩ ସଂସ୍କରଣରୁ ୧୦ଟି ଦଳ ଖେଳିବେ। ୮ଟି ଦଳଙ୍କୁ ନେଇ ଆଇପିଏଲ୍‌ର ଚଳିତବର୍ଷ ଅନ୍ତିମ ସଂସ୍କରଣ। ବୁଧବାର ଏହା କହିଛନ୍ତି ବିସିସିଆଇର କୋଷାଧ୍ୟକ୍ଷ ଅରୁଣ ସିଂହ ଧୁମଲ। ଆଉ ୨ଟି ନୂଆ ଦଳ ପାଇଁ ୩ ସହର ଏବେ ଦୌଡ଼ର ଆଗରେ ରହିଛନ୍ତି। ସେହି ୩ଟି ସହର ହେଲେ ଅହମ୍ମଦାବାଦ, ପୁଣେ ଓ ଲକ୍ଷ୍ନୌ। ୨୦୨୧ ଆଇପିଏଲ୍‌ ସଂସ୍କରଣର ପ୍ରଥମାର୍ଦ୍ଧ ଭାରତରେ ଖେଳା ଯାଇଥିବା ବେଳେ କରୋନା ସଂକ୍ରମଣ ପାଇଁ ଏହାର ଦ୍ବିତୀୟାର୍ଦ୍ଧ ସେପ୍ଟେମ୍ବର ୧୯ରୁ ଆରମ୍ଭହେବ। ତେବେ ବିଶ୍ବର ଏହି ସବୁଠାରୁ ଧନଶାଳୀ ଟ୍ବେଣ୍ଟି୨୦ କ୍ରିକେଟ୍‌ ଲିଗ୍‌ର ୨୦୨୨ ସଂସ୍କରଣ ପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ବୋଲି ଧୁମଲ କହିଛନ୍ତି।
ସୂଚନାଯୋଗ୍ୟ, ୨୦୨୧ ଆଇପିଏଲ୍‌ ସଂସ୍କରଣରେ ହିଁ ୨ଟି ନୂଅା ଦଳକୁ ସାମିଲ କରିବା ପାଇଁ ଯୋଜନା କରା ଯାଇଥିଲା। ତେବେ କରୋନା ସଂକ୍ରମଣ ଯୋଗୁଁ ଏହି ସଂସ୍କରଣର ଆୟୋଜନ ନେଇ ସନ୍ଦେହ ଥିବାରୁ ୮ଟି ଦଳଙ୍କୁ ନେଇ ଚଳିତବର୍ଷର ଆଇପିଏଲ୍‌ ଖେଳାଯାଉଛି। ଏବେ ମଧ୍ୟ କରୋନା ଭୂତାଣୁର ଆଶଙ୍କା ଟଳିନାହିଁ ଏବଂ ଯେକୌଣସି ସମୟରେ କରୋନାର ୩ୟ ଲହର ଆସିପାରେ ବୋଲି ଆଶଙ୍କା କରାଯାଉଛି। ତଥାପି ୨୦୨୨ ଆଇପିଏଲ୍‌ରେ ଆଉ ୨ଟି ଦଳଙ୍କୁ ସାମିଲ ପାଇଁ ବିସିସିଆଇ ପ୍ରୟାସ ଚଳାଇଛି। ଗଣମାଧ୍ୟମକୁ ବିସିସିଆଇ କୋଷାଧ୍ୟକ୍ଷ ଅରୁଣ ସିଂହ ଧୁମଲ କହିଛନ୍ତି, ଏବେ ସମସ୍ତଙ୍କ ନଜର ଆଇପିଏଲ୍‌ ଉପରେ ଅଛି। ଆମର ବିଶ୍ବାସ ଯେ ୟୁଏଇରେ ଆସନ୍ତା ଆଇପିଏଲ୍‌ ଚିତ୍ତାକର୍ଷକ ହେବ। ୮ଟି ଦଳଙ୍କୁ ନେଇ ଏହା ଆଇପିଏଲ୍‌ର ଅନ୍ତିମ ସଂସ୍କରଣ ହେବ। ଆସନ୍ତାଥରକୁ ନିଶ୍ଚିତ ଭାବେ ୧୦ଟି ଦଳ ଖେଳିବେ। ଏହି ଦିଗରେ ଆମେ କାର୍ଯ୍ୟକରୁଛୁ। ତେବେ ଏହି ପ୍ରକ୍ରିୟା କେବେ ଶେଷହେବ; ତା’ର ବିବରଣୀ ଦେବାକୁ ଧୁମଲ ମନା କରି ଦେଇଛନ୍ତି। ବିସିସିଆଇ ମଧ୍ୟସ୍ଥ ସୂତ୍ରରୁ ପ୍ରକାଶ ଯେ ୨ଟି ନୂଆ ଦଳ ପାଇଁ ଅହମ୍ମଦାବାଦ, ପୁଣେ ଓ ଲକ୍ଷ୍ନୌ ସହର ମୁଖ୍ୟତଃ ଦୌଡ଼ରେ ଥିବା ବେଳେ କାନପୁର, ଗୁଆହାଟୀ, ଇନ୍ଦୋର, କୋଚି, ରାୟପୁର ଓ ତିରୁୱନନ୍ତପୁରମ୍‌ ମଧ୍ୟ ଏହି ଦୌଡ଼ରେ ସାମିଲ ହୋଇଛନ୍ତି। ୧୦ଟି ଦଳ ଆଇପିଏଲ୍‌ରେ ଖେଳିବେ; ଏହାର ଢାଞ୍ଚା କିପରି ହେବ; ବିସିସିଆଇ ତାହା ନିର୍ଦ୍ଧାରଣ କରିନାହିଁ। ୮ଟି ଦଳଙ୍କୁ ନେଇ ଆଇପିଏଲ୍‌ରେ ଏବେ ୬୦ଟି ମ୍ୟାଚ୍ ଖେଳା ଯାଉଥିବା ବେଳେ ୧୦ଟି ଦଳ ହେଲେ ୯୪ଟି ମ୍ୟାଚ୍‌ ଖେଳିବାକୁ ପଡ଼ିବ। ଏତେ ସଂଖ୍ୟକ ମ୍ୟାଚ୍‌ ଆୟୋଜନ ଅସମ୍ଭବ। ତେଣୁ ୧୦ଟି ଦଳଙ୍କୁ ନେଇ ଆଇପିଏଲ୍‌ର ଢାଞ୍ଚା ବଦଳିବା ନିଶ୍ଚିତ। ତେବେ ଏହା ସତ ଯେ ଆଉ ୨ଟି ଦଳ ସାମିଲ ହେଲେ ବିସିସିଆଇ ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବ।

Comments are closed.