ଡେସ୍କ: ଇରାନ ୫ ଜଣ ଆମେରିକୀୟ ବନ୍ଦୀଙ୍କୁ ମୁକ୍ତ କରିଛି। ଆମେରିକା ଏବଂ ଇରାନ ମଧ୍ୟରେ ଏକ ସ୍ୱତନ୍ତ୍ର ଚୁକ୍ତିନାମା ଅନୁଯାୟୀ ଆମେରିକାରେ ବନ୍ଦୀ ଥିବା ପାଞ୍ଚ ଜଣ ଇରାନୀ ବନ୍ଦୀଙ୍କ ବଦଳରେ ପାଞ୍ଚ ଜଣ ଆମେରିକୀୟ ବନ୍ଦୀଙ୍କୁ ଇରାନରୁ ମୁକ୍ତ କରାଯାଇଛି। ଏହି ଚୁକ୍ତିନାମା ଅନୁଯାୟୀ ତେହେରାନର ୬ ବିଲିୟନ ଆମେରିକୀୟ ଡଲାର ପାଣ୍ଠି ଉପରେ ପ୍ରତିବନ୍ଧକ ହଟାଇ ଦିଆଯାଇଛି।
ଦୋହା ଆକାଉଣ୍ଟକୁ ଏହି ଅର୍ଥ ହସ୍ତାନ୍ତର କରାଯାଇଥିବା ଉଭୟ ପକ୍ଷ ନିଶ୍ଚିତ ହେବା ପରେ ମଧ୍ୟସ୍ଥତା କରୁଥିବା କତ୍ତାର ପଠାଇଥିବା ବିମାନରେ ପାଞ୍ଚ ଜଣ ଆମେରିକୀୟ ନାଗରିକ ଏବଂ ସେମାନଙ୍କର ଦୁଇ ସମ୍ପର୍କୀୟ ତେହେରାନରୁ ବାହାରକୁ ଯାଇଛନ୍ତି। ଏଥି ସହିତ ଆମେରିକାର ଜଣେ ଅଧିକାରୀ କହିଛନ୍ତି ଯେ ପାଞ୍ଚ ଜଣ ଇରାନୀୟଙ୍କ ମଧ୍ୟରୁ ଦୁଇ ଜଣ କତ୍ତାରରେ ଅବତରଣ କରିଛନ୍ତି। ଅଧିକାରୀ ଜଣକ ଆହୁରି କହିଛନ୍ତି ଯେ ଇରାନର ତିନି ନାଗରିକ ଇରାନକୁ ନ ଫେରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। କତ୍ତାରରେ ଦୁଇ ମାସ ଧରି ଆଲୋଚନା ପରେ ହୋଇଥିବା ଏହି ଚୁକ୍ତି ଆମେରିକା ଏବଂ ଇରାନ ମଧ୍ୟରେ ଏକ ପ୍ରମୁଖ ପ୍ରତିବନ୍ଧକକୁ ଦୂର କରିବାରେ ସମର୍ଥ ହୋଇଛି।
ଆମେରିକାର ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏହି ଚୁକ୍ତି ତେହେରାନ ସହ ୱାଶିଂଟନର ପ୍ରତିକୂଳ ସମ୍ପର୍କରେ କୌଣସି ପ୍ରଭାବ ପକାଇ ନାହିଁ, କିନ୍ତୁ ଇରାନର ଆଣବିକ କାର୍ଯ୍ୟକ୍ରମକୁ ନେଇ କୂଟନୈତିକ ଆଲୋଚନା ହେବାର ଆଶା ବୃଦ୍ଧି ପାଇଛି। ଏହି ଚୁକ୍ତିନାମା ଅନୁଯାୟୀ, କତ୍ତାର ନିଶ୍ଚିତ କରିବ ଯେ ଏହି ପାଣ୍ଠି ମାନବିକ କଲ୍ୟାଣ ପାଇଁ ଖର୍ଚ୍ଚ ହୋଇଛି।



