ଦକ୍ଷିଣ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ; ବଢୁଛି ବାତ୍ୟା ଭୟ
୬ ସୁଦ୍ଧା ଲଘୁଚାପ, ୮ରେ ଅବପାତ, ପ୍ରଭାବ ସଂପର୍କରେ ଏବେ କହିହେବନି: ଆଇଏମଡି ମୁଖ୍ୟ
ଭୁବନେଶ୍ବର : ଦକ୍ଷିଣ ଆଣ୍ଡାମାନ ସାଗରରେ ବୁଧବାର ସକାଳ ୫ଟା ୩୦ ମିନିଟରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ବାୟୁମଣ୍ଡଳର ମଧ୍ୟଭାଗ ଯାଏଁ ବ୍ୟାପିଛି। ଏହାର ପ୍ରଭାବରେ ଆସନ୍ତା ୬ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ପରେ ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରି ୮ରେ ଅବପାତରେ ପରିଣତ ହେବ । ଏହା ବାତ୍ୟା ରୂପ ନେବା ସମ୍ଭାବନା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ତେବେ ଲଘୁଚାପ ସୃଷ୍ଟି ହେବାପରେ ବାତ୍ୟାର ଗତିପଥ ସ୍ଥିର ହୋଇପାରିବ। ଏହା କେଉଁଠାରେ ଓ କେତେବେଳେ ସ୍ଥଳଭାଗ ଛୁଇଁବ ସେଥିନେଇ ଏବେଠୁ ପୂର୍ବାନୁମାନ କରାଯାଇ ନପାରେ। ତେବେ ମେ ମାସରେ ସୃଷ୍ଟି ହେଉଥିବା ଲଘୁଚାପ ବାତ୍ୟାରେ ପରିଣତ ହେବାର ଯଥେଷ୍ଟ ସମ୍ଭାବନା ରହୁଥିବାରୁ ୬ ତାରିଖ ପରେ ବାତ୍ୟା ସ୍ଥିତି ଓ ଗତିପଥ ଜାଣିହେବ ବୋଲି କହିଛନ୍ତି ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ମହାନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର।
ଆଇଏମଡିର ସୂଚନା ମୁତାବକ, ଧୀରେ ଧୀରେ ଆଶାନ୍ତ ହେଉଛି ଦକ୍ଷିଣ ଆଣ୍ଡାମାନ ସାଗର। ଏହାର ଉପର ବାୟୁମଣ୍ଡଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ୪୮ ଘଣ୍ଟା ଭିତରେ ଅର୍ଥାତ ୬ ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ଆଶଙ୍କା ରହିଛି। ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ପାର୍ଶ୍ବବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଅଧିକ ଘନୀଭୂତ ହେବା ସମ୍ଭାବନା ରହିଛି। ମେ ମାସ ବାତ୍ୟା ପାଇଁ ଅନୁକୂଳ ପାଣିପାଗ ସୃଷ୍ଟି କରିଥାଏ। ଲଗାତର ଗତ ୩ ବର୍ଷ ଧରି ମେ’ ମାସରେ ଓଡ଼ିଶା ବାତ୍ୟାକୁ ସାମ୍ନା କରିଛି। ତେବେ ଆଶଙ୍କା କରାଯାଉଛି, ଆସନ୍ତା ୮ ତାରିଖରେ ଲଘୁଚାପ ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେଇପାରେ। ଏହାର ପ୍ରଭାବରେ ୮ ତାରିଖରୁ ସମୁଦ୍ର ଭିତରେ ପବନର ବେଗ ବଢ଼ିବ ଓ ଆକଳନ ଅନୁଯାୟୀ ଏହା ଘଣ୍ଟା ପ୍ରତି ୫୫ରୁ ୬୫ କିଲୋମିଟର ବେଗରେ ଆଗକୁ ବଢ଼ିବ, ଯାହାକି ଘଣ୍ଟା ପ୍ରତି ୭୫ କିମି ବେଗର ଝଟ୍କା ଦେଇପାରେ।
ଲଘୁଚାପ ସୃଷ୍ଟି ପରେ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରିବ। ସେତେବେଳେ ଏହାର ରୂପରେଖ ସ୍ପଷ୍ଟ ହେବ। ଓଡ଼ିଶା ଉପରେ ଏହାର କ’ଣ ପ୍ରଭାବ ରହିବ, ଏବେ ଠାରୁ କହିହେବନି ବୋଲି ପ୍ରତିକ୍ରିୟା ରଖିଛନ୍ତି ଆଇଏମଡି ଡିଜି ଶ୍ରୀ ମହାପାତ୍ର। ଅନ୍ୟପକ୍ଷରେ ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ ମଧ୍ୟ ବାତ୍ୟା ପାଇଁ ପାଗ ଅନୁକୂଳ ରହିଥିବା ପୂର୍ବାନୁମାନ କରିଛି।
Comments are closed.