ଜାତିପ୍ରଥା ଯୋଗୁଁ ପଡ଼ିରହିଲା ଶବ: ମାନବିକତା ଦେଖାଇଲେ ସାମ୍ବାଦିକ ଓ ଆଇନଜୀବୀ

ତେଲକୋଇ : ଜାତିପ୍ରଥାକୁ ନେଇ ୨୪ ଘଣ୍ଟା ପଡିରହିଲା ଯୁବକଙ୍କ ମୃତଦେହ। ଦୁଇ ସାମ୍ବାଦିକଙ୍କ ସହ ଆଇନଜୀବୀଙ୍କ ସହାୟତାରେ ହେଲା ଶବ ସତ୍କାର। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ତେଲକୋଇ ଥାନା ଖୁଣ୍ଟାପଡା ପଞ୍ଚାୟତ ଦୁଲ୍ଲଭପୁର ଗ୍ରାମରେ ।

prayash

ଗ୍ରାମର କୁନୁ କିଷାନ ନାମକ ଜଣେ ଯୁବକ ଅନ୍ୟ ଏକ ଜାତିର ଝିଅ ପତି ମୁଣ୍ଡାଙ୍କୁ ବିବାହ କରିଥିଲେ। ଯାହାକୁ ନେଇ କିଷାନ ସମାଜ କୁନୁଙ୍କ ସଭ୍ୟ ପଦ ରଦ୍ଦ କରିଦେଇଥିଲେ । କୌଣସି କାରଣରୁ ୪ ମାସ ହେବ କୁନୁଙ୍କ ଦେହ ଅସୁସ୍ଥ ହୋଇଯାଇଥିଲା। ତାଙ୍କୁ ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପରେ ମଧ୍ୟ ତାଙ୍କ ଦେହ ଭଲ ନହେବାରୁ ସ୍ତ୍ରୀ ପତି କଟକ ବଡ ମେଡିକାଲ ନେଇଯାଇଥିଲେ। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁ ପରେ ସ୍ୱାମୀର ମୃତଦେହକୁ ଧରି ସ୍ତ୍ରୀ ପତି ମୁଣ୍ଡା ଗାଁକୁ ଫେରିଥିଲେ। ହେଲେ ଜାତି ପ୍ରଥା ବିବାଦରୁ ଜାତିଭାଇମାନେ ମୃତଦେହକୁ ଛୁଇଁ ନଥିଲେ। ଫଳରେ ଦୀର୍ଘ ୨୪ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ହେବ ମୃତଦେହ ଘରେ ପଡ଼ି ରହିଥିଲା । ଖବରପାଇ ସାଂସଦ ପ୍ରତିନିଧି ତଥା ସାମ୍ବାଦିକ କୈଳାସ ଚନ୍ଦ୍ର ପ୍ରଧାନ ଓ ସାମ୍ବାଦିକ ବିକ୍ରମ କେଶରୀ ଚୌହାନଙ୍କ ସହ ଜଣେ ଆଇନଜୀବୀ ଜମ୍ବେଶ୍ବର ପ୍ରଧାନ ମଙ୍ଗଳବାର ଘଟଣା ସ୍ଥଳରେ ପହଞ୍ଚିଥିଲେ । ଶବକୁ କାନ୍ଧରେ ବୋହିନେଇ ସତ୍କାର କରିଥିଲେ । ସାମ୍ବାଦିକ ଏବଂ ଆଇନଜୀବୀଙ୍କ ଏପରି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

Comments are closed.