ପେନସନ ଅର୍ଥରେ ପରିବେଶକୁ ସୁରକ୍ଷା ଦେଉଛନ୍ତି ‘ଗଛ ମଣିଷ’ ରମେଶ ମିଶ୍ର

ବୃକ୍ଷ ଗଙ୍ଗା ଅଭିଯାନରେ ୯ବର୍ଷରେ ବାଣ୍ଟିଲେଣି ୧୦ଲକ୍ଷରୁ ଊର୍ଦ୍ଧ୍ବ ଚାରା

କେନ୍ଦୁଝରଗଡ଼: କର୍ମମୟ ଚାକିରୀ ଜୀବନରୁ ଅବସରଗ୍ରହଣ ପରେ ବ୍ୟକ୍ତିଟିଏ ପରିବାର ମଧ୍ୟରେ ସ୍ୱଛନ୍ଦରେ ଜୀବନ ବିତାଇବା ଏକ ସ୍ୱାଭାବିକ କଥା। କିନ୍ତୁ ଚାକିରୀରୁ ଅବସର ଗ୍ରହଣ ପରେ ଅସନ୍ତୁଳିତ ପରିବେଶ ସୁରକ୍ଷା ନେଇ ଚିନ୍ତିତ ରମେଶ ମିଶ୍ର ବାହାରି ପଡନ୍ତି ପରିବେଶକୁ କିଭଳି ସୁରକ୍ଷିତ ରଖିବାକୁ। ଭାରତୀୟ ଷ୍ଟେଟ୍‌‌ ବ୍ୟାଙ୍କରୁ ମାର୍ଚ୍ଚ ୨୦୧୫ରେ ଚାକିରୀରୁ ଅବସର ଗ୍ରହଣ ପରେ ରମେଶ ମିଶ୍ର ମିଳିଥିବା ଅର୍ଥକୁ ହରିଚନ୍ଦନପୁର ବ୍ଲକ ଜଂଘିରାରେ ଥିବା ନିଜ ଜମିରେ ଏକ ଫାର୍ମ ପ୍ରସ୍ତୁତ କରି ଚାରାରୋପଣ ଆରମ୍ଭ କରନ୍ତି। ସେହିଦିନଠାରୁ ‘ବୃକ୍ଷ ଗଙ୍ଗା ଅଭିଯାନ’ ମାଧ୍ୟମରେ ନିଃଶୁଳ୍କ ଭାବେ ସ୍ଥାନୀୟ ଅଞ୍ଚଳବାସୀ ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ଅନୁଷ୍ଠାନକୁ ମାଗଣାରେ ଚାରା ବଣ୍ଟନ କରିବା ସହ ଚାରାକୁ କିଭଳି ଉପଯୁକ୍ତ ଲାଳନପାଳନ ସହ ବୃକ୍ଷରେ ପରିଣତ କରାଯାଇ ପାରିବ ତାହାର ମଧ୍ୟ ଶ୍ରୀ ମିଶ୍ର ତଦାରଖ କରନ୍ତି। ବୃକ୍ଷ ଗଙ୍ଗା ଅଭିଯାନରେ ଶ୍ରୀ ମିଶ୍ର ୨୦୨୩ମସିହା ସୁଦ୍ଧା ଗତ ୯ବର୍ଷରେ ୧୦ଲକ୍ଷରୁ ଊର୍ଦ୍ଧ୍ବ ଚାରା ମାଗଣାରେ ବଣ୍ଟନ କରି ସାରିଥିବା ବେଳେ ଚଳିତବର୍ଷ ଦେଢ଼ଲକ୍ଷ ଚାରାରୋପଣ ସହ ୫୦ହଜାରରୁ ଊର୍ଦ୍ଧ୍ବ ଚାରା ବର୍ତ୍ତମାନ ସୁଦ୍ଧା ବଣ୍ଟନ ସରିଥିବା ଶ୍ରୀ ମିଶ୍ର କହନ୍ତି। ପ୍ରକୃତି ବନ୍ଧୁ, ପ୍ରକୃତି ମିତ୍ର ଓ ଗ୍ରୀନ ଇଣ୍ଟର ନ୍ୟାସନାଲ ପୁରସ୍କାର ଭଳି ବହୁ ସମ୍ମାନର ଅଧିକାରୀ ଶ୍ରୀ ମିଶ୍ର କେନ୍ଦୁଝର ଜିଲା ସମେତ ସମଗ୍ର ରାଜ୍ୟରେ ଜଣେ ‘ଗଛ ମଣିଷ’ ଭାବେ ନିଜର ସୁଖ୍ୟାତି ଅର୍ଜନ କରିଛନ୍ତି।

