BJD Bijuli 480×75 Mob

ତାମିଲନାଡୁ ମୁଖ୍ୟମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀଙ୍କ ଅନଶନ

BJD Bijuli 480×75 Mob
0

ଚେନ୍ନଇ : ସୁପ୍ରିମକୋର୍ଟଙ୍କ ନିର୍ଦେଶ ସତ୍ତ୍ୱେ କେନ୍ଦ୍ର ସରକାର ଏପର୍ଯ୍ୟନ୍ତ କାବେରୀ ପରିଚାଳନା ବୋର୍ଡ ଗଠନ ପ୍ରକ୍ରିୟାରେ କାଳକ୍ଷେପଣ ନୀତି ଅବଲମ୍ବନ କରୁଥିବା ପ୍ରତିବାଦରେ ତାମିଲନାଡୁରେ କ୍ଷମତାସୀନ ଏଆଇଏଡିଏମକେ ଦଳର ନେତା ତଥା ମୁଖ୍ୟମନ୍ତ୍ରୀ ଇ.ପାଲାନିସ୍ୱାମୀ ଓ ଉପ ମୁଖ୍ୟମନ୍ତ୍ରୀ ଓ.ପନିରସେଲଭାମ ମଙ୍ଗଳବାର ଅନଶନରେ ବସିଛନ୍ତି।
ଚଳିତବର୍ଷ ଫେବୃଆରୀ ୧୬ରେ କାବେରୀ ଜଳ ବିବାଦ ମାମଲାରେ ସୁପ୍ରିମକୋର୍ଟ ତାଙ୍କର ଚୂଡାନ୍ତ ରାୟରେ କର୍ଣ୍ଣାଟକକୁ ଅଧିକ ୧୪.୭୫ ସହସ୍ର ନିୟୁତ ଘନଫୁଟ ପାଣି ଦେବା ସହିତ ୬ ସପ୍ତାହ ମଧ୍ୟରେ କାବେରୀ ପରିଚାଳନା ବୋର୍ଡ ଗଠନ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଥିଲେ। ମାର୍ଚ୍ଚ ୨୯ରେ ଏହି ସମୟସୀମା ଶେଷ ହୋଇଥିବାବେଳେ ତାମିଲନାଡୁ ସରକାର ଇତିମଧ୍ୟରେ ସୁପ୍ରିମକୋର୍ଟରେ କେନ୍ଦ୍ର ସରକାରଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ କରିସାରିଛନ୍ତି। ଏହାର ଶୁଣାଣି ଆସନ୍ତା ୯ରେ ଅନୁଷ୍ଠିତ ହେବ। କେନ୍ଦ୍ର ସରକାର ମଧ୍ୟ ଏକ ସତ୍ୟପାଠ ଜରିଆରେ ବୋର୍ଡ ଗଠନ ପାଇଁ ତିନି ମାସ ସମୟ ଲୋଡିଛନ୍ତି। ସୁପ୍ରିମକୋର୍ଟଙ୍କ ରାୟରେ ତାମିଲନାଡୁ ଅପେକ୍ଷାକୃତ କ୍ଷତିର ସମ୍ମୁଖୀନ ହୋଇଥିବାବେଳେ ଏହାକୁ ନେଇ ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏଆଇଏଡିଏମେ ସମେତ ଅନ୍ୟ ବିରୋଧୀ ଦଳଗୁଡିକ ଏହି ପ୍ରସଙ୍ଗରେ ଏକଜୁଟ ହୋଇଛନ୍ତି। ଆସନ୍ତା ୫ରେ ଡିଏମକେ ପକ୍ଷରୁ ତାମିଲନାଡୁ ବନ୍ଦ ଡକରା ଦିଆଯାଇଛି।
ବିରୋଧୀ ଡିଏମକେ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷୋଭ ଜାରି ରହିଛି। ଦଳୀୟ କର୍ମୀମାନେ ମଙ୍ଗଳବାର ବିଭିନ୍ନ ସ୍ଥାନରେ ରାସ୍ତା ଓ ରେଳରୋକ କରିଥିବାବେଳେ ମଙ୍ଗଳବାର ରାଜ୍ୟର ୨୧ ଲକ୍ଷ ଦୋକାନ ବନ୍ଦ ରହିଥିଲା। ବିକ୍ଷୋଭରେ ଏଆଇଟିୟୁସି, ସିଆଇଟିୟୁ, ଏଲ୍‌ପିଏଫ୍‌ ଓ ଆଇଏନଟିୟୁସି ଭଳି ଏକାଧିକ ଶ୍ରମିକ ସଂଗଠନ ଭାଗ ନେଇଥିବା ଜଣାପଡିଛି।

Leave A Reply