www.samajalive.in
Tuesday, December 9, 2025
26.1 C
Bhubaneswar

ଆଜି ଭାରତ-ବାଂଲାଦେଶ ପ୍ରଥମ ଟ୍ବେଣ୍ଟି୨୦

ଗ୍ବାଲିୟର : ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ ଲାଗି ଏବେ ସମସ୍ତ ଦଳ ଟେଷ୍ଟମ୍ୟାଚ୍‌ ଉପରେ ଗୁରୁତ୍ବ ଦେଉଛନ୍ତି। ଏହା ମଝିରେ ଭାରତ ଓ ବାଂଲାଦେଶ ୩ ମ୍ୟାଚ୍‌ର ଟି-୨୦ ଶୃଙ୍ଖଳା ଖେଳିବାକୁ ଯାଉଛନ୍ତି। ଆଜି ପ୍ରଥମ ମ୍ୟାଚ୍‌ ଖେଳାଯିବାକୁ ଥିବାବେଳେ ଉଭୟ ଦଳ ପ୍ରମୁଖ ଖେଳାଳିଙ୍କୁ ବିଶ୍ରାମ ଦେଇଛନ୍ତି। ତେବେ ଅଭିଜ୍ଞତା ଦୃଷ୍ଟିରୁ ବାଂଲାଦେଶ ସାମାନ୍ୟ ଆଗରେ ରହିଛି। ସୂର୍ଯ୍ୟକୁମାର ଯାଦବ ନେତୃତ୍ବାଧୀନ ଭାରତୀୟ ଦଳରେ ଥିବା ଖେଳାଳି ଟ୍ବେଣ୍ଟି୨୦ କ୍ରିକେଟ୍‌ ବିଶେଷଜ୍ଞ। ବାଂଲାଦେଶକୁ ପରାସ୍ତ କରିବାରେ ଏମାନେ ସକ୍ଷମ। ସୂର୍ଯ୍ୟକୁମାର, ହାର୍ଦିକ ପାଣ୍ଡ୍ୟା ଓ ଅର୍ଶଦୀପ ସିଂହ ସବୁଠାରୁ ଅଭିଜ୍ଞ। ଦଳରେ ଥିବା ମୟଙ୍କ ଯାଦବ, ନୀତୀଶ କୁମାର ରେଡ୍‌ଡୀ ଓ ହର୍ଷିତ ରାଣା ଆନ୍ତର୍ଜାତିକ ପଦାର୍ପଣ କରିନାହାନ୍ତି। ତଥାପି ଆଇପିଏଲ୍‌ରେ ଏମାନେ ତାରକା ଖେଳାଳି। ଭାରତୀୟ ଦଳରେ ପ୍ରାୟ ପ୍ରଥମ ପସନ୍ଦର ପେସ୍ ବୋଲର ନାହାନ୍ତି। ତେଣୁ ୨୦୨୪ ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସ ପାଇଁ ଖେଳି ଘଣ୍ଟା ପ୍ରତି ୧୫୦ କିମି ଗତିରେ ବୋଲିଂ କରିଥିବା ମୟଙ୍କ ଯାଦବ ଆଜି ପଦାର୍ପଣ କରିପାରନ୍ତି। ଚମ୍ପିଆନ୍ କଲକାତା ନାଇଟ୍‌ ରାଇଡର୍ସର ପେସ୍ ବୋଲର ହର୍ଷିତ ରାଣାଙ୍କୁ ମଧ୍ୟ ସୁଯୋଗ ମିଳିପାରେ। ହାର୍ଦିକ ପାଣ୍ଡ୍ୟା ଅତିରିକ୍ତ ପେସ୍‌ ବୋଲର ଦାୟିତ୍ବ ତୁଲାଇବେ। ପୁଣି ୱାଶିଂଟନ ସୁନ୍ଦର, ରବି ବିଷ୍ଣୋଇ ଓ ଦଳକୁ ଫେରିଥିବା ବରୁଣ ଚକ୍ରବର୍ତ୍ତୀ ବିଶେଷଜ୍ଞ ସ୍ପିନର ଭାବେ ଖେଳିବେ। ବାଂଲାଦେଶ ନିକଟ ଅତୀତରେ ଅଧିକ ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳିନାହିଁ। ତେଣୁ ଟି୨୦ରେ ତା’ର ଦକ୍ଷତା ଦେଖାଇବା ଲାଗି ବାଂଲାଦେଶ ପାଇଁ ଏହା ଭଲ ସୁଯୋଗ। ଶକ୍ତିଶାଳୀ ଭାରତ ବିପକ୍ଷରେ ଭଲ ପ୍ରଦର୍ଶନ କରିବା ସହ ଆଇପିଏଲ୍‌ ଖେଳିବାର ସମ୍ଭାବନା ଏମାନେ ସୃଷ୍ଟି କରିପାରନ୍ତି। ଭାରତକୁ ପରାସ୍ତ କରିବାକୁ ହେଲେ ମହମ୍ମଦୁଲ୍ଲା, ମୁସ୍ତାଫିଜୁର ରେହ୍‌ମାନ, ଲିଟନ୍ ଦାସ, ତାସ୍କିନ୍ ଅହମ୍ମଦ ଓ ମେହ୍‌ଦି