ରାହୁଲଙ୍କ ରାଲିରେ ଚେୟାର ଫୋପାଡିଲେ କର୍ମୀ

ମାଲଦା: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ମାଲଦା ରାଲିରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ପଶ୍ଚିମବଙ୍ଗ ମାଲଦାଠାରେ ଶନିବାର ଆୟୋଜିତ ରାଲି ସ୍ଥଳରେ ଦଳୀୟ କର୍ମୀମାନେ ଚେୟାର ଫୋପାଡିବା ସହ ଭିଆଇପିଙ୍କ ପାଇଁ ଉଦ୍ଦିଷ୍ଟ ବ୍ୟାରିକେଡ଼ ମଧ୍ୟ ଭାଙ୍ଗିଦେଇଛନ୍ତି। ଘଟଣା ଘଟିବା ସମୟରେ ରାହୁଲ ଗାନ୍ଧୀ ସଭାସ୍ଥଳରେ ନ ଥିଲେ। ରାଲି ଅନୁଷ୍ଠିତ ହେବାକୁ ଥିବା ପଡିଆକୁ ହଠାତ ଆଖ ପାଖ ଗାଁରୁ କଂଗ୍ରେସ କର୍ମୀମାନେ ପ୍ରବେଶ କରିବା ସହ ଭିତର ଘେରା ମଧ୍ୟକୁ ଯିବାକୁ ଚେଷ୍ଟା କରିଥିଲେ ଯାହାକୁ ନେଇ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା। ସମ୍ପୃକ୍ତ କର୍ମୀମାନେ ରାଜ୍ୟ କଂଗ୍ରେସ ସଭାପତିଙ୍କ ବିରୋଧରେ ସ୍ଲୋଗାନ ଦେବା ସହ ସମର୍ଥକମାନଙ୍କ ପାଇଁ ଉପଯୁକ୍ତ ବ୍ୟବସ୍ତା ହୋଇ ନଥିବା ଅଭିଯୋଗ କରିଛନ୍ତି। ସେଠାରେ ଉପସ୍ଥିତ ପୁଲିସ ଏବଂ ଅନ୍ୟ କଂଗ୍ରେସ ନେତା ଉତକ୍ଷିପ୍ତ ସମର୍ଥକମାନଙ୍କୁ ଶାନ୍ତ କରିବାରେ ବିଫଳ ହେବାରୁ ସେମାନେ ବରିଷ୍ଠ ଦଳୀୟ କର୍ମୀଙ୍କ ବସିବା ସ୍ଥାନକୁ ଚେୟାର ଫୋପାଡ଼ିଥିଲେ। ପରେ ସମର୍ଥକମାନେ ଶାନ୍ତ ପଡିଥିବା ଦଳ କହିଛି।