ତ୍ରିରଙ୍ଗା ଚିରା ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲା ଭାରତ

0

ଲଣ୍ଡନ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୁଧବାର ଲଣ୍ଡନ ଗସ୍ତ ସମୟରେ ଭାରତୀୟ ଜାତୀୟ ପତାକା ଚିରାଯିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବ୍ରିଟେନ୍‍ ସରକାରଙ୍କ ନିକଟରେ ଭାରତ ପକ୍ଷରୁ ନିବେଦନ କରାଯାଇଛି। ମୋଦି ୫୩ଟି ରାଜ୍ୟଗୋଷ୍ଠୀ ରାଷ୍ଟ୍ରମୁଖ୍ୟଙ୍କ ସମ୍ମିଳନୀରେ ଯୋଗ ଦେଇଥିବା ଅବସରରେ ଭାରତରେ ମହିଳାଙ୍କ ବିରୋଧରେ ନିର୍ଯାତନା ବୃଦ୍ଧିର ପ୍ରତିବାଦ ପୂର୍ବକ କିଛି ବ୍ୟକ୍ତି ପାର୍ଲାାମେଣ୍ଟ ସ୍କୋୟାରରେ ବିକ୍ଷୋଭ ପ୍ରଦର୍ଶନ ସହିତ ତ୍ରିରଙ୍ଗା ଚିରିବା ସହ ଗୋଡ଼ରେ ଦଳିଥିଲେ ଓ ଏହାକୁ ଅସମ୍ମାନ କରିଥିଲେ। ଏହି ଘଟଣା ନେଇ ଗୁରୁବାର ଲଣ୍ଡନରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତ ଯଶବର୍ଦ୍ଧନ କୁମାର ସିହ୍ନାଙ୍କ ପ୍ରତିବାଦକ୍ରମେ ବ୍ରିଟେନ୍‍ ସରକାର ଦୁଃଖ ପ୍ରକାଶ କରିଥିଲେ। ଶୁକ୍ରବାର ଭାରତ ସରକାର କ୍ଷୋଭ ପ୍ରକାଶ କରିବା ସହ ଏଥିରେ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରବିଶ କୁମାରଙ୍କ କହିବାନୁଯାୟୀ, ବ୍ରିଟେନ୍‍ ସରକାର ତୁରନ୍ତ କ୍ଷମା ମାଗିଛନ୍ତି; କିନ୍ତୁ ଆମେ ଏହି ଘଟଣା ପଛରେ ଯେଉଁ ଶକ୍ତି ଅଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛୁ। ଉଲ୍ଲେଖଯୋଗ୍ୟ ଯେ ଭାରତ ବିରୋଧୀ ବ୍ରିଟେନ୍‍ ଶିଖ ମହାସଂଘ ପକ୍ଷରୁ ସମ୍ମିଳନୀ ସ୍ଥଳରେ ଲଗାଯାଇଥିବା ଭାରତୀୟ ପତାକୁ ଖୋଲି ଏହାକୁ ଚିରି ଦିଆଯାଇଥିଲା। ଏ ନେଇ ସ୍କଟଲାଣ୍ଡୟାର୍ଡ ପୁଲିସରେ ଅଭିଯୋଗ ହୋଇଛି।

Leave A Reply