ରାୟଗଡ଼ା: ରାୟଗଡ଼ା ଜିଲାର ଜୀବନ ରେଖା ନାଗାବଳୀ ନଦୀ ଅବହେଳାର ଶିକାର ହୋଇଛି। ଆନ୍ତଃରାଜ୍ୟ ଜଳ ନୀତି ଯୋଗୁଁ ଏହି ନଦୀ ବାରମ୍ବାର ଅବହେଳାର ଶିକାର ହୋଇ ଆସୁଛି। ବଂଶଧାରା ନଦୀରେ ଆନ୍ଧ୍ରର ନେରେଡି ନଦୀବନ୍ଧ ଯୋଜନା, ଝଞ୍ଜବତୀ ନଦୀରେ ରବର ଡ଼୍ୟାମ. ଓ ପୋଲାଭରମ ପ୍ରକଳ୍ପକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ରାୟଗଡା ଜିଲାର ସୀମାନ୍ତ ଦେଇ ପ୍ରବାହିତ ନାଗାବଳୀ ନଦୀ ମଧ୍ୟ ସମ ବିବାଦରେ ରହିଛି। ୧୯୫୬ ମସିହାରେ ନଦୀଜଳ ବଣ୍ଟନ ନେଇ ଓଡିଶା ସରକାର କେନ୍ଦ୍ର ସରକାରଙ୍କ ଦ୍ବାରସ୍ଥ ହୋଇଥିଲେ। ହେଲେ ଆନ୍ଧ୍ର ସରକାର ଆନ୍ତଃରାଜ୍ୟ ଜଳ ଚୁକ୍ତିର ଅବମାନ କରି ଚାଲିଛି। ଆନ୍ଧ୍ର ସରକାର ନାଗାବଳୀ ନଦୀର ଭରପୁର ସଦୁପଯୋଗ କରୁଥିବା ବେଳେ ନଦୀର ସିଂହଭାଗ ଓଡ଼ିଶାରେ ରହିଥିଲେ ହେଁ ରାଜ୍ୟ ସରକାର ଏହାର ସଦୁପଯୋଗ ପ୍ରତି ଧ୍ୟାନ ଦେଉ ନାହଁାନ୍ତି।
୨୧୭ କିଲୋମିଟର ଦୂର ପର୍ଯ୍ୟନ୍ତ ପ୍ରବାହିତ ନାଗାବଳୀ ନଦୀ ଓଡିଶାରେ ୧୨୫ କିଲୋମିଟର ଅତିକ୍ରମ କରିଛି। ଆନ୍ଧ୍ରର ମାନ୍ୟମ୍ ଏବଂ ଶ୍ରୀକାକୁଲମ ଜିଲାରେ ୯୨ କିଲୋମିଟର ପର୍ଯ୍ୟନ୍ତ ଏହି ନଦୀ ପ୍ରବାହିତ ହେଉଛି। ଆଉ ଏହି ୯୨ କିଲୋମିଟର ପରିଧି ମଧ୍ୟରେ ଆନ୍ଧ୍ର ଜଳସମ୍ପଦ ବିଭାଗ ଶହଶହ କ୍ଷୁଦ୍ର ଜଳ ପ୍ରକଳ୍ପ ନିର୍ମାଣ କରି ଏକର ଏକର ଜମିକୁ ଜଳସେଚିତ କରୁଛି। ରାୟଗଡା ଜିଲାର ଜୀବନ ରେଖା କୁହା ଯାଉଥିଲେ ମଧ୍ୟ ନାଗାବଳୀ ନଦୀ ସରକାରଙ୍କ ଘୋର ଅବହେଳା ଶିକାର ହୋଇଛି। ଏହାର ଫାଇଦା ନେଉଛି ଆନ୍ଧ୍ର । ନାଗାବଳୀ-ବଂଶଧାରା ନଦୀ ସଂଯୋଗୀକରଣ, ତୋଟାପଲି, ଝଞ୍ଜାବତୀ ଏବଂ ମୁଦୁୱଲସା ନଦୀ ସଂଯୋଗୀକରଣ କରି ପ୍ରାୟ ୩ଲକ୍ଷ ୫୦ହଜାର ଏକର ଜମିକୁ ଜଳସେଚନ ଲକ୍ଷ୍ୟ ରଖିଛି ବୋଲି ଆନ୍ଧ୍ର ବିଭାଗୀୟ ଅଧିକାରୀ ଭାସ୍କର ରାଓ କହିଛନ୍ତି।
