ଆମେରିକାରେ ଗ୍ରୀନ କାର୍ଡ ପାଇବାକୁ ୪ଲକ୍ଷ ଭାରତୀୟଙ୍କୁ ଅପେକ୍ଷା କରିବାକୁ ପଡ଼ିବ ୧୫୦ବର୍ଷ
ୱାଶିଂଟନ : ଆମେରିକାରେ ସ୍ଥାୟୀ ବାସବାସ ସହିତ କର୍ମସଂସ୍ଥା ଯୋଗାଡ ଲାଗି ଭାରତୀୟମାନଙ୍କୁ ଦିଆଯାଉଥିବା ପ୍ରମାଣପତ୍ର (ଗ୍ରୀନ କାର୍ଡ) ପାଇବା ଏବେ କଷ୍ଟକର ହୋଇପଡିଛି। ଦିନକୁ ଦିନ ଅଧିକ ସଂଖ୍ୟାରେ ପ୍ରବାସୀ ଭାରତୀୟ ଏହି ଗ୍ରୀନ କାର୍ଡ ପାଇଁ ଆବେଦନ କରୁଥିବାରୁ ସେମାନଙ୍କୁ ଦୀର୍ଘ ବର୍ଷ ଅପେକ୍ଷା କରିବାକୁ ପଡୁଛି। ଏକ ରିପୋର୍ଟରୁ ଜଣାଯାଇଛି ଯେ ୨୦୧୮ ଏପ୍ରିଲ ୨୦ ସୁଦ୍ଧା ଗ୍ରୀନ କାର୍ଡ ଆବେଦନକାରୀ ଭାରତୀୟଙ୍କ ସଂଖ୍ୟା ୬, ୩୨, ୨୧୯ରେ ପହଞ୍ଚିଛି। ଆମେରିକା ସିଟିଜେନସିପ୍ ଆଣ୍ଡ ଇମିଗ୍ରେସନ ସର୍ଭିସ (ୟୁଏସସିଆଇଏସ) ଏହି ସଂଖ୍ୟା ପ୍ରକାଶ କରିଛି। ଏହି ଆବେଦନକାରୀଙ୍କ ମଧ୍ୟରୁ ୪ଲକ୍ଷ ଆବେଦନକାରୀ ଗ୍ରୀନ କାର୍ଡ ପାଇବାକୁ ହେଲେ ପ୍ରାୟ ୧୫୦ ବର୍ଷ ଅପେକ୍ଷା କରିବାକୁ ହେବ। ଅର୍ଥାତ ଏହି ସମୟ ମଧ୍ୟରେ ସେମାନେ ପୃଥିବୀ ପୃଷ୍ଠରେ ଆଉ ନଥିବେ। ଆମେରିକାସ୍ଥିତ ଥିଙ୍କଟ୍ୟାଙ୍କ କାଟୋ ଇନଷ୍ଟିଚ୍ୟୁଟ୍ ଏହି ଆକଳନ କରିଛି। ୨୦୧୭ରେ ୨୨, ୬୦୨ଜଣ ଭାରତୀୟ ଗ୍ରୀନ କାର୍ଡ ପାଇଥିଲେ। ଇବି-୧, ଇବି-୨ ଓ ଇବି-୩ ତିନିଟି ବର୍ଗରେ ଗ୍ରୀନ କାର୍ଡ ପ୍ରଦାନ କରାଯାଇଥାଏ। ଇବି ହେଉଛି ଏମ୍ପ୍ଲଏମେଣ୍ଟ ବେସଡ। ଇବି-୧ ବର୍ଗର ଗ୍ରୀନ କାର୍ଡ ପାଇଁ ସର୍ବନିମ୍ନ ୬ବର୍ଷ ଅପେକ୍ଷା କରିବାକୁ ପଡିଥାଏ। ପ୍ରତି ୬ବର୍ଷରେ ଇବି-୧ ଗ୍ରୀନକାର୍ଡ ଦିଆଯାଇଥାଏ। ସେହିପରି ପ୍ରତି ୧୦ବର୍ଷରେ ଇବି-୨ ଓ ୧୭ବର୍ଷରେ ଇବି-୩ ଗ୍ରୀନକାର୍ଡ ପ୍ରଦାନ କରାଯାଇଥାଏ। ବର୍ତ୍ତମାନ ଆମେରିକା ସରକାର ଯେଉଁ ହାରରେ ଭିସା ଅନୁମୋଦନ କରୁଛନ୍ତି ତାକୁ ବିଚାର କଲେ ଏହି ଗ୍ରୀନକାର୍ଡ ଆବେଦନକାରୀଙ୍କୁ ପ୍ରାୟ ୧୫୦ବର୍ଷ ଅପେକ୍ଷା କରିବାକୁ ପଡିବ। ଆମେରିକା ସରକାର ଯଦି ଏହା ମଧ୍ୟରେ ତାଙ୍କ ଇମିଗ୍ରେସନ ନିୟମରେ କୌଣସି ପରିବର୍ତ୍ତନ ନ କରନ୍ତି ତେବେ ସେମାନଙ୍କୁ ଏତେବର୍ଷ ଅପେକ୍ଷା କରିବାକୁ ପଡିବ। ଯାହା ଜଣେ ଆବେଦନକାରୀର ଜୀବଦଶା ମଧ୍ୟରେ ହାସଲ କରିବା ସମ୍ଭବ ନୁହେଁ।