ରାଜ୍ୟରେ ଖୁବ୍ ଶୀଘ୍ର ଲାଗୁ ହେବ ଜାତୀୟ ଶିକ୍ଷା ନୀତି -୨୦୨୦: ଉଚ୍ଚ ଶିକ୍ଷା ମନ୍ତ୍ରୀ

ପ୍ରସ୍ତୁତି ସମ୍ପର୍କରେ ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ ସହିତ ଆଲୋଚନା ଓ କର୍ମଶାଳା ଅନୁଷ୍ଠିତ

ଭୁବନେଶ୍ୱର: ଓଡ଼ିଶାରେ ଉଚ୍ଚଶିକ୍ଷା ବ୍ୟବସ୍ଥାରେ ଜାତୀୟ ଶିକ୍ଷା ନୀତି -୨୦୨୦ ପ୍ରଣୟନ ନେଇରାଜ୍ୟର ବିଭିନ୍ନ ସରକାରୀ ବିଶ୍ୱ ବିଦ୍ୟାଳୟର ପ୍ରସ୍ତୁତି ସଂପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ତଥା କର୍ମଶାଳା ଗତକାଲି ମଙ୍ଗଳବାର ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ରାଜ୍ୟ ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବସେବା , ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଓଡିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦର କାର୍ଯ୍ୟ ନିର୍ବାହୀ ସଦସ୍ୟ ପ୍ରଫେସର ଡଃ. ସୁସ୍ମିତ ପ୍ରସାଦ ପାଣି ଏବଂପ୍ରଫେସର ଡଃ. ଅତନୁ ପତିଙ୍କ ସମେତ ରାଜ୍ୟର ସମସ୍ତ ସରକାରୀ ବିଶ୍ୱ ବିଦ୍ୟାଳୟର କୁଳପତିମାନେ ଅଂଶ ଗ୍ରହଣ କରିଥିଲେ।

ପ୍ରାରମ୍ଭରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଅରବିନ୍ଦ କୁମାର ଅଗ୍ରଓ୍ୱାଲ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ପରିଚାଳିତ ବର୍ତ୍ତମାନ ବିଭିନ୍ନ ପାଠ୍ୟକ୍ରମର ସ୍ଥିତି, ବିଭିନ୍ନ ଛାତ୍ରବୃତ୍ତି, ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ସଂପର୍କରେ ଉପସ୍ଥାପନ କରିବା ସହ କାର୍ଯ୍ୟକାରୀ ହେବାକୁ ଥିବା ଜାତୀୟ ଶିକ୍ଷା ନୀତି -୨୦୨୦(ଏନଇପି) ରେ ରହିଥିବା ଉଲ୍ଲେଖନୀୟ ବ୍ୟବସ୍ଥାର ସାରାଂଶ ଉପରେ ଆଲୋକପାତ କରି ଏହି ନୀତି ଲାଗୁ ନେଇ ରାଜ୍ୟ ସରକାରଙ୍କ ଅନୁମୋଦନର ଆବଶ୍ୟକତା, ଏହା ପ୍ରଣୟନ ହେଲେ ସମ୍ଭାବ୍ୟ ଅସୁବିଧା ଓ ସମାଧାନ ସଂପର୍କରେ ମତ ରଖି ଥିଲେ। ଏଥି ପାଇଁ ପ୍ରସ୍ତୁତ ରୋଡ୍ ମ୍ୟାପ୍, ଜାତୀୟ ଶିକ୍ଷା ନୀତି -୨୦୨୦ ଅଧିନରେ ମଧ୍ୟମ ଓ ଦୀର୍ଘମିଆଦି କାର୍ଯ୍ୟାନୁଷ୍ଠାନ ଯୋଜନା ସଂପର୍କରେ ମଧ୍ୟ ସେ ଉପସ୍ଥାପନ କରିଥିଲେ।

ଏହି ଆଲୋଚନାରେ ଉତ୍କଳ ବିଶ୍ୱ ବିଦ୍ୟାଳୟ, ରେଭେନ୍ସା ବିଶ୍ୱ ବିଦ୍ୟାଳୟ, ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ସମ୍ବଲପୁର ବିଶ୍ୱ ବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟ, ଫକୀରମୋହନ ବିଶ୍ୱ ବିଦ୍ୟାଳୟ, ଓଡିଆ ବିଶ୍ୱ ବିଦ୍ୟାଳୟ, ଧରଣୀଧର ବିଶ୍ୱ ବିଦ୍ୟାଳୟ, ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ଆଦି ବିଭିନ୍ନ ବିଶ୍ୱ ବିଦ୍ୟାଳୟର କୁଳପତିମାନେ ଅଂଶଗ୍ରହଣ କରି ଏନଇପି-୨୦୨୦ ପ୍ରଣୟନ ନିମନ୍ତେ ବିଶ୍ୱ ବିଦ୍ୟାଳୟମାନଙ୍କର ପ୍ରସ୍ତୁତି ସଂପର୍କରେ ମତ ରଖିବା ସହିତ ବିଭିନ୍ନ ପରାମର୍ଶ ଦେଇଥିଲେ।

