୧୮୫୨୧ କନିଷ୍ଠ ଶିକ୍ଷକ ହେଲେ ନିୟମିତ

0

ଭୁବନେଶ୍ୱର:ଶିକ୍ଷକମାନଙ୍କ ପାଇଁ ରାଜ୍ୟ ସରକାର ଏବେ ଉଦାର ମନୋଭାବ ପୋଷଣ କରୁଛନ୍ତି। ଦୀର୍ଘଦିନ ଧରି ଦାବି ଆନ୍ଦୋଳନ କରି ସରକାରଙ୍କୁ ନାକେଦମ କରୁଥିବା ବ୍ଲକଗ୍ରାଣ୍ଟ ଶିକ୍ଷକଙ୍କୁ କ୍ୟାବିନେଟ୍‍ ବୈଠକରେ ଗ୍ରାଣ୍ଟ ଇନ୍‍ଏଡ୍‍କୁ ମୋହର ଲଗାଇ ପ୍ରାୟ ୫୦ହଜାର ଶିକ୍ଷକଙ୍କୁ ଆଶ୍ୱସ୍ତି ଦେଇଥିବାବେଳେ ଶୁକ୍ରବାର ୨୪୮୪୩ଟି ନିୟମିତ ସହ ଶିକ୍ଷକ ପଦ ସୃଷ୍ଟି କରିଛନ୍ତି। ଏହି ପଦରେ ପୂର୍ବରୁ କାର୍ଯ୍ୟରତ ୧୮ହଜାର ୫୨୧ଜଣ କନିଷ୍ଠ ତଥା ଶିକ୍ଷା ସହାୟକଙ୍କୁ ସହଶିକ୍ଷକକୁ ପଦୋନ୍ନତି ଦେଇ ଚାକିରି ନିୟମିତ କରିଛନ୍ତି। ଏଣିକି ଉକ୍ତ ଶିକ୍ଷକମାନେ ଶ୍ରେଣୀ-୫ ଅନ୍ତର୍ଭୁକ୍ତ ହୋଇପାରିବେ। ଅବଶିଷ୍ଟ ୬୩୨୨ଖାଲି ପଦରେ ପର୍ଯ୍ୟାୟକ୍ରମେ ଶିକ୍ଷକମାନଙ୍କ ନିୟମିତ କରାଯିବ। ରାଜ୍ୟ ସରକାର ଏନେଇ ଚଳିତମାସ ୨୩ତାରିଖରେ ଚୂଡାନ୍ତ ନିଷ୍ପତ୍ତି ନେଇଛନ୍ତି ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଶାସନ ସଚିବ ବିଶ୍ୱନାଥ ପ୍ରଧାନ ପ୍ରାଥମିକ ଶିକ୍ଷା ନିର୍ଦେଶକଙ୍କୁ ପତ୍ର ଲେଖି ଅବଗତ କରାଇଛନ୍ତି।
ଶ୍ରୀ ପ୍ରଧାନ ଦର୍ଶାଇଛନ୍ତି ଯେ ରାଜ୍ୟର ୩୦ଟି ଜିଲାରେ କାର୍ଯ୍ୟରତ ଥିବା ୧୮ହଜାର ୫୨୧ଜଣ ସହ ଶିକ୍ଷକଙ୍କୁ ପଦ ସୃଷ୍ଟି କରାଯିବା ସହିତ ସେମାନଙ୍କୁ ସରକାର ଶ୍ରେଣୀ-୫କୁ ନେଇଛନ୍ତି। ଏଣିକି ଶିକ୍ଷକମାନେ ସହଶିକ୍ଷକ ଭାବେ ଗଣାଯିବେ। ସଂପୃକ୍ତ ଜିଲା ଶିକ୍ଷା ଅଧିକାରୀମାନେ ସଂପୃକ୍ତ ଶିକ୍ଷକମାନଙ୍କୁ ନିୟମିତ କରି ସରକାରଙ୍କୁ ଅବଗତ କରାଇବା ପାଇଁ ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି। ବିଭାଗର ସୂଚନା ଅନୁଯାୟୀ ଗଞ୍ଜାମ ଜିଲାରେ ସର୍ବାଧିକ ୨୧୯୩ଜଣ ଶିକ୍ଷକ ନିୟମିତ ହୋଇଥିବାବେଳେ ସୁବର୍ଣ୍ଣପୁର ଓ ଦେବଗଡ଼ରେ ସର୍ବନିମ୍ନ ୧୬୫ଜଣ ଲେଖାଏଁ ଶିକ୍ଷକ ନିୟମିତ ହୋଇଛନ୍ତି।
ସେହିପରି ଅନୁଗୋଳରେ ୫୭୬ଜଣ ଶିକ୍ଷକ ନିୟମିତ ହୋଇଥିବାବେଳେ ବରଗଡ଼ରେ ୧୪୩୭, ବଲାଙ୍ଗିରରେ ୯୧୦, ବାଲେଶ୍ୱରରେ ୯୦୫, ଭଦ୍ରକରେ ୭୬୮, ବୌଦ୍ଧ ୨୯୧, କଟକ ୬୦୮, ଢ଼େଙ୍କାନାଳ ୪୨୫, ଗଜପତି ୫୮୩, ଜଗତସିଂହପୁର ୩୯୫, ଯାଜପୁର ୮୪୯, ଝାରସୁଗୁଡା ୨୯୮, କଳାହାଣ୍ଡି ୬୩୦, କନ୍ଧମାଳ ୫୫୫, ଖୋର୍ଦ୍ଧା ୫୫୦, କେନ୍ଦୁଝର ୧୦୪୭, କେନ୍ଦ୍ରାପଡା ୪୨୦, କୋରାପୁଟ ୪୪୦, ମାଲକାନଗିରି ୩୫୨, ମୟୂରଭଞ୍ଜ ୬୩୮, ନବରଙ୍ଗପୁର ୭୫୩, ନୟାଗଡ ୩୨୭, ନୂଆପଡା ୨୭୯, ପୁରୀ ୩୦୬, ରାୟଗଡା ୬୪୫, ସମ୍ବଲପୁର ୪୫୩, ସୁନ୍ଦରଗଡ଼ରେ ୫୫୮ଜଣ ଶିକ୍ଷକ ନିୟମିତ ହୋଇଛନ୍ତି। ଏହାକୁ ନେଇ ଓଇଷ୍ଟା ଶିକ୍ଷକ ସଂଘ ସଭାପତି ଯୁଧିଷ୍ଠିର ସାହୁ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

Leave A Reply