ଟ୍ରେନ୍‌ରେ ନାବାଳିକାଙ୍କୁ ଉତ୍ପୀଡ଼ନ : ବିଜେପି ନେତା ଗିରଫ

0

ଥିରୁଭନନ୍ତପୁରମ୍‌ : ଗୋଟିଏ ପଟେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନାବାଳିକାଙ୍କ ପ୍ରତି ଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡ ଦେବା ନେଇ ଉଦ୍ଦିଷ୍ଟ ଅଧ୍ୟାଦେଶରେ ରବିବାର ମୋହର ମାରିଥିବା ବେଳେ ଅନ୍ୟ ପଟେ ପ୍ରମୁଖ ରାଜନୈତିକ ଦଳର ଜଣେ ତଥାକଥିତ ନେତା ଏକ ଚଳନ୍ତା ଟ୍ରେନ୍‌ରେ ୯ ବର୍ଷ ବୟସ୍କ ନାବାଳିକାଙ୍କୁ ଯୌନ ଉତ୍ପୀଡ଼ନ ଦେବା ଅଭିଯୋଗ ହୋଇଛି। ତାମିଲନାଡୁ ରେଳବାଇ ପୁଲିସ ଅଭିଯୁକ୍ତ ଆଇନଜୀବୀ ତଥା ବିଜେପି ନେତା କେ. ପି. ପ୍ରେମ୍‌ଙ୍କୁ ଗିରଫ କରିଛି। ରବିବାର ଥିରୁଭନନ୍ତପୁରମ୍‌-ଚେନ୍ନାଇ ଏକ୍ସପ୍ରେସ୍‌ରେ ପରିବାର ସହିତ ଯାତ୍ରା କରୁଥିବା ନାବାଳିକା ଜଣକ ନିଜ ବର୍ଥରେ ଶୋଇଥିବା ବେଳେ ପ୍ରେମ୍‌ ତାଙ୍କ ନିକଟକୁ ଯାଇ ତାଙ୍କୁ ଦୁର୍ବ୍ୟବହାର କରିବାକୁ ଉଦ୍ୟମ କରିଥିଲେ। ଏଥିରେ ୯ ବର୍ଷୀୟ ନାବାଳିକା ଜଣକୁ ନିଦରୁ ଉଠି ପଡି କାନ୍ଦିଥିଲେ। ତାଙ୍କ କାନ୍ଦ ଶୁଣି ପରିବାରର ଜଣେ ସଦସ୍ୟଙ୍କ ନିଦ ଭାଙ୍ଗିଯାଇଥିଲା। ଏ ବିଷୟରେ ଅଭିଯୋଗ ପାଇ ଏରୋଡ ରେଳବାଇ ପୁଲିସ ପ୍ରେମଙ୍କ ବିରୋଧରେ ପୋକ୍‌ସୋ ଆଇନ ଅଧୀନରେ ଏକ ମାମଲା ରୁଜୁ କରି ତାଙ୍କୁ ଗିରଫ କରିଛି। ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ପ୍ରେମ୍‌ କୋଏମ୍ବାଟୁର୍‌ରୁ ଟ୍ରେନ୍‌ରେ ଚଢିଥିଲେ। ବିନା ଟିକେଟ୍‌ରେ ସେ ଟ୍ରେନ୍‌ରେ ଯାତ୍ରା କରୁଥିବା ମଧ୍ୟ ଅଭିଯୋଗ ହୋଇଛି। ୨୦୧୬ରେ ସେ ବିଜେପି ଟିକଟ୍‌ରେ ତାମିଲନାଡୁ ବିଧାନସଭା ନିର୍ବାଚନ ଲଢି ପରାଜିତ ହୋଇଥିଲେ।

Leave A Reply