ରେଙ୍ଗାଲି କ୍ୟାମ୍ପ : ବିଦ୍ୟୁତ୍ ତାର ଲାଗି ଏକ ଅଭାବନୀୟ ଘଟଣା ଘଟିଯାଇଛି ଅତାବିରା ବ୍ଲକ ଜାଙ୍ଗେଡ ଗ୍ରାମରେ। ଏହି ଗ୍ରାମର ଜଣେ ଚାଷୀ ଟ୍ରାକ୍ଟର ଯୋଗେ ପୋଟଳ ବେଉସା ପାଇଁ ନିଜ ବିଲକୁ ରାଞ୍ଜ ନେଇ ଜାଙ୍ଗେଡରୁ ବାହାରି ସୋଢ଼ାପାଲି ଅଭିମୁଖେ ଯିବା ସମୟରେ ରାସ୍ତା ଉପରେ ଅତି ନିକଟରେ ଦୀର୍ଘ ବର୍ଷରୁ ଝୁଲି ରହିଥିବା ମୁକୁଳା ତାର ସଂସ୍ପର୍ଶରେ ଆସି ନିଆଁ ଲାଗି ହୁତୁହୁତୁ ହୋଇ ଜଳି ଉଠିଥିଲା। ସୌଭାଗ୍ୟ ବଶତଃ କିଛି ଦୂର ଯାଇ ଚାଳକ ଟ୍ରାକ୍ଟର ସହ ଗାଡ଼ିକୁ ଅଲଗା କରି ନେଇଯାଇ ସ୍ଥାନୀୟ ଲୋକଙ୍କ ସହାୟତାରେ ନିଆଁକୁ ଆୟତ୍ତ କରିଥିଲେ। ଅଳ୍ପକେ ବର୍ତ୍ତିଲା ଟ୍ରାକ୍ଟର ଓ ବର୍ତ୍ତିଗଲେ ଟ୍ରାକ୍ଟର ଚାଳକ। ବରଗଡ଼ ଜିଲ୍ଲାରେ ଅଘୋଷିତ ବିଦ୍ୟୁତ୍ କାଟ ସହ ବିଭିନ୍ନ ସ୍ଥାନରେ ବିଭାଗୀୟ ଟାଟା ପାୱାରଙ୍କ ଅବହେଳା ତଥା ଆନ୍ତରିକତା ଅଭାବରୁ ସହର ଠାରୁ ଆରମ୍ଭ କରି ଗାଆଁ ପର୍ଯ୍ୟନ୍ତ ସବୁଠି ମୁଣ୍ଡ ଉପରେ ବହୁ ପୁରୁଣା ତାର ଝୁଲି ରହିଛି । ଗାଆଁ ଦାଣ୍ଡରେ ଯିବା ଆସିବା ସୁରକ୍ଷିତ ମଣୁ ନାହାନ୍ତି ଲୋକେ । ସହରଠୁ ଗାଆଁ ଗଣ୍ଡା ଦାଣ୍ଡରେ ମୁକୁଳା ଲାଇନ୍ ତାର ମୁଣ୍ଡ ଉପରେ ଝୁଲି ରହି କ୍ଷଣ କ୍ଷଣକେ ବିପଦକୁ ନିମନ୍ତ୍ରଣ କରୁଛି । କେତେବେଳେ ଯେ କାହାର ଜୀବନ ବଳି ନ ପଡ଼ିବ କିଏ କହିବ ବୋଲି ସାଧାରଣରେ ଆଲୋଚନା ହେଉଛି। କିଛି ଦିନ ପୂର୍ବେ ଧାନ ବୋଝେଇ ଗାଡ଼ିରେ ଏମିତି ବିଦ୍ୟୁତ୍ ତାର ଲାଗି ନିଆଁ ଲାଗିବାରୁ ଅଳ୍ପକେ ରହିଯାଇଥିଲା । ତେଣୁ ତୁରନ୍ତ ବିଭାଗୀୟ ଉଚ୍ଚ କର୍ତୃପକ୍ଷ ତଥା ଜିଲ୍ଲାପାଳ ଏଥି ପ୍ରତି ଦୃଷ୍ଟି ଦେଇ ପୁରୁଣା ମୁକୁଳା ତାର ହଟାଇ କେବୁଳ ଦେବା ସହ ଏହାର ଉଚ୍ଚତା ବୃଦ୍ଧି କରିବା ପାଇଁ ସାଧାରଣରେ ଦାବୀ ହେଉଛି ।
Comments are closed.