୩ୟ ଦିନରେ ଜାତୀୟ ରାଜପଥ ମରାମତି କାର୍ଯ୍ୟ ମନ୍ଥର, ଫିକା ପଡିଗଲା ସ୍ୱାଧୀନତା ଦିବସ!
ତୁମୁଡିବନ୍ଧ: ଆଜି ଭାରତୀୟ ଜନତା ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଛନ୍ତି। ହେଲେ ଜାତୀୟ ରାଜପଥ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ରାସ୍ତା ନିର୍ମାଣରେ ଅହେତୁକ ବିଳମ୍ବ କରାଯାଉଥିବାରୁ ସାଧାରଣ ଲୋକଙ୍କୁ ଏହାର ଦୁର୍ଦ୍ଦଶା ଭୋଗିବାକୁ ପଡୁଛି। ଦୀର୍ଘ ୩ଦିନ ହେବ ମୁକୁଳା ପଡିଛି ୫୯ନମ୍ବର ଜାତୀୟ ରାଜପଥ। ମରାମତି କାର୍ଯ୍ୟ ସରୁନଥିବାରୁ ଯାତାୟାତ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି। ଫଳରେ କନ୍ଧମାଳ ଜିଲା ସହ କଳାହାଣ୍ଡି, କନ୍ଧମାଳ-ନବରଙ୍ଗପୁର, କଳାହାଣ୍ଡି-ବଲାଙ୍ଗୀର ପ୍ରଭୃତି ଜିଲାକୁ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଛି। କେବଳ ଜିଲା ନୁହେଁ ଓଡ଼ିଶା ସହ ଛତିଶଗଡ଼କୁ ଏହି ରାସ୍ତା ସଂଯୋଗ ମଧ୍ୟ କରୁଛି। ଗାଡିଚାଳଚଳ ବନ୍ଦ ଯୋଗୁଁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମାଲ ବୋଝେଇ ଗାଡି ଗୁଡିକ ଦୀର୍ଘ ୩ଦିନ ହେଲା ରାସ୍ତା କଡରେ ଅଟକି ରହିଛି। ଏଦିଗରେ ନା ଦୃଷ୍ଟି ଦେଉଛି ପ୍ରଶାସନ ନା ରାଜନେତା ନା ଠିକାଦାର। ରାତି ପାହିଲେ ହଜାର ହଜାର ଗାଡ଼ି ମଟର ଏହି ରାସ୍ତାରେ ଚଳପ୍ରଚଳ କରୁଥିବା ବେଳେ ଆଜି କିନ୍ତୁ ସ୍ୱାଧୀନତା ଦିବସରେ ୫୯ନମ୍ବର ଜାତୀୟ ରାଜପଥ ପରାଧୀନ ଅବସ୍ଥାରେ ପଡି ରହିଛି। ତୁରନ୍ତ ଏହାର ମରାମତି କାର୍ଯ୍ୟ ଶେଷ କରାଗଲେ ଅଞ୍ଚଳବାସୀ ବେଶ୍ ଉପକୃତ ହୋଇପାରିବେ। କେବେଳ ଏହି ଗୋଟିଏ ରାସ୍ତା ନୁହେଁ ତୁମୁଡିବନ୍ଧ ବ୍ଲକରେ ମୋଟ ୧୧ଟି ପଞ୍ଚାୟତ ମଧ୍ୟରୁ ୪ଟି ପଞ୍ଚାୟତକୁ ଲୋକେ ଗମନାଗମନ କରିପାରୁନାହାନ୍ତି।
କୁର୍ତ୍ତମଗଡ଼-ସିର୍ଲା ରାସ୍ତା ଏବେ ବି ମୁକୁଳା ପଡିଛି। ଉକ୍ତ ରାସ୍ତାରେ କୌଣସି ଗାଡି ମୋଟର ଚଳାଚଳ କରିବା ଅସମ୍ଭବ। କୁର୍ତ୍ତମଗଡ଼-ସିର୍ଲା ରାସ୍ତାର ସ୍ଲିକି ନିକଟରେ ଏକ ପୋଲ ଭୁଶୁଡ଼ି ଅତି ବିପଦ ପୂର୍ଣ୍ଣ ଭାବେ ଝୁଲି ରହିଛି। ପ୍ରଶାସନ କୌଣସି ପ୍ରକାରର ବିକଳ୍ପ ବ୍ୟବସ୍ଥା ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି। ଫଳରେ ଉକ୍ତ ରାସ୍ତା ଦେଇ ଯାତାୟାତ କରୁଥିବା ଶିକ୍ଷକ ଶିକ୍ଷୟିତ୍ରୀ, ଗ୍ରାମବାସୀମାନେ କଷ୍ଟକର ପରିସ୍ଥିତିକୁ ସାମ୍ନା କରି ପୋଲ ପାର ହୋଇ ଯାଉଛନ୍ତି। ସେହିପରି ତୁମୁଡିବନ୍ଧ-ଲଙ୍କାଗଡ଼ ରାସ୍ତା ଉପରେ ଉତ୍ତେଇ ନଦୀରେ ଦୀର୍ଘ ଦିନ ଧରି ପୋଲ ନିର୍ମାଣ ପାଇଁ ଚାଲୁରହିଥିବା ବେଳେ ତାହା ସମ୍ପୂର୍ଣ୍ଣ ହେବାର ନା ଧରୁନି। ରାସ୍ତା ଉପରେ ବର୍ଷା ଜଳ ପ୍ରବାହିତ ହେଉଥିବା ଯୋଗୁଁ ତୁମୁଡିବନ୍ଧ-ଲଙ୍କାଗଡ଼, ତୁମୁଡିବନ୍ଧ-ଭଣ୍ଡାରଙ୍ଗୀ ପଞ୍ଚାୟତକୁ ଗମନାଗମନ ବନ୍ଦ ରହିଛି। ସେହିପରି ତୁମୁଡିବନ୍ଧ-ଝିରିପାଣି ରାସ୍ତାରେ ମଧ୍ୟ ସେହି ସମାନ ଅବସ୍ଥା। ତୁମୁଡିବନ୍ଧ-ବେଲଘର ରାସ୍ତା ଭଲ ଥିବା ବେଳେ ବେଲଘର ଠାରୁ ଝିରିପାଣି ୧୨ କିମି ରାସ୍ତା ଉପରେ ଦୀର୍ଘ୪ବର୍ଷ ହେଲା ପୋଲ ନିର୍ମାଣ ପାଇଁ ସମ୍ପୂର୍ଣ୍ଣ ହୋଇପାରିନି। ତେଣୁ ଉକ୍ତ ରାସ୍ତା ଉପରେ ଚାଉଳ ଧୁଆ ନଦୀ ପ୍ରବାହିତ ହେଉଛି। ଲୋକେ ଏହି ନଦୀକୁ ୭ଥର ଅତିକ୍ରମ କରି ଯିବାକୁ ପଡୁଛି। ଲଗାଣ ବର୍ଷାରେ ଜଳ ସ୍ତର ବଢିଯିବାରୁ ଗମନାଗମନ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଛି।
Comments are closed.