ହାସନ୍‌ଙ୍କୁ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ। କାରଣ ଏମାନେ ଅତିକମ୍‌ରେ ୫୦ଟି ଆନ୍ତର୍ଜାତିକ ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳିଛନ୍ତି। ଏମାନଙ୍କ ସହ ତାଞ୍ଜିମ୍ ହାସନ୍ ସାକିବ୍, ରିସାଦ୍ ହୋସେନ୍ ଓ ତାଞ୍ଜିଦ୍‌ ହାସନ୍‌ ଭଲ ଟ୍ବେଣ୍ଟି୨୦ ଖେଳାଳି ଭାବେ ପରିଗଣିତ ହେଉଛନ୍ତି। ୫ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳିଥିବା ଅଭିଷେକ ଶର୍ମା ଦଳରେ ଥିବା ଏକମାତ୍ର ଓପ୍‌ନର। ତେଣୁ ସଞ୍ଜୁ ସାମ୍‌ସନ ଇନିଂସ ଓପନ୍‌ କରିପାରନ୍ତି। ଗତ ଆଇପିଏଲ୍‌ରେ ୧୫୩ରୁ ଅଧିକ ଷ୍ଟ୍ରାଇକ୍‌ରେଟ୍‌ରେ ୫୩୧ ରନ୍‌ କରିଥିବା ସାମ୍‌ସନଙ୍କୁ ତାଙ୍କ ଦକ୍ଷତା ଦେଖାଇବା ପାଇଁ ବୋଧହୁଏ ଏହା ଶେଷ ସୁଯୋଗ। ଭାରତୀୟ ମଧ୍ୟକ୍ରମରେ ସୂର୍ଯ୍ୟକୁମାରଙ୍କ ସହ ରିୟାନ୍ ପରାଗ, ରିଙ୍କୁ ସିଂହ ଓ ହାର୍ଦିକ ପାଣ୍ଡ୍ୟା ଖେଳିବେ। ଦଳରୁ ବାଦ୍‌ ପଡ଼ିଥିବା ଶିବମ୍ ଦୁବେଙ୍କ ସ୍ଥାନରେ ନୀତୀଶ କୁମାର ରେଡ୍ଡୀ କିମ୍ବା ତିଳକ ବର୍ମା ଖେଳିପାରନ୍ତି। ଭାରତ ୩ ସ୍ପିନରଙ୍କୁ ଖେଳାଇବା ନିଶ୍ଚିତ ହୋଇଥିବା ବେ​‌ଳେ ମୟଙ୍କ ଓ ହର୍ଷିତ ରାଣାଙ୍କ ମଧ୍ୟରୁ ଜଣେ ଖେଳିବେ। ବାଂଲାଦେଶ ପାଇଁ ତାଞ୍ଜିଦ୍ ହୋସେନ୍‌ଙ୍କ ସ୍ଥାନରେ ପରଭେଜ୍‌ ହୋସେନ୍ ଇମନ୍ ଓପନ୍‌ କରିପାରନ୍ତି। ଗତ ଟି୨୦ ବିଶ୍ବକପ୍‌ରେ ଦଳ ପାଇଁ ସର୍ବାଧିକ ୧୪ଟି ୱିକେଟ୍‌ ନେଇଥିବା ଲେଗ୍‌ସ୍ପିନର ରିସାଦ୍ ହୋସେନ୍‌ଙ୍କ ଉପ​‌ରେ ନଜର ରହିବ। ମାଧବରାଓ ସିନ୍ଧିଆ ଷ୍ଟାଡିୟମ୍‌ ହେଉଛି ଗ୍ବାଲିୟରର ୨ୟ ଆନ୍ତର୍ଜାତିକ ଷ୍ଟାଡିୟମ୍‌। ଆଜି ଏଠାରେ ପ୍ରଥମ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳାଯିବ। ତେଣୁ ଏଠାକାର ପିଚ୍‌ କିପରି ରହିବ; ତାହା କହିବା କ​‌ଷ୍ଟକର। ପୁଣି ୧୪ ବର୍ଷ ପରେ ଗ୍ବାଲିୟରକୁ ଆନ୍ତର୍ଜାତିକ କ୍ରିକେଟ୍‌ ଫେରିଛି।

Hot this week

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

ଜନ୍ମଦିନରେ ସୋନିଆ ଗାନ୍ଧୀଙ୍କୁ ଝଟକା: କୋର୍ଟରୁ ନୋଟିସ୍‌

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବଡ...

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

Related Articles

Popular Categories