ଟିଟୋର ୮ ସହଯୋଗୀଙ୍କୁ ଉଠାଇନେଲା ଏସ୍‍ଟିଏଫ୍‍

0

ଭୁବନେଶ୍ୱର/କେନ୍ଦ୍ରାପଡା: ଗ୍ୟାଙ୍ଗଷ୍ଟର ଟିଟୋ ଓରଫ୍‍ ସୟଦ ଉସ୍‍ମାନ୍‍ ଅଲ୍ଲୀର ୮ ଜଣ ସହଯୋଗୀଙ୍କୁ କ୍ରାଇମ୍‍ବ୍ରାଞ୍ଚ ଏସ୍‍ଟିଏଫ୍‍ ଉଠାଇ ଆଣିଛି। ସେମାନେ କଟକରୁ କେନ୍ଦ୍ରାପଡ଼ା ଏବଂ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଟିଟୋର ଅପରାଧ ସାମ୍ରାଜ୍ୟର ଅନେକ ମାମଲାରେ ସମ୍ପୃକ୍ତ ଥିବା ଜଣାପଡିଛି। ଧରାପଡିଥିବା ସେକ୍‍ ଅବଦୁଲା ଏବଂ ଜାହାଙ୍ଗିର ଖାନ୍‍ ନିକଟରେ ଜେଲ୍‍ରୁ ମୁକୁଳିଛନ୍ତି। ଏହି ଦୁଇ ଜଣଙ୍କୁ କମିଶନରେଟ୍‍ ପୁଲିସ ଗୋରୁ ଚାଲାଣ ମାମଲାରେ ଗିରଫ କରିଥିଲା। ଏସ୍‍ଟିଏଫ୍‍ ହାତରେ ଧରାପଡିଥିବା ସାଜିଦ୍‍ କାନ୍‍, ସେକ୍‍ ମୁବାରକ, ସେକ୍‍ କଲାମ ମହମ୍ମଦ, ଗୋଲ୍‍ଡେନ୍‍ ପପୁ ଓ ଇମ୍‍ତାଜ ଖାନ୍‍ ଟେଣ୍ଡର ଫିକ୍ସିଂଠାରୁ ଆରମ୍ଭ କରି ଦାଦାବଟି ଆଦାୟ, ଡକାୟତି ଆଦି ମାମଲାରେ ସମ୍ପୃକ୍ତ ଥିବା ଜଣାପଡିଛି। ସେହିପରି ୫ଟି ହତ୍ୟା ମାମଲାରେ ଟିଟୋକୁ ରିମାଣ୍ଡରେ ନେବାକୁ କେନ୍ଦ୍ରାପଡ଼ା ପୁଲିସ ଆବେଦନ କରିଛି। ୫ଟି ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ୍‍ ଥିବା ସ‌େତ୍ତ୍ବ ଏଥିରୁ ଟିଟୋକୁ କେମିତି ବାଦ୍‍ ଦିଆଯାଇଥିଲା ତାହା ଏବେ ଚର୍ଚ୍ଚାର ପରିସରକୁ ଆସିଛି। କେଉଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ଚାପରେ ଟିଟୋକୁ ଉକ୍ତ ମାମଲାରୁ ବାଦ୍‍ ଦିଆଯାଇଥିଲା ତାକୁ ଏବେ ତର୍ଜମା କରାଯାଉଛି ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। କେନ୍ଦ୍ରାପଡାର ଏସ୍‌ଡିପିଓ ରାଜୀବଲୋଚନ ପଣ୍ଡା ଟିଟୋକୁ ୫ଟି