ରୁଷ୍-ୟୁକ୍ରେନ ଯୁଦ୍ଧ : ଏସ୍-୩୦୦ କ୍ଷେପଣାସ୍ତ୍ର ପ୍ରଣାଳୀ ନଷ୍ଟ କଲା ରୁଷ୍
କିଭ୍ : ରୁଷ୍-ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ୪୮ ଦିନରେ ପହଞ୍ଚିଥିବାବେଳେ ଏହାର ଅନ୍ତ କେବେ ହେବ ତାର କୌଣସି ସୂଚନା ମିଳି ପାରୁ ନାହିଁ। ରୁଷ୍ ସୈନ୍ୟ ଏବେ ପୂର୍ବ ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛନ୍ତି। ରୁଷ୍ର ଆକ୍ରମଣକୁ ୟୁକ୍ରେନ ଦୃଢତାର ସହ ମୁକାବିଲା କରିଚାଲିଛି। ଯୁଦ୍ଧରେ ୟୁକ୍ରେନ ଅଧିକ କ୍ଷତିର ସମ୍ମୁଖୀନ ହୋଇଥିଲେ ମଧ୍ୟ ରୁଷ୍ ଏହାର ଆଶାଜନକ ବିଜୟ ହାସଲ କରିପାରି ନାହିଁ। ଇତି ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡେମିର େଜଲେନସ୍କି କହିଛନ୍ତି ଯୁଦ୍ଧର ଆଗାମୀ କିଛି ଦିନ ଆମ ପାଇଁ ବହୁତ ଗୁରୁତ୍ବପୂର୍ଣ୍ଣ। ରବିବାର ରାତିରେ ଜେଲେନସ୍କି ଦେଶବାସୀଙ୍କୁ ସମ୍ବୋଧନ କରି କହିଛନ୍ତି ଯେ ରୁଷ୍ର ଆକ୍ରମଣ ପାଇଁ ଆମକୁ ଅଧିକ ପ୍ରସ୍ତୁତ ହେବାକୁ ପଡିବ। ଆଗକୁ ରୁଷ୍ର ଆକ୍ରମଣ ଜୋରଦାର ହେବାକୁ ଯାଉଥିବାବେଳେ ଏହାକୁ ମୁକାବିଲା କରିବାକୁ ପ୍ରସ୍ତୁତ ରହିବାକୁ ସେନା ଓ ସାଧାରଣ ନାଗରିକଙ୍କୁ ଆହ୍ବାନ ଦେଇଛନ୍ତି। ଏହା ସହିତ ରୁଷ୍ ବିରୋଧରେ ଆନ୍ତର୍ଜାତିକ ସ୍ତରରେ ପ୍ରଚାରକୁ ମଧ୍ୟ ଜେଲେନସ୍କି ଜୋରଦାର କରିଛନ୍ତି। ସେ କହିଛନ୍ତି ରୁଷ୍ ଏହାର ଯୁଦ୍ଧ ଅପରାଧରୁ ଦୂରେଇ ଯିବାକୁ ଚେଷ୍ଟା କରୁଛି। ସେ କହିଛନ୍ତି ଯେ ଲୋକେ ଯେତେବେଳେ ନିଜର ଭୁଲ୍ ସ୍ବୀକାର କରିବାକୁ ସାହସ ଜୁଟାଇ ପାରନ୍ତି ନାହିଁ ସେତେବେଳେ ସେମାନେ ଭୀରୁ ପରିଗଣିତ ହୁଅନ୍ତି। ଆଉ ୟୁକ୍ରେନ ଏପରି ଭୀରୁଙ୍କୁ ରୋକିବାରେ ସଫଳ ହେବ।
ୟୁକ୍ରେନ ଉପରେ ରୁଷ୍ ଆକ୍ରମଣ କରିଚାଲିଥିବାବେଳେ ସୋମବାର ଏହାର ଏସ୍-୩୦୦ କ୍ଷେପଣାସ୍ତ୍ର ପ୍ରଣାଳୀକୁ ଧ୍ବଂସ କରିଦେଇଛି। ରୁଷ୍ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ୟୁରୋପୀୟ ସଂଘ ପକ୍ଷରୁ ୟୁକ୍ରେନକୁ ଦିଆଯାଇଥିବା ଏସ୍-୩୦୦ କ୍ଷେପଣାସ୍ତ୍ର ପ୍ରଣାଳୀକୁ ନଷ୍ଟ କରିଦିଆଯାଇଛି। ରୁଷ୍ର କାଲିବର କ୍ଷେପଣାସ୍ତ୍ର ୟୁକ୍ରେନର ୪ଟି ଏସ-୩୦୦ ପ୍ରଣାଳୀକୁ ନଷ୍ଟ କରିଦେଇଛି। ଏଥିରେ ୟୁକ୍ରେନର ୨୫ ସୈନ୍ୟ ନିହତ ହୋଇଛନ୍ତି। ଯୁଦ୍ଧ ପ୍ରଭାବିତ ଅଞ୍ଚଳରୁ ସାଧାରଣ ଲୋକଙ୍କୁ ସ୍ଥାନାନ୍ତର ପାଇଁ ସୋମବାର ପୂର୍ବ ୟୁକ୍ରେନରେ ୯ଟି ମାନବ କରିଡର ଖୋଲାଯାଇଛି। ଦୁଇ ଦେଶ ମଧ୍ୟରେ କଥାବାର୍ତ୍ତା ପରେ ଏହି ମାନବ କରିଡର ଖୋଲାଯାଇଥିବା ୟୁକ୍ରେନ ଉପ ପ୍ରଧାନମନ୍ତ୍ରୀ ଇରିନା ଭେରୋଶ୍ଚୁକ୍ କହିଛନ୍ତି। ଅଷ୍ଟ୍ରିଆ ଚାନ୍ସେଲର କାର୍ଲ ନେହାମର ସୋମବାର ରୁଷ୍ ଗସ୍ତ କରିଛନ୍ତି। ୟୁକ୍ରେନ ଉପରେ ରୁଷ୍ର ଆକ୍ରମଣ ପରଠାରୁ ପ୍ରଥମ ୟୁେରାପୀୟ ନେତା ଭାବେ କାର୍ଲ ମସ୍କୋ ଗସ୍ତ କରିଛନ୍ତି। ଗସ୍ତ କାଳରେ କାର୍ଲ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାକ୍ଷାତ କରିବେ। ଯୁଦ୍ଧ ବନ୍ଦ କରିବା ଲାଗି ସେ ପୁଟିନଙ୍କ ସହିତ ଆଲୋଚନା କରିବେ ବୋଲି କହିଛନ୍ତି। କିଭ୍ରେ ରୁଷ୍ ସେନାର ଯୁଦ୍ଧ ଅପରାଧ ସମ୍ପର୍କରେ ସେ ପୁଟିନଙ୍କ ସହିତ ଆଲୋଚନା କରିବେ। କିଭ୍ରେ ପ୍ରାୟ ୧୨୦୦ ସାଧାରଣ ନାଗରିକଙ୍କୁ ହତ୍ୟା କରାଯାଇଛି।
Comments are closed.