ପାଣାଜୀ : ୟୁକେ ପ୍ରଧାନମନ୍ତ୍ରୀ ଋଷି ସନକଙ୍କ ପରିବାର ଗୋଆରେ ଛୁଟି କଟାଉଥିବା ଜଣାପଡ଼ିଛି। ସନକଙ୍କ ପତ୍ନୀ ଅକ୍ଷତା, ଦୁଇ ଝିଅ ଅଂଶୁକା ଓ କ୍ରିଷ୍ଣାଙ୍କ ସହ ଅକ୍ଷତାଙ୍କ ବାପା ତଥା ଇନ୍ଫୋସିସ୍ର ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତି ଏବଂ ମା’ ସୁଧାଙ୍କୁ ଦକ୍ଷିଣ ଗୋଆର ବେନାଉଲିୟମ୍ ସମୁଦ୍ରକୂଳରେ ଦେଖିବାକୁ ମିଳିଥିଲା। ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ସ୍ଥାନୀୟ ମତ୍ସ୍ୟଜୀବୀ ଫ୍ରାନ୍ସିସ୍ ଫର୍ଣ୍ଣାଡେସ୍ କହିଥିଲେ ଅକ୍ଷତା ତାଙ୍କ ନିକଟକୁ ଆସି ସେହି ଅଞ୍ଚଳରେ ଜଳକ୍ରୀଡ଼ାର ବ୍ୟବସ୍ଥା ଅଛି କି ନାହିଁ ପଚାରି ବୁଝିଥିଲେ। ସେ ତୁରନ୍ତ ତାଙ୍କୁ ଚିହ୍ନି ଯାଇଥିଲେ। ପରେ ଫ୍ରାନ୍ସିସ୍ ସେମାନଙ୍କ ନିମନ୍ତେ ଜଳକ୍ରୀଡ଼ା ନିମନ୍ତେ ସମସ୍ତ ବନ୍ଦୋବସ୍ତ କରି ଦେଇଥିଲେ। ଅକ୍ଷତା ଓ ତାଙ୍କ ମାତା ପିତାଙ୍କ ସହ ଆଲୋଚନା ସମ୍ପର୍କରେ ମତ ଦେଇ ଫ୍ରାନ୍ସିସ୍ କହିଥିଲେ ସେମାନେ ଏତେ ପ୍ରତିଷ୍ଠିତ ଲୋକ ହୋଇ ମଧ୍ୟ ସାଧାରଣ ଲୋକଙ୍କୁ ବହୁତ ସମ୍ମାନ ଦିଅନ୍ତି। ଭାରତର ରାଜନେତାମାନେ ତାଙ୍କ ଠାରୁ ଏହି ଗୁଣ ଶିଖିବା ଉଚିତ୍। ସୂଚନାଥାଉ କି ଭାରତୀୟ ବଂଶୋଦ୍ଭବ ୟୁକେ ପ୍ରଧାନମନ୍ତ୍ରୀ ଋଷି ସନକ ଓ ଅକ୍ଷତା ୨୦୦୯ରେ ବେଙ୍ଗାଲୁରୁରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।
Popular Categories



