ଗୋପାଳପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପକ୍ଷରୁ ଦୀର୍ଘ ୪ ବର୍ଷ ପରେ ଗତ ଜୁଲାଇ ୨୩ ତାରିଖରେ ୟୁରେଟ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା। କିନ୍ତୁ ଏହି ପରୀକ୍ଷା ପରିଚାଳନାରେ ବିଶ୍ଵବିଦ୍ୟାଳୟ ପକ୍ଷରୁ ବହୁ ଅନିୟମିତତା ହୋଇଥିବା ନେଇ ଉଚ୍ଚ ଶିକ୍ଷା ବିଭାଗ ସମେତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ୫-ଟି ସଚିବଙ୍କୁ ଅଭିଯୋଗ ପତ୍ର ପ୍ରଦାନ ପୂର୍ବକ ତଦନ୍ତ କରିବାକୁ ଦାବି କରାଯାଇଥିଲା। ଏହି କ୍ରମରେ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଉକ୍ତ ପ୍ରବେଶିକା ପରୀକ୍ଷା ସମ୍ବନ୍ଧିତ ଏକ ତଥ୍ୟ ଭିତ୍ତିକ ରିପୋର୍ଟ ପ୍ରଦାନ ନିମନ୍ତେ ଚିଠି ଆସିଥିବା ଜଣାପଡିଛି। ଏହା ନେଇ କୁଳସଚିବ ସଚିଦାନନ୍ଦ ନାୟକଙ୍କ ସହ ଯୋଗାଯୋଗ ବେଳେ ସେ ସୂଚନା ଦେଇଛନ୍ତି ଯେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ମଗାଯାଇଥିବା ତଥ୍ୟ ଭିତ୍ତିକ ରିପୋର୍ଟକୁ ବିଶ୍ଵବିଦ୍ୟାଳୟ ପକ୍ଷରୁ ପ୍ରଦାନ କରାଯିବା ସହ ପ୍ରବେଶିକା ପରୀକ୍ଷା ପରିଚାଳନାରେ କୌଣସି ଅନିୟମିତତା ହୋଇ ନ ଥିବା ପ୍ରକାଶ କରିଥିଲେ। ଗତ ଜୁଲାଇ ୨୫ ତାରିଖରେ ପ୍ରବେଶିକା ପରୀକ୍ଷାର ଫଳ ପ୍ରକାଶିତ ହୋଇଥିବା ବେଳେ ଏଥିରେ କୃତକାର୍ଯ୍ୟ ହୋଇଥିବା ବିଦ୍ୟାର୍ଥୀ ମାନଙ୍କୁ ଆସନ୍ତା ୭ ଓ ୮ ତାରିଖ ଦୁଇଦିନ ଦ୍ବିତୀୟ ପର୍ଯ୍ୟାୟ ସାକ୍ଷାତକାର ପରୀକ୍ଷା ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଛନ୍ତି। ଏଥି ସହ ସେ ସୂଚନା ଦେଇଛନ୍ତି ଯେ କେତେକ ଗଣମାଧ୍ୟମରେ ୟୁରେଟ ପରୀକ୍ଷା ବାତିଲ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଚିଠି ଆସିଥିବା ନେଇ ଯେଉଁ ଭ୍ରମାତ୍ମକ ଖବର ପ୍ରକାଶ ହୋଇଛି ତାହାକୁ ଖଣ୍ଡନ କରିଛନ୍ତି।
Popular Categories