ମାମଲାର ପୁନଃ ତଦନ୍ତ କରିବା ପାଇଁ ୧୦ଦିନ ରିମାଣ୍ଡରେ ନେବା ପାଇଁ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ମଙ୍ଗଳବାର ଆବେଦନ କରିଛନ୍ତି। ଏସ୍‌ଡିପିଓ ଶ୍ରୀ ପଣ୍ଡାଙ୍କ ନିବେଦନ ଉପରେ ଏସ୍‍ଡିଜେଏମ୍‍ଙ୍କ କୋର୍ଟରେ କୌଣସି ନିଷ୍ପତ୍ତି ହୋଇ ନ ଥିବା ଜଣାପଡିଛି।
ପ୍ରକାଶ ଯେ ୫ଟି ମାମଲା ମଧ୍ୟରୁ ଦୁଇଟି କେନ୍ଦ୍ରାପଡ଼ା ଥାନା, ଦୁଇଟି ମାର୍ଶାଘାଇ ଥାନା ଓ ଗୋଟିଏ ମାମଲା ପାଟକୁରା ଥାନାର। ଏସବୁ ମାମଲାକୁ କେନ୍ଦ୍ରାପଡା ଏସ୍‌ଡିପିଓ ରାଜୀବଲୋଚନ ପଣ୍ଡା ପୁନଃ ତଦନ୍ତ କରିବେ ବୋଲି ଜଣାପଡିଛି। ଏହି ମାମଲାଗୁଡ଼ିକ ହେଉଛି ପାଟକୁରା ଥାନା ଅନ୍ତର୍ଗତ ମହାନଦୀ ବାଲିଖାଦାନରୁ ବେଆଇନ ଭାବେ ବାଲି ଉଠାଉଥିବା ବେଳେ ଟିଟୋ ଗ୍ରାମବାସୀମାନଙ୍କୁ ୨୦୧୬ ଜାନୁଆରୀ ୧୪ରେ ମାରଧର କରିବା ସହିତ ହତ୍ୟା ଉଦ୍ୟମ କରିଥିଲା। ସେହି ମାମଲାରେ ଟିଟୋର ଭାଇ ସପୋ, ମାର୍ଶାଘାଇ ଥାନା ଅଞ୍ଚଳର ବିଜୟ ସାମଲ, ଧର୍ଷଣାପାରିର ଧନିଆ ଓରଫ ପ୍ରଶାନ୍ତ ସିଂ, କଳାବୁଦାର ରମେଶ ଚନ୍ଦ୍ର ଦାସ, କୁଶୁନ୍‌ପୁରର ରଶ୍ମିରଞ୍ଜନ ସାହୁ, ଦିଲାରପୁରର ସେକ୍ ଅବଦୁଲ ସଞ୍ଜାର, ବିଲବଳରାମପୁର ଗ୍ରାମର ସମୀର ରଂଜନ ବିଶ୍ୱାଳ, ସିମଳଦା ଗ୍ରାମର ରବୀନ୍ଦ୍ର କୁମାର ସ୍ୱାଇଁ, ଜଇପୁରାର ସେକ୍ ଗଫୁର, ଜଗତସିଂହପୁରର ମୁସ୍ତାକ ଅଲ୍ଲୀ, ରାଜନଗର ଥାନା ଅନ୍ତର୍ଗତ କୃଷ୍ଣପ୍ରିୟା ଗ୍ରାମର ରମେଶ ଚନ୍ଦ୍ର ମିସ୍ତ୍ରୀ, ସଦରଥାନା ଅନ୍ତର୍ଗତ ହଳଦିଆ ଗ୍ରାମର ଅନିଲ କୁମାର ଥାଟୋଇ ଏବଂ ଗ୍ୟାଙ୍ଗଷ୍ଟର ଟିଟୋ ବିରୋଧରେ ତତ୍କାଳୀନ ଥାନାଧିକାରିଣୀ ଅନ୍ନପୂର୍ଣ୍ଣା ବେହେରା ନିଜ ଆଡୁ ଏତଲା ରୁଜୁ କରିଥିଲେ। ଗ୍ୟାଙ୍ଗଷ୍ଟର