ବିଜେପି ନେତା ତେଜିନ୍ଦର ବାଗ୍ଗାଙ୍କ ଗିରଫ ନାଟକ : ତିନି ରାଜ୍ୟ ପୁଲିସ ମୁହାଁମୁହିଁ

ହାଇକୋର୍ଟଙ୍କ ହସ୍ତକ୍ଷେପ : ଦିଲ୍ଲୀ ଫେରିଲେ ବାଗ୍ଗା

ନୂଆଦିଲ୍ଲୀ : ଦିଲ୍ଲୀ ବିଜେପି ନେତା ତେଜିନ୍ଦର ପାଲ ସିଂହ ବାଗ୍ଗାଙ୍କ ଗିରଫକୁ ନେଇ ବଡ ନାଟକ ଦେଖିବାକୁ ମିଳିଛି। ଏପରି କି ବାଗ୍ଗାଙ୍କ ଗିରଫକୁ ଦେଇ ପଞ୍ଜାବ, ହରିୟାଣା ଓ ଦିଲ୍ଲୀ ପୁଲିସ ମୁହାଁମୁହିଁ ହୋଇଛନ୍ତି । ଶେଷରେ ଏହି ପ୍ରସଙ୍ଗରେ ପଞ୍ଜାବ-ହରିୟାଣା ହାଇକୋର୍ଟ ହସ୍ତକ୍ଷେପ କରିବା ପର୍ଯ୍ୟନ୍ତ କଥା ଯାଇଥିଲା। ହାଇକୋର୍ଟଙ୍କ ନିର୍ଦେଶ ପରେ ବାଗ୍ଗାଙ୍କୁ ଦିଲ୍ଲୀ ଫେରାଇ ଅଣାଯାଇଛି। ଆଉ ମଧ୍ୟ ଏହି ଘଟଣାକୁ ନେଇ ଆପ୍‌-ବିଜେପି ମଧ୍ୟରେ ବୟାନବାଜି ଜୋର ଧରିଛି। ଏହି ରାଜନୈତିକ ବୟାନବାଜିରେ ଶିରୋମଣି ଅକାଳୀ ଦଳ ମଧ୍ୟ ସାମିଲ ହୋଇଛି ।
ଘଟଣାକ୍ରମ ଅନୁଯାୟୀ ଶୁକ୍ରବାର ସକାଳେ ପଞ୍ଜାବ ପୁଲିସ ବାଗ୍ଗାଙ୍କୁ ଦିଲ୍ଲୀର ଜନକପୁରୀସ୍ଥିତ ବାସଭବନରୁ ଗିରଫ କରିଥିଲା। ଆମ୍ ଆଦମୀ ପାର୍ଟି (ଆପ୍‌)ର ଜଣେ ଦୃଢ ବିରୋଧୀ ଭାବେ ଜଣା ବାଗ୍ଗା ଦଳର ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କ ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ବିଭିନ୍ନ ପ୍ରକାର ସମାଲୋଚନା କରିଥାନ୍ତି। ତେବେ ବାଗ୍ଗାଙ୍କ ବିରୋଧରେ ପଞ୍ଜାବର ମୋହାଲି ଜିଲାରେ ଏକ ମାମଲା ରୁଜୁ ହୋଇଥିଲା। ଉତ୍ତେଜନାପୂର୍ଣ୍ଣ ଭାଷଣ ଦେବା, ଧାର୍ମିକ ବିଭେଦ ସୃଷ୍ଟି କରିବା, ଫୌଜଦାରୀ ଷଡଯନ୍ତ୍ର ଭଳି ଅଭିଯୋଗ କରାଯାଇ ବାଗ୍ଗାଙ୍କ ବିରୋଧରେ ଏହି ମାମଲା ରୁଜୁ ହୋଇଥିଲା। ଏହି ମାମଲା ଆଧାରରେ ପଞ୍ଜାବ ପୁଲିସ ଶୁକ୍ରବାର ସକାଳେ ଗିରଫ କରିଥିଲା। ଗରିଫ ପରେ ପୁଲିସ ତାଙ୍କୁ ପଞ୍ଜାବ ଆଣିଥିଲା। ବାଗ୍ଗାଙ୍କୁ ପଞ୍ଜାବ ଆଣିବା ବାଟରେ ପଞ୍ଜାବ ପୁଲିସକୁ ହରିୟାଣା ପୁଲିସ ପିଛା କରିଥିଲା। କୁରୁକ୍ଷେତ୍ର ଥାନା ନିକଟରେ ପଞ୍ଜାବ ପୁଲିସ ଗାଡିକୁ ହରିୟାଣା ପୁଲିସ ଅଟକାଇଥିଲା। ଏହି ସମୟରେ ଦିଲ୍ଲୀ ପୁଲିସ ମଧ୍ୟ ସେଠାରେ ପହଞ୍ଚିଥିଲା। ଏଠାରେ ତିନି ରାଜ୍ୟ ପୁଲିସ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଦିଲ୍ଲୀ ପୁଲିସ କହିଥିଲା ଯେ ବାଗ୍ଗାଙ୍କୁ ଗିରଫ ସମ୍ପର୍କରେ ତାଙ୍କୁ ପୂର୍ବରୁ ସୂଚନା ଦିଆଯାଇ ନଥିଲା। ଏହାକୁ ନେଇ ପଞ୍ଜାବ ପୁଲିସ ବିରୋଧରେ ଦିଲ୍ଲୀ ପୁଲିସ ଅପହରଣ ମାମଲା ରୁଜୁ କରିଛି। ସେପଟେ ଦିଲ୍ଲୀ ପୁଲିସର ଅଭିଯୋଗକୁ ପଞ୍ଜାବ ପୁଲିସ ଖଣ୍ଡନ କରିଛି। ବାଗ୍ଗାଙ୍କୁ ଅପହରଣ କରାଯାଉଥିବା ଜାଣିବା ପରେ ହରିୟାଣା ପୁଲିସ ଏଥିରେ ହସ୍ତକ୍ଷେପ ପୂର୍ବକ ପଞ୍ଜାବ ପୁଲିସକୁ ରୋକିଥିଲା। ତିନି ରାଜ୍ୟ ପୁଲିସ ମଧ୍ୟରେ ଯୁକ୍ତିତର୍କ ଭିତରେ ବାଗ୍ଗାଙ୍କୁ ଦିଲ୍ଲୀ ପୁଲିସ ନିଜ ହେପାଜତକୁ ନେଇଥିଲା। ଏହାକୁ ବିରୋଧ କରି ପଞ୍ଜାବ ପୁଲିସ ପଞ୍ଜାବ-ହରିୟାଣା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। ହାଇକୋର୍ଟ ପଞ୍ଜାବ ପୁଲିସର ନିବେଦନକୁ ଅଗ୍ରାହ୍ୟ ପୂର୍ବକ ବାଗ୍ଗାଙ୍କୁ ଦିଲ୍ଲୀ ଫେରାଇ ନେବାକୁ ନିର୍ଦେଶ ଦେଇଛନ୍ତି। ବାଗ୍ଗାଙ୍କୁ ହରିୟାଣାରେ ରଖିବା ଲାଗି ପଞ୍ଜାବ ପୁଲିସ ନିବେଦନ କରିଥିଲା। ବାଗ୍ଗାଙ୍କୁ ଦିଲ୍ଲୀ ପୁଲିସ ଅଦାଲତରେ ହାଜର କରିଛି। ଶନିବାର ତାଙ୍କ ସମ୍ପର୍କରେ ଶୁଣାଣି ହେବ। ସେହିପରି ବାଗ୍ଗାଙ୍କ ଗିରଫ ଘଟଣାରେ ହରିୟାଣା ପୁଲିସର ହସ୍ତକ୍ଷେପକୁ ନେଇ ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ରିପୋର୍ଟ ମାଗିଛନ୍ତି। ବାଗ୍ଗାଙ୍କ ପିତା ପ୍ରୀତପାଲ ଅଭିଯୋଗ କରିଛନ୍ତି ଯେ ପଞ୍ଜାବ ପୁଲିସ ତାଙ୍କ ପୁଅକୁ ବିନା ନୋଟିସରେ ଉଠାଇ ନେଇଥିଲା।
