ତିଗିରିଆ : ତିଗିରିଆର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ପ୍ରସନ୍ନମଣିଙ୍କର ନବ ଯୌବନ ବେଶ ଦର୍ଶନ ସୋମବାର ଅନୁଷ୍ଠିତ ହୋଇଯାଇଛି। ୧୫ ଦିନର ଅଣବସରରେ ରହିବା ପରେ ଆଜି ପ୍ରଭୁ ପ୍ରସନ୍ନମଣି ଭକ୍ତମାନଙ୍କୁ ନବ ଯୌବନ ଦର୍ଶନ ଦେଇଛନ୍ତି। ପ୍ରଭୁଙ୍କ ନବଯୌବନ ଦର୍ଶନ ଲାଗି ମନ୍ଦିରରେ ରବିବାର ରାତିରୁ ବିଶେଷ ଭାବେ ନିତିକାନ୍ତି ଆରମ୍ଭ ହୋଇଥିଲା। ରବିବାର ରାତିରୁ ପ୍ରଭୁଙ୍କର ବନକଲାଗି ନୀତି ଆରମ୍ଭ ହୋଇ ସୋମବାର ଭୋର୍ ସମୟରେ ଶେଷ ହୋଇଥିଲା । ସକାଳୁ ମଙ୍ଗଳ ଆଳତି, ମଇଲମ, ଅବକାଶ, ଓ ଦଶ ଅବତାର ଦିଅଁଙ୍କ ବାହୁଡା ବିଜେ କରାଯାଇ ଶ୍ରୀଜୀଉମାନଙ୍କର ଅଣବସର ପଟି ଖୋଲାଯାଇଥିଲା। ଏହା ପରେ ପ୍ରଭୁ ପ୍ରସନ୍ନମଣି ଭକ୍ତମାନଙ୍କୁ ନବ ଯୌବନ ଦର୍ଶନ ଦେଇଥିଲେ। ଭକ୍ତମାନଙ୍କର ପରିମାଣିକ ଓ ସାହାଣମେଳା ଦର୍ଶନ ପରେ ମନ୍ଦିର ବେଢ଼ାକୁ ଧୂଆଯାଇ ମନ୍ଦିର ଚଟାଣ ଉପରେ ଚୂନ ପକାଯିବା ସହିତ ପ୍ରଭୁଙ୍କ ଅନ୍ୟ ନୀତିକାନ୍ତି କରାଯାଇ ନେତ୍ରୋତ୍ସବ ବିଧି ପାଳନ ହୋଇଥିଲା। ପ୍ରଭୁଙ୍କର ନବ ଯୌବନର ସମସ୍ତ ସେବା ନୀତିକାନ୍ତି ମନ୍ଦିରର ମୂଖ୍ୟ ପୂଜକ ମଣ୍ଟୁ ପଣ୍ଡାଙ୍କ ଦ୍ଵାରା ସମ୍ପନ୍ନ ହୋଇଥିବା ବେଳେ ସମସ୍ତ ସେବାୟତମାନେ ସହଯୋଗ କରିଥିଲା ବେଳେ ମନ୍ଦିର ଟ୍ରଷ୍ଟି ଲଲିତ କୃଷ୍ଣ ଦାସ ପରିଚାଳନା କରିଥିଲେ। ପ୍ରଭୁଙ୍କର ନବ ଯୌବନ ବେଶ ଦର୍ଶନ କରିବାକୁ ମନ୍ଦିର ପରିସରରେ ବହୁ ସଂଖ୍ୟାରେ ଭକ୍ତମାନଙ୍କର ଭିଡ଼ ଦେଖିବାକୁ ମିଳିଥିଲା।
Comments are closed.