ଉନ୍ନାଓ ବାଳାତ୍କାର ଘଟଣା: ବିଜେପି ବିଧାୟକଙ୍କ ନାମରେ ଆଉ ଏକ ମାମଲା
ଲକ୍ଷେ୍ନø: ଉନ୍ନାଓ ଦଳିତ ଯୁବତୀଙ୍କୁ ବଳାତ୍କାର ମାମଲାରେ ଗିରଫ ବିଜେପି ବିଧାୟକ କୁଲ୍ଦୀପ ସିଂହ ସେନ୍ଗାରଙ୍କ ନାମରେ ଆଉ ଏକ ମାମଲା ରୁଜୁ ହୋଇଛି। ପୀଡ଼ିତାଙ୍କ ବାପାଙ୍କୁ ମିଥ୍ୟା ମାମଲାରେ ଜଡ଼ିତ କରି ଜେଲ୍ ପଠାଇଥିବା ଷଡ଼ଯନ୍ତ୍ରରେ ସେନ୍ଗାରଙ୍କ ସମ୍ପୃକ୍ତି ଥିବା ପ୍ରମାଣ ମିଳିବା ପରେ ସିବିଆଇ ଆଉ ଏକ ମାମଲା ରୁଜୁ କରିଛି। ବେଆଇନ୍ ଅସ୍ତ୍ରଶସ୍ତ୍ର ନିରୋଧ ଆଇନ୍ ଆଧାରରେ ପୀଡ଼ିତାଙ୍କ ବାପାଙ୍କ ବିରୋଧରେ ମିଛ ଅଭିଯୋଗ ଅଣାଯାଇ ଜେଲ୍ ପଠାଯାଇଥିବା ପୀଡ଼ିତା ଅଭିଯୋଗ କରିଥିଲେ। ଥାନା ହାଜତରେ ତାଙ୍କୁ ଅକଥନୀୟ ନିର୍ଯାତନା ଦିଆଯିବା ପରେ ଗତ ଏପ୍ରିଲ୍ ୯ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା। ସିବିଆଇର ଜଣେ ତଦନ୍ତକାରୀ ଅଧିକାରୀଙ୍କ କହିବା ଅନୁଯାୟୀ ଏପ୍ରିଲ୍ ୩ ତାରିଖ ଦିନ ଏ ସମ୍ପର୍କିତ ଅଭିଯୋଗ ଥାନାରେ ଦାଖଲ ହୋଇଥିବା ବେଳେ ପୁଲିସ ଅଧିକାରୀ, ବିଧାୟକ ଓ ଅଭିଯୋଗକାରୀ ରିଙ୍କୁ ସିଂହଙ୍କ କଥାବାର୍ତ୍ତାର ରେକର୍ଡିଂ ଜବତ ହୋଇଛି। ଅଧିକ ପଚରାଉଚୁରା ପାଇଁ ସେନ୍ଗାରଙ୍କୁ ଦୁଇଦିନିଆ ରିମାଣ୍ଡରେ ନେବାକୁ ସିବିଆଇର ଆବେଦନକୁ କୋର୍ଟ ଶନିବାର ଗ୍ରହଣ କରିଛନ୍ତି। ଏହାପୂର୍ବରୁ ଗତ ବୁଧବାର ଦିନ ମାଖି ଥାନାଧିକାରୀ ଅଶୋକ ସିଂହ ବାହାଦୂରିଆ ଓ ସବ୍ଇନ୍ସପେକ୍ଟର କାମ୍ତା ପ୍ରସାଦ ସିଂହଙ୍କୁ ମିଥ୍ୟା ଷଡ଼ଯନ୍ତ୍ର ରଚିବା ଅଭିଯୋଗରେ ସିବିଆଇ ଗିରଫ କରିଛି।