ବାଗ୍ଗାଙ୍କ ଗିରଫକୁ ନେଇ ଦେଶରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି। ଏହି ଘଟଣାକୁ ନେଇ ବିଜେପି ଦିଲ୍ଲୀସ୍ଥିତ ଆପ୍ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛି। ଦିଲ୍ଲୀ ବିଜେପି ସଭାପତି ଆଦେଶ ଗୁପ୍ତା କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ପଞ୍ଜାବ ପୁଲିସର ଅପବ୍ୟବହାର କରିଛନ୍ତି। ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କହିଛନ୍ତି ଯେ ବାଗ୍ଗାଙ୍କ ଗିରଫ କ୍ଷେତ୍ରରେ ପଞ୍ଜାବ ପୁଲିସ ଉପଯୁକ୍ତ ପ୍ରକ୍ରିୟା ଅବଲମ୍ବନ କରି ନଥିଲା। ସେ କହିଛନ୍ତି ଯେ ଏପରି ରାଜନୈତିକ ଶତ୍ରୁତା ବଢି ଚାଲିଲେ ଆଗକୁ ବଡ ସମସ୍ୟା ଦେଖାଯିବ। ଆପ୍‌ ନେତା ଅତିସି କହିଛନ୍ତି ଯେ ଗୁଣ୍ଡାଙ୍କୁ ସୁରକ୍ଷା ଦେବା ଲାଗି ଦିଲ୍ଲୀ ପୁଲିସ ପଞ୍ଜାବ ପୁଲିସକୁ ପଣବନ୍ଦୀ କରିଥିଲା। ତେଜିନ୍ଦର ବାଗ୍ଗା ପଞ୍ଜାବରେ ହିଂସାକୁ ଉସୁକାଇବା ଲାଗି ଉଦ୍ୟମ କରିଥିଲେ। ତାଙ୍କୁ ପଞ୍ଜାବ ପୁଲିସ ୫ଥର ସମନ ଜାରି କରିଥିବାବେଳେ ସେ ତଦନ୍ତ ନିମନ୍ତେ ହାଜର​‌ ହୋଇ ନଥିଲେ। ଅମିତ ଶାହାଙ୍କ ଦିଲ୍ଲୀ ପୁଲିସ ଏହି ଗୁଣ୍ଡାକୁ ସୁରକ୍ଷା ଦେବା ଲାଗି ପଞ୍ଜାବ ପୁଲିସର କାର୍ଯ୍ୟରେ ହସ୍ତକ୍ଷେପ କରିଛି। ଅତିସି କହିଛନ୍ତି ବିଜେପି, ହରିୟାଣା ପୁଲିସ ଓ ଦିଲ୍ଲୀ ପୁଲିସର କାର୍ଯ୍ୟ ଏବେ ବିଜେପିର ଅସଲ ମୁଖା ଖୋଲିଦେଇଛି। ସେହିପରି ଶିରୋମଣି ଅକାଳୀ ଦଳ ମୁଖ୍ୟ ସୁଖବୀର ସିଂହ ବାଦଲ କହିଛନ୍ତି ଯେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବତ୍ ମାନ୍ ଆପ୍ ଆବାହକ କେଜରିୱାଲଙ୍କ ବ୍ୟକ୍ତିଗତ ଆକ୍ରୋଶର ପ୍ରତିଶୋଧ ନେବା ଲାଗି ପଞ୍ଜାବ ପୁଲିସକୁ ବ୍ୟବହାର କରୁଛନ୍ତି।

kalyan agarbati

Comments are closed.