ଟ୍ରମ୍ପ-କିମ୍ ଆଲୋଚନା ବନ୍ଦ ପାଇଁ ଉତ୍ତରକୋରିଆର ଧମକ
ପୋଙ୍ଗୟାଙ୍ଗ: ଆସନ୍ତା ଜୁନ୍ ୧୨ ତାରିଖରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଉତ୍ତର କୋରିଆ ରାଷ୍ଟ୍ରମୁଖ୍ୟ କିମ୍ ଜୋଙ୍ଗ ଉନ୍ଙ୍କ ମଧ୍ୟରେ ଐତିହାସିକ ସାକ୍ଷାତ ଆଲୋଚନାର ହେବାର କାର୍ଯ୍ୟକ୍ରମ ରହିଛି। ଏହା ଉପରେ ସମଗ୍ର ବିଶ୍ୱର ଦୃଷ୍ଟି ନିବଦ୍ଧ ଥିବା ବେଳେ ଆଲୋଚନାରୁ ଓହରିଯିବା ପାଇଁ ଉତ୍ତର କୋରିଆ ପକ୍ଷରୁ କୁହାଯାଇଛି। ଆଲୋଚନା ପୂର୍ବରୁ ଯଦି ଉଦ୍ଦେଶ୍ୟମୂଳକ ଭାବେ ଏକପାଖିଆ ଆଣବିକ ନିରସ୍ତ୍ରୀକରଣ ପାଇଁ ଚାପ ସୃଷ୍ଟି କରାଯାଏ ତେବେ ଉତ୍ତରକୋରିଆ ଏହାକୁ ବରଦାସ୍ତ କରିବ ନାହିଁ ବୋଲି କହିଛି। ଏହାର ପ୍ରତିକ୍ରିୟାରେ ଆମେରିକା ପକ୍ଷରୁ କୁହାଯାଇଛି ଯେ ଉତ୍ତର କୋରିଆର ମନ୍ତବ୍ୟ ଉପରେ ତର୍ଜମା କରାଯାଉଛି। ଯଦି କିଛି ଭୁଲ୍ ବୁଝାମଣା ଥାଏ ତେବେ ତାହାକୁ ଦୂର କରିବାକୁ ଚେଷ୍ଟା କରାଯିବ।