ବୋଧିଦ୍ରୁମ ବୁଦ୍ଧବିହାରରେ ବୁଦ୍ଧପୂର୍ଣ୍ଣିମା ପାଳିତ
ତିଗିରିଆ: ତିଗିରିଆ ବ୍ଲକ ଅନ୍ତର୍ଗତ ବୁଦ୍ଧ ଜୟନ୍ତୀପୁରସ୍ଥିତ ବୋଧିଦ୍ରୁମ ବୁଦ୍ଧବିହାରରେ ୨୫୬୭ତମ ବୁଦ୍ଧ ପୂର୍ଣ୍ଣିମା ପାଳିତ ହୋଇଯାଇଛି। ପ୍ରାତଃ ସମୟରେ ବୁଦ୍ଧ ବିହାର ପରିସରରେ ପରମକାରୁଣିକ ତଥାଗତ ବୁଦ୍ଧଙ୍କ ବନ୍ଦନା ତ୍ରୀଶରଣ, ପଞ୍ଚଶୀଳ ପରେ ଧର୍ମଯାତ୍ରା ତଥା ପ୍ରଭାତ ପରିକ୍ରମା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ସମସ୍ତ ବୌଦ୍ଧ ଧର୍ମାବଲମ୍ବୀମାନେ ବୁଦ୍ଧଙ୍କ ପ୍ରତିମୂର୍ତ୍ତି ସହ ଶୋଭାଯାତ୍ରାରେ ସାମିଲ ହୋଇ ବୁଦ୍ଧଙ୍କ ବାଣୀର ପ୍ରଚାର କରିଥିଲେ। ବୁଦ୍ଧ ବିହାର ଠାରୁ ଜେମାଦଇପୁର ଦେଇ ନୂଆପାଟଣା ଚଣ୍ଡିଛକ ପର୍ଯ୍ୟନ୍ତ ଏହି ପ୍ରଭାତ ପରିକ୍ରମା ଅନୁଷ୍ଠିତ ହୋଇଥିଲା।
ଏହାପରେ ବୁଦ୍ଧଜୟନ୍ତୀପୁରରେ ଦିନ ତମାମ ଉତ୍ସବ ଲାଗି ରହିବା ସହିତ ବୁଦ୍ଧ ବିହାରରେ ସମସ୍ତ ଧର୍ମାବଲମ୍ବୀମାନେ ଏକତ୍ରିତ ହୋଇ ବୁଦ୍ଧଙ୍କ ଜୀବନାଦର୍ଶ ଉପରେ ଆଲୋଚନା କରିଥିଲେ। ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ଓଡ଼ିଶୀ ନୃତ୍ୟ କେନ୍ଦ୍ର ଢେଙ୍କାନାଳ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ନୂଆପାଟଣା ବୌଦ୍ଧ ସଂଘ ସଭାପତି ରଙ୍ଗାଧର ପାତ୍ର ଓ ଉପଦେଷ୍ଟା ନିରଞ୍ଜନ ମହାପାତ୍ର ତଥା ଜେମାଦେଇପୂର ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ମହେବୁବ୍ ଅହମଦ ଖାଁ, ନୂଆପାଟଣା ଗ୍ରାମପଞ୍ଚାୟତର ସରପଞ୍ଚ ସୋମନାଥ ଦାସ ଓ ଭୋଗଡା ଗ୍ରାମ ପଞ୍ଚାୟତର ସରପଞ୍ଚ ଶର୍ମିଳା ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।
ଗ୍ରାମର ବିକାଶ ପାତ୍ର, ପ୍ରଦୀପ ପାତ୍ର, ବାଳକୃଷ୍ଣ ବର୍ଦ୍ଧନ, ରଞ୍ଜନ ପାତ୍ର, ଦିଲ୍ଲୀପ ପାତ୍ର ସମେତ ଅନ୍ୟାନ୍ୟ ଉପାସକଙ୍କ ଦ୍ଵାରା ଏହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆନନ୍ଦ ଉଲ୍ଲାସର ସହିତ ସମ୍ପାଦନା କରାଯାଇଥିଲା ଏହି ଅବସରରେ ପୂର୍ବାହ୍ନରେ ନିଆଳିରୁ ଆସିଥିବା ବୌଦ୍ଧ ଗବେଷକ ଶ୍ରୀଯୁକ୍ତ ରାଜେଶ କୁମାର ମଲ୍ଲିକ ଓ ତାଙ୍କ ପରିବାର ଐତିହାସିକ ବୋଧିଦ୍ରୁମ ଦର୍ଶନ କରି ବୋଧିଦ୍ରୁମ ମୂଳରେ ପୁଷ୍ପ ଅର୍ପଣ କରିଥିଲେ।
Comments are closed.