prayash

ଦିନକୁ ଦିନ ପରିବେଶ ଅସୁନ୍ତଳିତ ହେଉଛି। ବର୍ଷକ ଛଅ ଋତୁ ଏବେ ତିନୋଟି ଋତୁରେ ସୀମିତ ହେଲାଣି। କେତେବେଳେ ଆକାଶ ଫଟା ବର୍ଷା ତ ଆଉ କେତେବେଳେ ହାଡ଼ଭଙ୍ଗା ଶୀତ। ସବୁଠୁ ବେଶୀ କଷ୍ଟ ଦେଉଛି ବର୍ଷତମାମ ଅସହ୍ୟ ଗ୍ରୀଷ୍ମପ୍ରବାହ। ବିଶେଷକରି ଚଳିତବର୍ଷର ଗ୍ରୀଷ୍ମ ଋତୁରେ ସମଗ୍ର ବିଶ୍ୱରେ ଜଳବାୟୁ ପରିବର୍ତ୍ତନ ନେଇ ପରିବେଶବିତ୍‌‌ ମହଲରେ ଚିନ୍ତାର ବିଷୟ ହୋଇଥିବାବେଳେ ତାପମାତ୍ରା ନିୟନ୍ତ୍ରଣ ପାଇଁ ସବୁଠି ଚାରାରୋପଣ ଉପରେ ଗୁରୁତ୍ୱାରୋପ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହି ଚାରାରୋପଣ ନେଇ ‘ମା’ଙ୍କ ନାମରେ ଗଛଟିଏ’ ସଚେତନତା ଅଭିଯାନ ଆରମ୍ଭ କରିଛନ୍ତି। କିନ୍ତୁ ଏହି ପରିବେଶ ଅସୁନ୍ତଳନ ନେଇ ବ୍ୟାପକ ଚାରାରୋପଣ କାର୍ଯ୍ୟକ୍ରମକୁ ଆଜକୁ ୯ବର୍ଷ ତଳୁ ପ୍ରଚେଷ୍ଟା ଆରମ୍ଭ କରିଛନ୍ତି ଏହି ଗଛ ମଣିଷ ରମେଶ ମିଶ୍ର। ଏଥିପାଇଁ ରମେଶ ମିଶ୍ର କେନ୍ଦୁଝର ଜିଲାରେ ବୃକ୍ଷ ଗଙ୍ଗା ଅଭିଯାନ ଆରମ୍ଭ କରିଛନ୍ତି। ଚାକିରୀରୁ ଅବସର ପରେ ନିଜ ଗ୍ରାମ ଜଙ୍ଘିରାରେ ଥିବା ଶିବ ମନ୍ଦିର ପରିସରରେ ଏବଂ ପରେ ଘଟଗାଁ ବ୍ଲକ ତୋରାଣୀପୋଖରୀ ଗ୍ରାମରେ ନର୍ସରୀ ଆରମ୍ଭ କରିଥିଲେ। ନିଜ ସମସ୍ତ ପେନସନ ପଇସାରେ ଏହି ନର୍ସରୀ ଆରମ୍ଭ କରିଥିବାବେଳେ ୨୦୧୫ରେ ପ୍ରଥମବର୍ଷ ଏକ ଲକ୍ଷ ଚାରା ରୋପଣ କରିଥିଲେ। ଏହାକୁ ସ୍ଥାନୀୟ ଅଞ୍ଚଳରେ ବିଦ୍ୟାଳୟ ଛାତ୍ରଛାତ୍ରୀ, ପରିବାରରେ ମାଗଣା ବଣ୍ଟନ କରିବା ସହ ଏହାର ଉପକାରିତା ବିଷୟରେ ବୁଝାଇ ଚାରାରୋପଣ କରାଇଥିଲେ। ଏଥିରେ ଦୁର୍ଲଭ ଶାଳ, ପିଆଶାଳ, ଶାଗୁଆନ, ଗମ୍ଭାରୀ, କାଜୁ, ଅଁଳା, ବେଲ, ପିଜୁଳି, ଲିଚୁ, ଆମ୍ବ, ପଣସ, ଜେଉଠ, ନିମ୍ବ, ମହାନିମ୍ବ, ଚନ୍ଦନ, ଅଶୋକ, ଚମ୍ପା, ଗୁଆ, ଦେବଦାରୁ, ସିମାରୁଆ, ତେନ୍ତୁଳି, ବରକୋଳି ଆଦି ୭୦ରୁ ଊର୍ଦ୍ଧ୍ବ ଫଳ ଓ ଔଷଧୀୟ ଚାରାରୋପଣ ପରେ ଏହାକୁ ସାଧାରଣରେ ନିଃଶୁଳ୍କ ବଣ୍ଟନ କରିଥାନ୍ତି। ଏଥିସହ ସ୍ଥାନୀୟ ଅଞ୍ଚଳରେ ଶହ ଶହ ଏକର ଜମିରେ ବ୍ୟାପକ ଚାରାରୋପଣ କରି ନୂତନ ଜଙ୍ଗଲ ସୃଷ୍ଟି କରି ପାରିଛନ୍ତି ଶ୍ରୀ ମିଶ୍ର। ପ୍ରତି ମାସ ପେନସନ ପଇସାରେ ଦୀର୍ଘ ୧୦ବର୍ଷ ଧରି ଏହି ଅଭିଯାନ ମାଧ୍ୟମରେ ୧୦ଲକ୍ଷରୁ ଊର୍ଦ୍ଧ୍ୱ ଚାରା ମାଗଣାରେ ବଣ୍ଟନ କରିସାରିଲେଣି ରମେଶ। ପ୍ରତିବର୍ଷ ବୃକ୍ଷ ଗଙ୍ଗା ଅଭିଯାନ ନାମରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରି ମାଗଣାରେ ଚାରା ବାଣ୍ଟିଥା’ନ୍ତିି। ଚାରା ବାଣ୍ଟିବା ସମୟରେ ଚାରାଟିକୁ ରୋପଣ କରିବା ସହ ଏହାକୁ ଯତ୍ନର ସହ ସୁରକ୍ଷା ଦେଇ ନିଶ୍ଚୟ ବଞ୍ଚାଇବା ସହ ବୃକ୍ଷରେ ପରିଣତ ପାଇଁ ପ୍ରତ୍ୟେକଙ୍କୁ ସଚେତନ କରିଥାନ୍ତି ରମେଶ। ସରକାରୀ କିମ୍ବା ବେସରକାରୀସ୍ତରରେ ଟଙ୍କାଟିଏ ଆର୍ଥିକ ସହାୟତା ନପାଇ ସମ୍ପୂର୍ଣ୍ଣ ଭାବେ ନିଜସ୍ୱ ଆର୍ଥିକ ସମ୍ବଳରେ ୧୦ବର୍ଷ ଧରି ଚାରାରୋପଣ ଓ ବଣ୍ଟନ କରି ଆସୁଥିବା ରମେଶଙ୍କ ଏଭଳି ଉଦ୍ୟମକୁ କେନ୍ଦୁଝର ଜିଲାବ୍ୟାପୀ ବେଶ୍‌‌ ପ୍ରଶଂସାର ସୁଅ ଛୁଟିଥିବାବେଳେ ଏଥିପାଇଁ ତାଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିିତ ମଧ୍ୟ କରାଯାଇଛି।

Comments are closed.