ମହୁମାଛି ଆକ୍ରମଣରୁ ଛାତ୍ରଙ୍କୁ ରକ୍ଷା କଲେ ସମାଜସେବୀ
ଟିଟିଲାଗଡ଼: ସ୍ଥାନୀୟ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟ ନିକଟରେ ଜଣେ ଛାତ୍ର ମହୁମାଛି ଆକ୍ରମଣରେ ଗୁରୁତର ହୋଇପଡିଥିବା ଜଣାଯାଇଛି। ସୂଚନାରୁ ପ୍ରକାଶ ଯେ, ସହରର ସନ୍ତୋଷ ସିହ୍ନାଙ୍କ ୧୪ ବର୍ଷର ପୁଅ ଶୁକ୍ରବାର ସନ୍ଧ୍ୟା ସମୟରେ ଟ୍ୟୁସନ ଯାଉଥିବା ବେଳେ ମହାବିଦ୍ୟାଳୟ ନିକଟରେ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ। ବହୁ ଗୁଡିଏ ମହୁମାଛି ତାଙ୍କୁ ଘେରି ଆକ୍ରମଣ କରିଥିବା ବେଳେ କେହି ଭୟରେ ପାଖକୁ ଯାଇ ନଥିଲେ। ସେହି ସମୟରେ ଉକ୍ତ ରାସ୍ତାରେ ଯାଉଥିବା ସମାଜସେବି ନରସିଂ ସିଂ ଏବଂ ପବିତ୍ର ସାହୁ ଉପସ୍ଥିତ ବୁଦ୍ଧି ଲଗାଇଥିଲେ। ନିଅାଁ ହୁଳା ଜାଳିବା ସହ ମହୁମାଛିଙ୍କୁ ଘଉଡାଇଥିଲେ। ଏହାପରେ ସେମାନଙ୍କ ଗାଡିରେ ଛାତ୍ରଙ୍କୁ ଆଣି ଟିଟିଲାଗଡ ଉପଖଣ୍ଡ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସମାଜସେବୀ ନରସିଂ ଏବଂ ପବିତ୍ର ମଧ୍ୟ ମହୁମାଛି ଆକ୍ରମଣରେ ଆହତ ହୋଇଛନ୍ତି। ତେବେ ଛାତ୍ରଙ୍କୁ ଠିକଣା ସମୟରେ ରକ୍ଷା କରିଥିବାରୁ ନେଇ ଏବେ ସେ ବିପଦମୁକ୍ତ ଥିବା ଜଣାପଡିଛି। ନରସିଂ ଏବଂ ପବିତ୍ରଙ୍କ ଏଭଳି କାର୍ଯ୍ୟକୁ ସାଧାରଣରେ ବେଶ ପ୍ରଶଂସା କରାଯାଇଛି।
Comments are closed.