ଟିଟୋକୁ ବାଦ୍‌ଦେଇ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। କିନ୍ତୁ ଏହି ମାମଲାରେ ଟିଟୋ ବିରୋଧରେ ଯଥେଷ୍ଟ ପ୍ରମାଣ ଥିବାରୁ ପୁଣି ଏହି ମାମଲାର ପୁନଃତଦନ୍ତ କରାଯାଉଛି। ଏନେଇ ଟିଟୋକୁ ପଚରାଉଚରା କରାଯିବା ପରେ ତାକୁ ମାମଲାରେ ଅଭିଯୁକ୍ତ ଭାବେ ପକ୍ଷଭୁକ୍ତ କରାଯିବ। ଜଣେ ବରିଷ୍ଠ ପୁଲିସ ଅଧିକାରୀ ଟିଟୋକୁ ଏହି ମାମଲାରୁ ବାଦ୍‍ ଦେବା ଲାଗି ଚାପ ପକାଇଥିଲେ ବୋଲି ଜଣାପଡିବା ପରେ ଏଭଳି ପଦେକ୍ଷପ ଗ୍ରହଣ ପାଇଁ ନିଷ୍ପତ୍ତି ନିଆଯାଇଛି ।
୨୦୧୭ ଡିସେମ୍ବର ୨୧ ତାରିଖରେ କେନ୍ଦ୍ରାପଡ଼ାର ଇଚ୍ଛାପୁର ପାଖ ଚକ୍ରୋଡାଠାରେ ଥିବା ରେଲ୍ୱେର ଜିପିଆଇଏଲ କମ୍ପାନୀର ସାଇଟ୍ ଇଞ୍ଜିନିୟର ଦେବାଶିଷ ସାହୁଙ୍କୁ ଜଙ୍ଗଲ ବିଭାଗର ରେଞ୍ଜ ଅଫିସ୍ ପାଖରେ ଟିଟୋର ନିର୍ଦେଶରେ ହତ୍ୟା କରାଯାଇଥିଲା। ଟିଟୋ ନିର୍ଦେଶରେ କଟାଦୀପୁ ଓରଫ ଶିଳ୍ପତରୁ ସ୍ୱାଇଁ କମ୍ପାନୀର ଆର୍ଥିକ କାରବାର ଦାୟିତ୍ୱରେ ଥିବା ମୁଖ୍ୟ ଅଧିକାରୀଙ୍କୁ ୧୦ ଲକ୍ଷ ଟଙ୍କା ଦାଦାବଟି ମାଗିଥିଲା। ସେ ଟଙ୍କା ନ ଦେବାରୁ କଟାଦୀପୁ ଓରଫ ଶିଳ୍ପତରୁ ସ୍ୱାଇଁ ତାହାର ଅନ୍ୟସାଥୀମାନେ ଦେବାଶିଷଙ୍କୁ ଗୁଳିକରି ହତ୍ୟା କରିଥିଲେ। ସେହିଭଳି ୨୦୧୬ ଜାନୁଆରୀ ୨୪ରେ ସଦର ଥାନା ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗଡା ନିକଟରେ କେଦାର ସ୍ୱାଇଁଙ୍କୁ ହତ୍ୟା ଘଟଣାରେ ଟିଟୋର ସମ୍ପୃକ୍ତି ଥିଲା। ଟିଟୋ ଗ୍ୟାଙ୍ଗର ସାଜନ ବେହେରା, ହରିଆ ଓରଫ ହରେକୃଷ୍ଣ ବେହେରା, ପାଶା ଓରଫ ପ୍ରଶାନ୍ତ ଦାସ, ଲିଙ୍କୁ ଓରଫ ଅମିତ୍ ପ୍ରଧାନ, ଲିଟୁ ଓରଫ ଦେବୀ ପ୍ରସାଦ ଦାସ, ଦୀପୁ ଓରଫ ବିପ୍ଳବ ବେହେରା, ସଂଜୟ ବେହେରା, ବାପି ସ୍ୱାଇଁ, ବରଦା ପ୍ରସାଦ ଦାସ, ପିଣ୍ଟୁ ମହାପାତ୍ର, ବବୁଲ ଓରଫ ରାଜେଶ ବଡପଣ୍ଡା ମିଶି କେଦାର ସ୍ୱାଇଁକୁ ଗୁଳିକରି ହତ୍ୟା କରିଥିଲେ।
