ଖରିଫ ଧାନ କ୍ରୟ ନିମନ୍ତେ ପ୍ରଶିକ୍ଷଣ ଶିବିର

ଆଠଗଡ :  ଜିଲ୍ଲା ଯୋଗାଣ ବିଭାଗ ଓ ନରସିଂହପୁର ନିୟନ୍ତ୍ରିତ ବଜାର କମିଟିର ମିଳିତ ଆନୁକୁଲ୍ୟରେ ୨୦୨୨-୨୩ ବର୍ଷ ପାଇଁ ଖରିଫ ବିପଣନ ଋତୁରେ ଆଠଗଡ ଉପଖଣ୍ଡରେ ଖରିଫ ଧାନ କ୍ରୟ ନିମନ୍ତେ ଏକ ପ୍ରଶିକ୍ଷଣ ଶିବିର ବୁଧବାର ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଆଠଗଡ ଉପଖଣ୍ଡର ନରସିଂହପୁର, ବଡମ୍ବା, ତିଗିରିଆ ଓ ଆଠଗଡ ବ୍ଲକର ମୋଟ ୭୩ଟି ପ୍ରାଥମିକ କୃଷି ସେବା ସମବାୟ ସମିତିର ସମସ୍ତ ସଂପାଦକ ଓ ଡାଟା ଏଣ୍ଟ୍ରି ଅପରେଟରଙ୍କୁ କିପରି ବ୍ୟବସ୍ଥିତ ଓ ସଠିକ୍‌‌ ଭାବେ ଧାନ କ୍ରୟ କରାଯିବ ସେ ସଂପର୍କରେ ତାଲିମ ଦିଆଯାଇଥିଲା । ଅନଲାଇନ (ପି-ପାସ) ମାଧ୍ୟମରେ କିଭଳି ପଞ୍ଜିକୃତ ଟୋକନଧାରୀ ଚାଷୀମାନଙ୍କ ଠାରୁ ଉଚିତ୍‌‌ ମାନର ଧାନ କିଣାଯାଇ ପାରିବ ସେ ବିଷୟରେ ସମିତି ସଂପାଦକ ଓ ବିଇଓଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା । ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ମାନସ ରଞ୍ଜନ ମହାପାତ୍ର, ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ଜ୍ଞାନେନ୍ଦ୍ରିୟ ମିଶ୍ର, କମ୍ପ୍ୟୁଟର ପ୍ରୋଗ୍ରାମର ଯାମିନିକାନ୍ତ ମହାପାତ୍ର, ସହକାରୀ ନିବନ୍ଧକ ଅଶୋକ କୁମାର ପାଣି, କ୍ୱାଲିଟି ଆନାଲିଷ୍ଟ ମନସ୍ୱିନୀ ମହାନ୍ତି, ପ୍ରମୁଖ ଯୋଗଦେଇ ଶିବିରାର୍ଥୀଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ଧାନଚାଷ କରାଯାଇଥିବା ଜମିର ସଠିକ୍‌‌ ଆକଳନ ଓ ସର୍ବେକ୍ଷଣ ଏବଂ ଧାନର ମାନ ନିର୍ଦ୍ଧାରଣ ପାଇଁ ଆବଶ୍ୟକୀୟ ଜ୍ଞାନ କୌଶଳ ସମ୍ବନ୍ଧୀୟ ପ୍ରଶିକ୍ଷଣ ମଧ୍ୟ ଦିଆଯିବା ସହ ସେ ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ଏଥିରେ ଆଠଗଡ ସହକାରୀ ଯୋଗାଣ ଅଧିକାରୀ ଓ ଯୋଗାଣ ନିରୀକ୍ଷକ ମିଥୁନ ବେହେରା ଯୋଗଦାନ କରି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ନରସିଂହପୁର ନିୟନ୍ତ୍ରିତ ବଜାର କମିଟିର ସଂପାଦକ ରାମନାରାୟଣ ମଲ୍ଲିକ କାର୍ଯ୍ୟକ୍ରମ ସଂଯୋଜନା କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

kalyan agarbati

Comments are closed.