ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ସୁରକ୍ଷା ସୁନିଶ୍ଚିତ କରାଯିବ: ପୁଲିସ ମହାନିର୍ଦେଶକ
ଉତ୍କଳ ସାମ୍ବାଦିକ ସଂଘ ପ୍ରତିନିଧି ମଣ୍ଡଳର ପୁଲିସ ମହାନିର୍ଦେଶକଙ୍କ ସହ ଆଲୋଚନା
ଭୁବନେଶ୍ୱର: ରାଜ୍ୟରେ କ୍ରମାଗତ ଭାବେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ଉପରେ ଆକ୍ରମଣ ଘଟଣା ବୃଦ୍ଧିପାଇଛି। ଏଥିରେ ଉଦ୍ବେଗ ପ୍ରକାଶକରି ଅଭିଯୁକ୍ତମାନଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ଦାବି ସହ କାର୍ୟ୍ୟରତ ସାମ୍ବାଦିକଙ୍କ ସୁରକ୍ଷା ସୁନିଶ୍ଚିତ କରିବାର ଦାବି ନେଇ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ପ୍ରତିନିଧିମାନେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କୁ ଭେଟିଛନ୍ତି। ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ପୁଲିସ ମହାନିର୍ଦେଶକ ସୁନିଲ କୁମାର ବଂଶଲଙ୍କୁ ସାକ୍ଷାତ କରିଥିଲେ। ଏହି ପ୍ରତିନିଧି ଦଳ ସାମ୍ବାଦିକଙ୍କ ସୁରକ୍ଷା ଓ ବିଭିନ୍ନ ପ୍ରସଙ୍ଗ ଉପରେ ପୁଲିସ ମହାନିର୍ଦେଶକଙ୍କୁ ଲିଖିତ ଭାବେ ଜଣାଇଥିଲେ। କେବଳ ନିର୍ବାଚନ ସମୟରେ ନୁହେଁ ବରଂ ବିଗତ କିଛି ବର୍ଷ ହେବ ରାଜ୍ୟରେ ସାମ୍ବାଦିକମାନେ କ୍ରମାଗତ ଆକ୍ରମଣର ଶିକାର ହେଉଛନ୍ତି । କେତେକ ଘଟଣାରେ କାର୍ୟ୍ୟାନୁଷ୍ଠାନ ନିଆଯାଉଥିଲେ ହେଁ, ତାହା ଦୃଢ ଓ ଦୃଷ୍ଟାନ୍ତମୂଳକ ନହେଉଥିବାରୁ ଆକ୍ରମଣକାରୀଙ୍କ ମନୋବଳ ବୃଦ୍ଧି ପାଉଛି। ଅନେକ ସ୍ଥାନରେ ସାମ୍ବାଦିକଙ୍କୁ ମିଥ୍ୟା ମକଦ୍ଦମାରେ ଛନ୍ଦି ଦିଆଯାଉଛି।ଯାହା ଫଳରେ ମୁକ୍ତ ଓ ଅବାଧ ସାମ୍ବାଦିକତା ପ୍ରତି ଆହ୍ୱାନ ସୃଷ୍ଟି ହୋଇଛି ବୋଲି ଆଲୋଚନା ସମୟରେ ଏହି ପ୍ରତିନିଧି ଦଳ ପୁଲିସ ମହାନିର୍ଦେଶକଙ୍କୁ ଅବଗତ କରାଇଥିଲେ। ଆଲୋଚନା ସମୟରେ ଶ୍ରୀ ବଂଶଲ୍ ଦୃଢ଼ ଗଣତନ୍ତ୍ର ପାଇଁ ଭୟ ମୁକ୍ତ ସାମ୍ବାଦିକତାର ଗୁରୁତ୍ବକୁ ଦୋହରାଇବା ସହ ବିଞ୍ଝାରପୁର ଘଟଣାରେ ଦୃଢ କାର୍ୟ୍ୟାନୁଷ୍ଠା ନେବା ପାଇଁ ପ୍ରତିଶୃତି ଦେଇଥିଲେ। ଅନ୍ୟପକ୍ଷରେ କାର୍ୟ୍ୟରତ ସାମ୍ବାଦିକଙ୍କ ସୁରକ୍ଷା ପ୍ରତି ପୁଲିସ ଆଗକୁ ଅଧିକ ସମ୍ବେଦନଶୀଳ ହେବ ବୋଲି ପୁଲିସ ମହାନିର୍ଦେଶକ ପ୍ରକାଶ କରିଥିଲେ । ଏହି ଆଲୋଚନା ବେଳେ ସଂଘ ପକ୍ଷରୁ ଭୁବନେଶ୍ୱର ସାଂଗଠନିକ ଜିଲା ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ, ଜାତୀୟ ପରିଷଦ ସଦସ୍ୟ ବୈଷ୍ଣବ ଚରଣ ଜେନା, ରାଜ୍ୟ କାର୍ଯ୍ୟକାରିଣି ସଦସ୍ୟ ବିମଳ ଭଞ୍ଜଦେଓ ,ଅଶୋକ ସାହୁ, ଲିଙ୍ଗରାଜ ସାହୁ, ଜିତେନ୍ଦ୍ର କୁମାର ମହାନ୍ତି, ମନୋରଞ୍ଜନ ମିଶ୍ର, ସତ୍ୟଜିତ୍ ସେଣ, ଦିନବନ୍ଧୁ ଖିଲାର, ବିକ୍ରମ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
Comments are closed.