ସେହିଭଳି ୨୦୧୫ ଏପ୍ରିଲ୍‍ ୨୫ରେ ମାର୍ଶାଘାଇ ଥାନା ଅଧୀନ ତିଖିରୀ ଗ୍ରାମ ପାଖଦେଇ ଯାଇଥିବା ପାଇକାନଦୀ ବନ୍ଧରେ ରାଜକିଶୋର ବେହେରାଙ୍କୁ ଟେଣ୍ଡର ଫିକ୍ସିଂରେ ବିବାଦ ଦେଖାଦେବାରୁ ହତ୍ୟା କରାଯାଇଥିଲା। ଟିଟୋ ନିର୍ଦେଶରେ ବାବୁ ଓରଫ ଭବାନୀ ଶଙ୍କର ସାହୁ, ବାପିନ୍ ଓରଫ କେଦାରନାଥ ସ୍ୱାଇଁ, ଶରତ ମହାରଣା ଏବଂ କୁଲୁ ଓରଫ ତ୍ରିଲୋଚନ ବେହେରା ରାଜକିଶୋରଙ୍କୁୁ ଗୁଳିକରି ହତ୍ୟା କରିଥିଲେ। ପୁଣି ୨୦୧୩ ସେପ୍ଟମ୍ବର ୨୨ରେ ମାର୍ଶାଘାଇ ଥାନା ଅଧୀନ କୁଶୁନ୍‌ପୁର ଗ୍ରାମଦେଇ ଯାଇଥିବା ଜାତୀୟ ରାଜପଥ ନଂ-୫(କ) କଡରେ ଥିବା ବିଚିଆ ନାୟକ ତାରାତାରିଣୀ ହୋଟେଲ ସମ୍ମୁଖରେ ଲୁଲୁ ଓରଫ ଅଶ୍ୱଜିତ୍ ସାହୁଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାରେ ଟିଟୋ ମୁଖ୍ୟ ଷଡଯନ୍ତ୍ରକାରୀ ଥିଲା। ଟିଟୋର ଗ୍ୟାଙ୍ଗ ସଦସ୍ୟ ପିଣ୍ଟୁୁ ଓରଫ ରଶ୍ମିରଞ୍ଜନ ସେନାପତି, ବୀରେନ୍ଦ୍ର ସେନାପତି, ମନୋରଞ୍ଜନ ସେନାପତି, ଲକ୍ଷ୍ମୀକାନ୍ତ ବେହେରା, ଚଗଲା ଓରଫ ସତ୍ୟବ୍ରତ ସାମନ୍ତରାୟ, ରାଜେଶ ମୁଦୁଲି, ବାପି ଓରଫ ସୁନିଲ ରାଉତରାୟ, କୁନା ଓରଫ ମିହିର ସ୍ୱାଇଁ, ଲିଟୁଆ ଓରଫ ଦେବୀ ପ୍ରସାଦ ଦାସ ମିଶି ଅଶ୍ୱଜିତ୍‌ଙ୍କୁ ଗୁଳିକରି ହତ୍ୟା କରିଥିଲେ। ଟିଟୋ ମୁଖ୍ୟ ଷଡଯନ୍ତ୍ରକାରୀ ଥିଲା ବୋଲି ସାକ୍ଷୀ ପ୍ରମାଣରୁ ଜଣାପଡିଥିଲେ ସୁଦ୍ଧା ତାକୁ ଏହି ମାମଲାରୁ ବାଦ୍ ଦିଆଯାଇଥିଲା ।

kalyan agarbati
Leave A Reply