ତାମିଲନାଡୁ ସରକାର, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଏନ୍ଜିଟି ନୋଟିସ୍
ନୂଆଦିଲ୍ଲୀ : ତାମିଲନାଡୁର ଟୁଥୁକୁଡିସ୍ଥିତ ଷ୍ଟେରଲାଇଟ୍ ତମ୍ବା କାରଖାନା ବନ୍ଦ ପରିପ୍ରେକ୍ଷୀରେ ଜାତୀୟ ହରିତ୍ ପ୍ରାଧିକରଣ(ଏନ୍ଜିଟି) ଗୁରୁବାର ରାଜ୍ୟ ସରକାର ଏବଂ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ନୋଟିସ ଜାରି କରିଛନ୍ତି। ଏହି କାରଖାନା ବନ୍ଦ ନିଷ୍ପତ୍ତି ବିରୋଧରେ ବେଦାନ୍ତ କମ୍ପାନୀ ପକ୍ଷରୁ ହୋଇଥିବା ଆବେଦନର ଶୁଣାଣି କରି ଏନ୍ଜିଟିର ଜାତୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ତଥା ବିଚାରପତି ଜାଭେଦ୍ ରହିମ ଜୁଲାଇ ୧୮ ମଧ୍ୟରେ ଜବାବ୍ ଦାଖଲ କରିବାକୁ ରାଜ୍ୟ ସରକାର ଏବଂ ବୋର୍ଡକୁ ନିର୍ଦେଶ ଦେଇଛନ୍ତି। ବେଦାନ୍ତ ପକ୍ଷରୁ ହୋଇଥିବା ଏହି ଆବେଦନର ଯଥାର୍ଥତା ସମ୍ବନ୍ଧୀୟ ପ୍ରଶ୍ନ ଉପରେ ଏକ ସତ୍ୟପାଠ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ଏନ୍ଜିଟି ଅନୁମତି ପ୍ରଦାନ କରିଛନ୍ତି। କାରଖାନା ଚଳାଇବା ନେଇ ଏହାର ଲାଇସେନ୍ସ ପୁନଃନବୀକରଣ ନ କରାଇବା ତଥା କାରଖାନା ବନ୍ଦ କରିବା ଳାଗି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନିଷ୍ପତ୍ତିକୁ ବେଆଇନ ବୋଲି ଦର୍ଶାଇ ବେଦାନ୍ତ ଏନ୍ଜିଟିଙ୍କ ଆଶ୍ରୟ ନେଇଥିଲା। କାରଖାନା ବନ୍ଦ ନିର୍ଦେଶ ଉପରେ ଅନ୍ତରୀଣ ରହିତାଦେଶ ଜାରି କରିବାକୁ କମ୍ପାନୀ ପକ୍ଷରୁ ନିବେଦନ କରାଯାଇଥିଲା। ଏଥିସହ କାରଖାନାର ଜରୁରୀକାଳୀନ ବ୍ୟବସ୍ଥା କାର୍ଯ୍ୟକ୍ଷମ କରାଇବା ନିମନ୍ତେ ସର୍ବନିମ୍ନ ବିଦ୍ୟୁତ୍, ଜଳ ଏବଂ ମାନବ ସମ୍ବଳ ଯୋଗାଇଦେବାକୁ ପ୍ରଦୂଷଣ ବୋର୍ଡକୁ ନିର୍ଦେଶ ଦେବାକୁ ମଧ୍ୟ ବେଦାନ୍ତ ଏହାର ଆବେଦନରେ ଦର୍ଶାଇଥିଲା। ଏହି କାରଖାନା ଯୋଗୁ ଟୁଥୁକୁଡି ଅଞ୍ଚଳରେ ବାୟୁ ଏବଂ ଜଳ ପ୍ରଦୂଷଣ ସୃଷ୍ଟି ହୋଇ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଉଥିବା ଅଭିଯୋଗ କରି ଏଠାକାର ପରିବେଶ କର୍ମୀମାନେ ଏହାକୁ ବନ୍ଦ କରିବା ଦାବିରେ ଦୁଇ ଦଶନ୍ଧି ଧରି ଆନ୍ଦୋଳନ କରିଆସୁଥିଲେ। ଫେବୃଆରୀରେ ଏହି ଆନ୍ଦୋଳନ ବିକ୍ଷୋଭର ରୂପ ନେଇଥିଲା। ୧୩ ଜଣ ବିକ୍ଷୋଭକାରୀ ପୁଲିସ ଗୁଳିରେ ପ୍ରାଣ ହରାଇଥିଲେ। ଫଳରେ ପରିସ୍ଥିତିକୁ ଦୃଷ୍ଟିରେ ରଖି କାରଖାନାଟିକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।