ଆଲୋଚନାରେ ଅଂଶ ଗ୍ରହଣ କରି ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂରଜ କହିଥିଲେ ଯେ, ଜାତୀୟ ଶିକ୍ଷା ନୀତି ୨୦୨୦ ପ୍ରଣୟନ ପାଇଁ ଖୁବ୍ କମ ଦିନ ମଧ୍ୟରେ ବିଭିନ୍ନ ବିଶ୍ୱ ବିଦ୍ୟାଳୟ ତରଫରୁ ଯେଉଁ ପଦକ୍ଷେପ ନିଆଯାଇଛି, ତାହା ପ୍ରସଂଶନୀୟ। ଏହି ନୀତି ବିଭିନ୍ନ କ୍ଷେତ୍ରରେ ଶିକ୍ଷା ବ୍ୟବସ୍ଥାରେ ପରିଲକ୍ଷିତ ହେଉଥିବାଅସୁବିଧା ଓ ଅଭାବକୁ ଦୂର କରିବା ଏବଂ ଶିକ୍ଷକ ଆବଶ୍ୟକତା ପୂରଣ କରିବାରେ ସହାୟକ ହେବ। ଆଗାମୀ ୧ ରୁ ୩ ସପ୍ତାହ ମଧ୍ୟରେ ଏ ସଂପର୍କରେ ଶୀର୍ଷସ୍ତରରେ ଆଲୋଚନା କରାଯାଇ ଖୁବ୍ ଶୀଘ୍ର ରାଜ୍ୟରେ ଏହି ନୀତି ଲାଗୁ କରାଯିବା ଉପରେ ସେ ଆଶା ବ୍ୟକ୍ତ କରିଛନ୍ତି।

prayash

ରାଜ୍ୟରେ ଏହି ନୀତି ଶତ ପ୍ରତିଶତ ପ୍ରଣୟନ କରାଯାଇ ଯେପରି ଓଡିଶା ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବ, ସେଥିପ୍ରତି ସେ ଗୁରୁତ୍ୱ ଦେଇଥିଲେ। ଏହାର କାର୍ଯ୍ୟାନ୍ୱୟନରେ ଯେଉଁ ସମସ୍ୟା ରହିବ, ତାହାକୁ ପର୍ଯ୍ୟାୟକ୍ରମେ ତତ୍କାଳ ସମାଧାନ କରାଯିବ ବୋଲି ମନ୍ତ୍ରୀ ମଧ୍ୟ ପ୍ରକାଶ କରିଥିଲେ।

ଜାତୀୟ ଶିକ୍ଷା ନୀତି -୨୦୨୦ କାର୍ଯ୍ୟକାରିତାରେ ନମନୀୟତା ଏବଂ ଶିକ୍ଷା ଦାନରେ ବହୁ ବିଭାଗୀୟ ଆଭିମୁଖ୍ୟ ଉପରେ ଗୁରୁତ୍ୱ ପ୍ରଦାନ କରେ। ଶୈକ୍ଷିକ ବ୍ୟବସ୍ଥାକୁ ଅଧିକ ସରଳ କରି ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ବିଷୟ ବାଛିବାକୁ ଅନୁମତି ପ୍ରଦାନ କରିଥାଏ। ଛାତ୍ରବୃତ୍ତି ,ଅନ୍ତର୍ଭୁକ୍ତ ପାଠ୍ୟକ୍ରମ ଏବଂ ସହାୟତା ବ୍ୟବସ୍ଥା ମାଧ୍ୟମରେ ସମସ୍ତଙ୍କ ପାଇଁ ଗୁଣାତ୍ମକ ଶିକ୍ଷାକୁ ଉପଲବ୍ଧ କରାଇବା ଏନଇପି-୨୦୨୦ର ଲକ୍ଷ୍ୟ ରହିଛି।

ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଦ୍ୱାରା ଡିସେମ୍ବର ୨୦୨୦ରେ ସ୍ନାତକ ପୂର୍ବ ପାଠ୍ୟକ୍ରମ ପାଇଁ ଏକ ବିସ୍ତୃତ ଢାଞ୍ଚା ପ୍ରକାଶ କରାଯାଇଥିଲା, ଯେଉଁଥିରେ ପାଠ୍ୟକ୍ରମ ଏବଂ ଛାତ୍ରଛାତ୍ରୀଙ୍କ କାର୍ଯ୍ୟ ଓ ପ୍ରୟାସକୁ ମାପିବା ଏବଂ ମୂଲ୍ୟାଙ୍କନ କରିବା ପାଇଁ କ୍ରେଡିଟ୍ ବ୍ୟବସ୍ଥାର ଆବଶ୍ୟକତା ବିଷୟରେ ଉଲ୍ଲେଖ ରହିଛି। ନୂଆ ପାଠ୍ୟକ୍ରମ ବ୍ୟବସ୍ଥାରେ ୪ ବର୍ଷର ୟୁଜି ଡିଗ୍ରୀ (ଅନର୍ସ) ଏବଂ ୪ ବର୍ଷର ୟୁଜି ଡିଗ୍ରୀ (ଗବେଷଣା ସହ ସମ୍ମାନ) ରହିବ। କାର୍ଯ୍ୟକ୍ରମଗୁଡ଼ିକ ଡିଜିଟାଲ ସାକ୍ଷରତା, ଡାଟା ବିଶ୍ଳେଷଣ ଉପରେ ଗୁରୁତ୍ୱ ଏବଂ କର୍ମକ୍ଷେତ୍ର ପ୍ରସ୍ତୁତି ପାଇଁ ଯୋଗାଯୋଗ ଦକ୍ଷତାକୁ ମଧ୍ୟ ପ୍ରାଥମିକତା ଦିଆଯାଏ।

ଏହା ଅଗ୍ରଣୀ କଂପାନିଗୁଡ଼ିକ ସହ ସହଯୋଗ ପାଠ୍ୟକ୍ରମକୁ ଅଦ୍ୟତନ କରି ଶିକ୍ଷା ପ୍ରଦାନ, ବର୍ତ୍ତମାନର ଶିଳ୍ପ ଆବଶ୍ୟକତା ସହିତଯୋଡ଼ି ହେବାକୁ ସୁନିଶ୍ଚିତ କରେ ।ବିଦ୍ୟାର୍ଥୀମାନଙ୍କୁ ଉଦ୍ୟୋଗ କ୍ଷେତ୍ର ପ୍ରତି ପ୍ରୋତ୍ସାହିତ କରିବା ଏବଂ ଶିଳ୍ପ ସହାୟତାରେ ଷ୍ଟାର୍ଟଅପ୍ ଚିନ୍ତାଧାରା ବିକଶିତ କରିପାରିବା ନେଇ ଏଥିରେ ବ୍ୟବସ୍ଥା ରହିଛି। ଏନଇପି ୨୦୨୦ ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାକୁ ସେମାନଙ୍କର ବ୍ୟକ୍ତିଗତ ଲକ୍ଷ୍ୟ ଏବଂ ଆକାଂକ୍ଷା ଅନୁଯାୟୀ ପ୍ରସ୍ତୁତ କରିବାକୁ ସଶକ୍ତ କରେ। ଛାତ୍ରଛାତ୍ରୀଙ୍କ ଶିକ୍ଷଣ ପଥ ଉପରେ ଅଧିକ ନିୟନ୍ତ୍ରଣ ରହିଥାଏ।

ଏନଇପି ୨୦୨୦ ଆନ୍ତଃବିଭାଗୀୟ ଶିକ୍ଷାକୁ ପ୍ରୋତ୍ସାହିତ କରେ, ଯାହା ଛାତ୍ରମାନଙ୍କୁ ବିଭିନ୍ନ ବିଷୟର ଅନୁସନ୍ଧାନ କରିବାକୁ ଅନୁମତି ଦିଏ। ଏହା ସୃଜନଶୀଳତା ଏବଂ ସମସ୍ୟା ସମାଧାନ ଦକ୍ଷତାକୁ ମଧ୍ୟ ପ୍ରୋତ୍ସାହିତ କରେ।ଏନଇପି ୨୦୨୦ ଏକାଧିକ ପ୍ରବେଶ ଏବଂ ପ୍ରସ୍ଥାନ ପଥ ପ୍ରଦାନ କରି ଜୀବନବ୍ୟାପୀ ଶିକ୍ଷାକୁ ସମର୍ଥନ କରେ। ଛାତ୍ରଛାତ୍ରୀମାନେ କ୍ୟାରିୟରର ଯେକୌଣସି ମୁହୂର୍ତ୍ତରେ ଶିକ୍ଷାକୁ ଫେରିପାରିବାର ବ୍ୟବସ୍ଥା ମଧ୍ୟ ଏଥିରେ ରହିଛି।

Comments are closed.