୨୦ ଦିନର ଶିଶୁପୁତ୍ରକୁ ଟାଙ୍ଗିଆରେ ହାଣି ମାରିଦେଲା ମା’
ତେଲକୋଇ: ୪ ବର୍ଷ ଅନ୍ତରରେ ନିଜର ୨ ଛୁଆଙ୍କୁ ମାରିଦେଲା ମାଁ। ତେଲକୋଇ ଥାନା ନମକାନି ଜୁଆଙ୍ଗସାହିରେ ମା’ର ବିଭତ୍ସ କାଣ୍ଡ। ୪ ବର୍ଷ ତଳେ ନିଜର ୪ ବର୍ଷର ଝିଅକୁ ପାଣିରେ ବୁଡ଼ାଇ ମାରିଥିଲା। ଆଜି ୨୦ଦିନର ଶିଶୁପୁତ୍ରକୁ ଟାଙ୍ଗିଆରେ ହାଣି ମାରିଦେଲା। ପ୍ରଥମ ଶିଶୁକୁ ହତ୍ୟା କରି ଜେଲ ଯାଇଥିଲା ସମ୍ପୃକ୍ତ ମହିଳା। ୨ ବର୍ଷ ଜେଲରେ ରହି ଫେରିଲା ପରେ ପୁଣି ପୁଅକୁ ମାରିଦେଲା।
ମିଳିଥିବା ସୂଚନା ଅନୁଯାୟୀ ତେଲକୋଇ ଥାନା ବିମଳା ପଞ୍ଚାୟତ ନମକାନି ଜୁଆଙ୍ଗ ସାହିର ଗୁରୁ ଜୁଆଙ୍ଗଙ୍କ ପତ୍ନୀ ଲକ୍ଷ୍ମୀ ଜଣେ ମାନସିକ ରୋଗୀ। ୨୦ ଦିନ ତଳେ ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ଆଜି ପୂର୍ବାହ୍ନରେ ଲକ୍ଷ୍ମୀ ଘର ସମ୍ମୁଖ ପିଣ୍ଡାରେ ନିଜ ପୁଅକୁ ଧରି ଖେଳାଉ ଥିଲାବେଳେ ଘର ଭିତରେ ଗୁରୁ ଜୁଆଙ୍ଗ ଶୋଇଥିଲେ। ହଠାତ୍ ଛୁଆର ଚିତ୍କାର ଶୁଣିବାକୁ ପାଇଥିଲେ। ଆଉ ତା’ପରେ ଛୁଆର କାନ୍ଦ ବନ୍ଦ ହୋଇଯାଇଥିଲା। ଏହା ଶୁଣି ଘର ଭିତରୁ ଉଠି ଆସି ଦେଖିଲାବେଳକୁ ଘର ଅଗଣା ରକ୍ତ ରଞ୍ଜିତ ହୋଇଯାଇଥିଲା। କୁନି ପୁଅର ମୁଣ୍ଡ ଓ ଗଣ୍ଡି ଅଲଗା ହୋଇଯାଇଥିଲା। ହାତରେ ରକ୍ତାକ୍ତ ଟାଙ୍ଗିଆ ଧରି ପତ୍ନୀ ଲକ୍ଷ୍ମୀ ଠିଆ ହୋଇଥିଲେ। ସାହି ଲୋକେ ଖବର ପାଇ ଲକ୍ଷ୍ମୀଙ୍କୁ କାବୁ କରି ହାତରୁ ରକ୍ତାକ୍ତ ଟାଙ୍ଗିଆ ଉଦ୍ଧାର ପରେ ପୁଲିସ୍କୁ ଖବର ଦେଇଥିଲେ। ଖବର ପାଇ ପୁଲିସ୍ ଗାଁରେ ପହଞ୍ଚି ଲକ୍ଷ୍ମୀଙ୍କୁ ଗିରଫ ସହିତ ରକ୍ତାକ୍ତ ଟାଙ୍ଗିଆ ଜବତ କରିଥିଲା ଏବଂ ମୃତଦେହକୁ ଜବତ ପରେ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥଇଲା। ଲକ୍ଷ୍ମୀ ଜଣେ ମାନସିକ ରୋଗୀ ହୋଇଥିବାରୁ ୪ ବର୍ଷ ତଳେ ବର୍ଷକର ଝିଅକୁ ପାଣିରେ ବୁଡ଼ାଇ ହତ୍ୟା କରିଥିଲା। ଏହି ମାମଲାରେ ସେ ଗିରଫ ହୋଇ ଦୁଇ ବର୍ଷ ଜେଲ୍ ଯାଇଥିଲା। ପରେ ଜେଲ୍ରୁ ବାହାରି ସ୍ୱାମୀଙ୍କ ସହିତ ରହୁଥିଲା। ଏବେ ନବଜାତକ ପୁଅକୁ ହତ୍ୟା କରିଦେଇଛି।
Comments are closed.