ଏପଟେ ରାୟଗଡ଼ା ଜିଲାରେ କେବଳ ଖରିଫ ଋତୁକୁ ଛାଡ଼ିଦେଲେ ଅନ୍ୟ ସମୟରେ ଜଳସେଚନ ଅଭାବରୁ ଏକର ଏକର ଜମି ପଡିଆ ପଡୁଛି। ସୂଚନାଯୋଗ୍ୟ ଯେ, ନାଗାବଳୀ, ବଂଶଧାରା ଓ ଝଞ୍ଜାବତୀ ନଦୀ ସଂଯୋଗ ପାଇଁ
ବିସ୍ତୀର୍ଣ୍ଣ ଭିତ୍ତିଭୂମି ଥିଲେ ମଧ୍ୟ ଏହି ନଦୀଗୁଡ଼ିକରେ କୌଣସି ପ୍ରକଳ୍ପ ଅଗ୍ରଗତି ହୋଇ ପାରି ନାହିଁ। ରାୟଗଡ଼ା ଜିଲାର ଭେଜା, ଶିରିକଣା, ଚିନ୍ତାଲିଗୁଡ଼ା ଡ୍ୟାମ, ସିଙ୍ଗାରୀ, କୁମାର ସାହି, କଟିପଡ଼ା, ଭୂଷଣ ଝୋଲା, କରନିପଡ଼ା ଓ ସମୁଝା ଡ୍ୟାମର ଶାଖା ନଦୀଗୁଡ଼ିକ ପ୍ରଧାନମନ୍ତ୍ରୀ ସିଚାଇ ଯୋଜନାରେ ସାମିଲ ହୋଇଥିଲେ ମଧ୍ୟ ବିଭାଗୀୟ ଇଛାଶକ୍ତି ଅଭାବରୁ ଯୋଜନା କାର୍ଯ୍ୟକାରୀ ହୋଇପାରି ନାହିଁ।
ରାଜ୍ୟରେ ଅନେକ ନଦୀକୁ ଦୀର୍ଘକାଳୀନ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଥିଲେ ମଧ୍ୟ ନାଗାବଳୀ ନଦୀ ସେଥିରୁ ବାଦ୍ ପଡିଛି। ଜଳ ସଂରକ୍ଷଣ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ ଆନ୍ଧ୍ରପ୍ରଦେଶ ଏହାର ଭରପୁର ସୁଯୋଗ ନେଉଛି। ନଦୀ ପରିଚାଳନା କ୍ଷେତ୍ରରେ ଅପାରଗତା କାରଣରୁ ପାନୀୟ ଜଳ ସଂକଟ ସହ ଜଳସେଚନ ସମସ୍ୟା ଆଗକୁ ଗୁରୁତ୍ୱର ରୂପ ଧାରଣ କରିବାର ଆଶଙ୍କା ପ୍ରକାଶ ପାଇଛି। ରାୟଗଡ଼ା ଜିଲାର କଲ୍ୟାଣସିଂପୁର ବ୍ଲକର ଭେଜାଠାରେ ନାଗାବଳୀ ନଦୀରେ ପ୍ରକଳ୍ପ ନିର୍ମାଣ ନେଇ ପ୍ରସ୍ତାବ ଆଗତ କରାଯାଇଛି ବୋଲି ନଦୀ ଡିଭିଜନର ସହକାରୀ ଯନ୍ତ୍ରୀ କ୍ଷତିସୂତା ନାୟକ କହିଛନ୍ତି।



