ଆନ୍ଧ୍ର ମୁଖ୍ୟମନ୍ତ୍ରୀ ତିରୁପତି ମନ୍ଦିର ପାଣ୍ଠିର ଅପବ୍ୟବହାର କରୁଛନ୍ତି : ମୁଖ୍ୟ ପୂଜକ

0

ହାଇଦରାବାଦ : ତିରୁପତି ବାଲାଜୀ ମନ୍ଦିର ପ୍ରଶାସନ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଥିବା ମନ୍ଦିରର ମୁଖ୍ୟ ପୂଜକ ଏ. ଭି. ରମଣ ଦୀକ୍ଷିତୁଲାଙ୍କୁ ପଦରୁ ହଟାଯିବାକୁ ନେଇ ବିବାଦ ଆରମ୍ଭ ହୋଇଛି। ମୁଖ୍ୟ ପୂଜକ ମନ୍ଦିର ପ୍ରଶାସନ ନାମରେ ଦୁର୍ନୀତି ଅଭିଯୋଗ ଆଣିବା ପରେ ତାଙ୍କୁ ଗତ ବୁଧବାର ବାଧ୍ୟତାମୂଳକ ଅବସର ପ୍ରଦାନ କରାଯାଇଥିଲା। ପଦରୁ ହଟିବା ପରେ ସୋମବାର ମୁଖ୍ୟ ପୂଜକ ଏ.ଭି. ରମଣ ଦୀକ୍ଷିତୁଲା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ନାମରେ ଗୁରୁତର ଅଭିଯୋଗ ଆଣିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ ମୁଖ୍ୟମନ୍ତ୍ରୀ ମନ୍ଦିର ପ୍ରଶାସନ ପରିଷଦ (ବୋର୍ଡ) ପାଇଁ ସଦସ୍ୟ ଚୟନ କରିଛନ୍ତି ଓ ସେମାନଙ୍କ ଜରିଆରେ ମନ୍ଦର ପାଣ୍ଠିର ପ୍ରାୟ ୧୦୦ କୋଟି ଟଙ୍କାର ଅପବ୍ୟବହାର କରିଛନ୍ତି। ପ୍ରକାଶ ଯେ ମନ୍ଦିର ପ୍ରଶାସନ ଦୁର୍ନୀତିରେ ଲିପ୍ତ ଥିବା ମୁଖ୍ୟ ପୂଜକ ଅଭିଯୋଗ ଆଣିଥିଲେ। ଏହାପରେ ଗତ ବୁଧବାର ୬୫ ବର୍ଷରେ ପଦାର୍ପଣ କରିଥିବା ସମସ୍ତ ପୁରୋହିତଙ୍କୁ ଅବସର ଦେବା ଲାଗି ତିରୁମାଳା ତିରୁପତି ଦେବସ୍ଥାନମ୍‍ (ଟିଟିଡି)ର ନୂତନ ବୋର୍ଡ ବୈଠକରେ ନିଷ୍ପତ୍ତି ନେଇଥିଲା। ଏହି ନିଷ୍ପତ୍ତି କ୍ରମେ ରମଣ ଦୀକ୍ଷିତୁଲାଙ୍କ ସମେତ ପୁରୋହିତ ନରସିଂହ ଦୀକ୍ଷିତୁଲା, ଶ୍ରୀନିବାସ ଦୀକ୍ଷିତୁଲା ଏବଂ ନାରାୟଣ ଦୀକ୍ଷିତୁଲାଙ୍କୁ ସେବାରୁ ନିବୃତ୍ତ କରାଯାଇଛି। ମନ୍ଦିର ପ୍ରଶାସନ ଦାନ ଅର୍ଥକୁ ବେଆଇନ ଭାବେ ବାହାର କରି ନେଉଥିବା ନେଇ ରମଣ ଦୀକ୍ଷିତୁଲା ମେ’ ୧୭ରେ ଚେନ୍ନାଇଠାରେ ଗଣମାଧ୍ୟମ ସମ୍ମୁଖରେ ଅଭିଯୋଗ କରିଥିଲେ। ଏବେ ମୁଖ୍ୟ ପୂଜକ ଏକ ନୂଆ ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗ ଅନୁସାରେ ହଜାର ହଜାର ବର୍ଷଧରି ପ୍ରସାଦ ପ୍ରସ୍ତୁତ କରାଯାଉଥିବା ମନ୍ଦିରର ରୋଷେଇଶାଳକୁ ଭଙ୍ଗାଯାଇ ଏହା ତଳେ ଥିବା ପ୍ରାଚୀନ ଗହଣାଗାଣ୍ଠିକୁ ଲୁଟ୍‍ି ନିଆଯାଇଛି। ମୁଖ୍ୟ ପୂଜକଙ୍କ ଏହି ଅଭିଯୋଗ ପରେ ଆନ୍ଧ୍ରପ୍ରଦେଶର ଶାସକ ଟିଡିପି ସରକାରଙ୍କୁ ଘେରିବାକୁ ବିରୋଧୀମାନେ ପ୍ରସ୍ତୁତି ଆରମ୍ଭ କରିଛନ୍ତି।

Leave A Reply