ଦୁର୍ଗାପୂଜା କେବଳ ଦେବୀ ଉପାସନା ନୁହେଁ; ଏହା ମଧ୍ୟ ଜୀବନ, ସ୍ନେହଶ୍ରଦ୍ଧା, ସୌହାର୍ଦ୍ଦ୍ୟ, ସୁଗୁଣ ଓ ସୌଜନ୍ୟ ପାଳନର ଏକ ଉତ୍ସବ। ମା’ ଦୁର୍ଗା ଆମକୁ ସାମର୍ଥ୍ୟ ଓ ଅନୁକମ୍ପାର ଶିକ୍ଷା ଦିଅନ୍ତି ଏବଂ ଏହା ମାଧ୍ୟମରେ ଶକ୍ତିର ପ୍ରକୃତ ଅର୍ଥ ବୁଝାଇଥାଆନ୍ତି। ଏହି ପୂଜା ମଧ୍ୟ ଆମକୁ ଅସତ୍ୟ ଉପରେ ସତ୍ୟର ବିଜୟ କଥା ସ୍ମରଣ କରାଇଦିଏ। ଦୁର୍ଗାଙ୍କ ଆବାହନ କେବଳ ଏକ ଧାର୍ମିକ ପରମ୍ପରା ନୁହେଁ, ବରଂ ଆତ୍ମିକ ଜାଗରଣର ଏକ ମାହାର୍ଘ ସୁଯୋଗ। ଦୁର୍ଗାସ୍ତୁତିର ଏକ ପ୍ରସିଦ୍ଧ ଶ୍ଳୋକ କହେ: ‘ଭୂତାନି ଦୁର୍ଗା ଭୁବନାନି ଦୁର୍ଗା, ସ୍ତ୍ରିୟୋ ନରା ବୈ ପଶବଶ୍ଚ ଦୁର୍ଗା। ଯଦ୍ ଯଦ୍ ହି ଦୃଶ୍ୟମ୍ ଖଳୁ ସର୍ବ ଦୁର୍ଗା, ଦୁର୍ଗାଂ ସ୍ୱରୂପାଦପରଂ ନ କିଞ୍ଚିତ୍ ାା’ ଏହାର ଅର୍ଥ, ସମଗ୍ର ସୃଷ୍ଟିର ପ୍ରତ୍ୟେକ ଜୀବ, ପ୍ରତ୍ୟେକ ବସ୍ତୁ ଏବଂ ପ୍ରତ୍ୟେକ ସ୍ଥାନ, ଯାହା କିଛି ଆମେ ଆଖିରେ ଦେଖୁଛୁ, ସେ ସମସ୍ତେ ମା’ ଦୁର୍ଗାଙ୍କର ହିଁ ରୂପ। ଦୁର୍ଗାଙ୍କ ସ୍ୱରୂପ ଠାରୁ ଭିନ୍ନ କିଛି ବି ଏହି ବ୍ରହ୍ମାଣ୍ଡରେ ବିଦ୍ୟମାନ ନାହିଁ। ମା’ କେବଳ ଏକ ମୂର୍ତ୍ତି ମଧ୍ୟରେ ସୀମିତ ନାହାନ୍ତି, ବରଂ ସେହି ପରମ ଶକ୍ତି ସମଗ୍ର ସୃଷ୍ଟିରେ ଅଣୁଠାରୁ ଆରମ୍ଭ କରି ବ୍ରହ୍ମାଣ୍ଡ ପର୍ଯ୍ୟନ୍ତ ସର୍ବତ୍ର ବିରାଜମାନ।
ସାଧକମାନେ କହନ୍ତି, ଆମ ଶରୀର ହିଁ ଦୁର୍ଗ ଓ ତହିଁରେ ଅନ୍ତର୍ନିହିତ ଶକ୍ତି ହେଲେ ଦୁର୍ଗା। ତେଣୁ ଦୁର୍ଗାପୂଜା ହେଉଛି ନିଜର ଅନ୍ତର୍ନିହିତ ଶକ୍ତିର ଜାଗରଣ ଉତ୍ସବ। ବର୍ତ୍ତମାନ କିନ୍ତୁ ପୂଜା ଭକ୍ତି ଓ ସମର୍ପଣର ପ୍ରତୀକ ହୋଇ ରହିନାହିଁ। ପୂଜା ମଣ୍ଡପର ସଂଖ୍ୟା ଓ ଚାନ୍ଦି-ସୁନା ମେଢର ଆଡ଼ମ୍ବର ବଢ଼ୁଥିବା ବେଳେ ତ୍ୟାଗ, ମଣିଷପଣିଆ ଓ ଆତ୍ମିକ ଶୁଦ୍ଧତା କମିବାରେ ଲାଗିଛି। ଆମେ ନିଷ୍ଠା, ଆଧ୍ୟାତ୍ମିକତା ଓ ଉପାସନା ପରିବର୍ତ୍ତେ ଆନନ୍ଦ ଉତ୍ସବ ଓ ସାଜସଜ୍ଜାରେ ଅଧିକ ମସଗୁଲ ହେଉଛୁ। ଉତ୍ସବ ପାଳନ ମଣିଷ ପାଇଁ ଦରକାର; ହେଲେ ଏଥିରେ ଅଧ୍ୟାତ୍ମ ଗୌଣ ହେବା ଅନୁଚିତ। ମଣିଷ ଏବେ ବସ୍ତୁବାଦ ଓ ଭୋଗବାଦର ପଛରେ ପଡ଼ି ମଣିଷପଣିଆ ହରାଇ ପ୍ରକୃତି ଉପରେ ଅବିଚାର କରୁଛି ଓ ତାକୁ ଧ୍ୱଂସ କରି ଚାଲିଛି। ହେଲେ ମା’ ଦୁର୍ଗାଙ୍କ ପୂଜା ହେଉଛି ପ୍ରକୃତିର ପୂଜା। ନବରାତ୍ର ପୂଜାରେ ବ୍ୟବହୃତ କଳସ, ଧାନ୍ୟ, ନାରିକେଳ, ପୁଷ୍ପ ଏବଂ ନଅଟି ବୃକ୍ଷର ପତ୍ର ସବୁକିଛି ପ୍ରକୃତି ଉପାସନାର ପ୍ରତୀକ। ପ୍ରକୃତିର ଉପାସନା ଦ୍ୱାରା ହିଁ ମଣିଷ ଶକ୍ତିଲାଭ କରିପାରିବ। ଏହା ଆମ ପରମ୍ପରାରେ ଶାରଦୀୟ ଦୁର୍ଗାପୂଜାର ମହତ୍ତ୍ୱ ଥିଲା।
ଆଜିର ଆଡ଼ମ୍ବରପୂର୍ଣ୍ଣ ଦୁର୍ଗାପୂଜା ଉତ୍ସବ ଭିତରେ ଏସବୁ ମହତ୍ତ୍ୱ ବିଲୟ ଲଭିଛି। ଏଭଳି ଏକ ସମୟରେ, ଦୁର୍ଗାସ୍ତୁତିର କାଳଜୟୀ ମନ୍ତ୍ର ‘ବିଦ୍ୟାଃ ସମସ୍ତାସ୍ତବ ଦେବୀ ଭେଦାଃ, ସ୍ତ୍ରୀୟଃ ସମସ୍ତାଃ ସକଳା ଜଗତ୍ସୁ, ତ୍ୱୟୈକୟା ପୂରିତମମ୍ବୟୈତତ୍, କା ତେ ସ୍ତୁତିସ୍ତବ୍ୟ ପରାପରୋକ୍ତିଃ’ ଆମକୁ ସ୍ମରଣ କରାଇଦିଏ ଯେ ସମଗ୍ର ସୃଷ୍ଟି ମା’ଙ୍କର ଅଂଶ। ସେହି ଚେତନାର ଦୁର୍ଗାଙ୍କୁ ହୃଦୟରେ ଧାରଣ କରି ପ୍ରେମ, ଶାନ୍ତି ଓ ସହଭାଗିତାର ବାର୍ତ୍ତା ପ୍ରସାର କରିବା ହିଁ ଆଜିର ସମୟର ସବୁଠୁ ବଡ଼ ଆବଶ୍ୟକତା। ଏଣୁ, ଦୁର୍ଗାପୂଜା ଆଡ଼ମ୍ବରର ପର୍ବ ନ ହୋଇ ଆତ୍ମଶୁଦ୍ଧି, ପ୍ରକୃତି ପ୍ରେମ, ମଣିଷପଣିଆ ଏବଂ ଅହିଂସାର ପର୍ବ ହେଉ। ଆମେ ଆମ ଭିତରର ଆସୁରିକ ପ୍ରବୃତ୍ତିକୁ ତ୍ୟାଗ କରିବା, ନିରୀହ ପ୍ରାଣୀଙ୍କୁ ସୁରକ୍ଷା ଦେବା, ପ୍ରକୃତିକୁ ଭଲ ପାଇବା ଏବଂ ପ୍ରତିଟି ଜୀବରେ ମା’ଙ୍କ ଦିବ୍ୟ ରୂପ ଦର୍ଶନ କରିବା। ତେବେ ଯାଇ ଆମର ପୂଜା ସାର୍ଥକ ହେବ ଏବଂ ମା’ ପ୍ରକୃତରେ ପ୍ରସନ୍ନ ହେବେ। ପ୍ରଥମେ ମଣିଷ ହେବା, ତା’ପରେ ମହିଷମର୍ଦିନୀଙ୍କ ଆରାଧନା କରିବା- ଏହା ହିଁ ଦୁର୍ଗାପୂଜାର ପ୍ରକୃତ ସନ୍ଦେଶ। ସମସ୍ତଙ୍କୁ ଶାରଦୀୟ ଅଭିନନ୍ଦନ।



