ଆଡିଲେଡ୍: ଅଷ୍ଟ୍ରେଲିଆରେ ଚାଲିଥିବା ଆଇସିସି ଟ୍ବେଣ୍ଟି୨୦ ବିଶ୍ବକପ ଅଷ୍ଟମ ସଂସ୍କରଣ ଗ୍ରୁପ-୨ ର ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚ ବୁଧବାର ଭାରତ ଓ ବାଂଲାଦେଶ ମଧ୍ୟରେ ଆଡିଲେଡ୍ରେ ଖେଳାଯିବ। ଉଭୟ ଦଳ ସମାନ ସଂଖ୍ୟକ ମ୍ୟାଚରୁ ସମାନ ପଏଣ୍ଟ ହାସଲ କରିଥିବାରୁ ନକ୍ଆଉଟ୍କୁ ଉନ୍ନୀତ ହେବା ନେଇ ଉକ୍ତ ମ୍ୟାଚ ଗୁରୁତ୍ବ ବହନ କରୁଛି।ରୋହିତ ଶର୍ମାଙ୍କ ନେତୃତ୍ବାଧିନ ଭାରତୀୟ ଦଳ ୩ଟି ମ୍ୟାଚରୁ ୨ଟି ବିଜୟ ଓ ଗୋଟିଏ ପରାଜୟ ସହ ୪ ପଏଣ୍ଟ ପାଇ ଗ୍ରୁପ-୨ ର ଦ୍ବିତୀୟ ସ୍ଥାନରେ ରହିଛି। ଦଳ ପ୍ରଥମ ମ୍ୟାଚରେ ପାକିସ୍ତାନ ବିପକ୍ଷରେ ୪ ୱିକେଟରେ ଅପ୍ରତ୍ୟାଶିତ ବିଜୟ ହାସଲ କରିଥିବାବେଳେ ଦ୍ବିତୀୟ ମ୍ୟାଚରେ ନେଦରଲାଣ୍ଡ୍ସକୁ ୫୬ରନରେ ସହଜରେ ପରାସ୍ତ କରିଥିଲା। ୩ୟ ମ୍ୟାଚରେ ଦକ୍ଷିଣ ଆଫ୍ରିକା ନିକଟରୁ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ୫ ୱିକେଟରେ ପରାସ୍ତ ହୋଇଥିଲା। ବ୍ୟାଟିଂରେ ଓପନର ଲୋକେଶ ରାହୁଲ ୩ଟି ମ୍ୟାଚରୁ ୪,୯ ଓ ୯ ସହ ୨୨ରନ କରିଛନ୍ତି। ଅନ୍ୟତମ ଓପନର ରୋହିତ ଶର୍ମା ପାକିସ୍ତାନ ବିପକ୍ଷରେ ୪ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୫ରନ କରିଥିବା ବେଳେ ନେଦରଲାଣ୍ଡ୍ସ ବିପକ୍ଷରେ ୫୩ରନ କରିଥିଲେ। ରାହୁଲ ୩ଟି ଯାକ ମ୍ୟାଚରେ ବିଫଳ ହୋଇଥିବା ବେଳେ ରୋହିତ ପୂର୍ଣ୍ଣ ଲୟରେ ନାହାନ୍ତି। ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲି ପାକିସ୍ତାନ ବିପକ୍ଷରେ ୮୨ ଓ ନେଦରଲାଣ୍ଡ୍ସ ବିପକ୍ଷରେ ୬୨ରନ କରିଥିବା ବେଳେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୨ରନ କରି ଆଉଟ୍ ହୋଇଥିଲେ। ସୂର୍ଯ୍ୟକୁମାର ଯାଦବ ପାକିସ୍ତାନ ବିପକ୍ଷରେ ୧୫ରନ କରିଥିବା ବେଳେ ନେଦରଲାଣ୍ଡସ ସହିତ ୫୧ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଲଢୁଆ ୬୮ରନ କରିଥିଲେ। ହାର୍ଦିକ ପାଣ୍ଡ୍ୟା ନିଜ ଦାୟିତ୍ବକୁ ପାକିସ୍ତାନ ବିପକ୍ଷରେ ସଠିକ ଭାବେ ତୁଲାଇଥିବାବେଳେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ବିଫଳ ହୋଇଥିଲେ। ଅନ୍ୟପକ୍ଷରେ ୱିକେଟ ରକ୍ଷକ ଦିନେଶ କାର୍ତ୍ତିକ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। କାର୍ତ୍ତିକ ପାକିସ୍ତାନ ବିପକ୍ଷରେ ୧ ଓ ଦକ୍ଷିଣ ଆଫ୍ରିକା ସହିତ ମାତ୍ର ୬ରନ କରିଥିଲେ। ବାଂଲାଦେଶ ବିପକ୍ଷରେ କାର୍ତ୍ତିକଙ୍କ ସ୍ଥାନରେ ଋଷଭ ପନ୍ତ୍ ଖେଳିବା ଯଥେଷ୍ଟ ସମ୍ଭାବନା ରହିଛି। ରାହୁଲ ଖରାପ ଫର୍ମରେ ଥିଲେ ମଧ୍ୟ ବାଂଲାଦେଶ ବିପକ୍ଷ ମ୍ୟାଚରେ ବାଦ୍ ପଡିବାର ସମ୍ଭାବନା ନାହିଁ।
ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିଥିବା ଦୀପକ ହୁଡାଙ୍କ ସ୍ଥାନରେ ଅକ୍ଷର ପଟେଲ ଦଳକୁ ଫେରିବାର ସମ୍ଭାବନା ରହିଛି। ଅକ୍ଷର ପାକିସ୍ତାନ ବିପକ୍ଷରେ ଗୋଟିଏ ଓଭର ବୋଲିଂ କରି ୨୧ରନ ଦେଇଥିବାବେଳେ ନେଦରଲାଣ୍ଡ୍ସ ବିପକ୍ଷରେ ୨ଟି ୱିକେଟ ନେଇଥିଲେ। ଦକ୍ଷିଣ ଆଫ୍ରିକା ବିପକ୍ଷରେ ମ୍ୟାଚ ଖେଳିନଥିଲେ। ବୋଲିଂରେ ଅର୍ଶଦୀପ୍ ସିଂହ ୩ଟି ମ୍ୟାଚରୁ ୭ଟି ୱିକେଟ ନେଇଥିବାବେଳେ ଭୁବନେଶ୍ବର କୁମାର ୩ଟି, ମହମ୍ମଦ ସାମି ୩ଟି ୱିକେଟ ନେଇଛନ୍ତି। ଦ୍ରୁତ ବୋଲିଂ ବିଭାଗରେ ଭାରତର ସେଭଳି ପରିବର୍ତ୍ତନର ସମ୍ଭାବନା ନାହିଁ। ଅନ୍ୟପକ୍ଷରେ ସ୍ପିନକୁ ନେଇ ଭାରତର ଚିନ୍ତା ଘାରିଛି। ରବିଚନ୍ଦ୍ରନ ଅଶ୍ବିନ ୩ଟି ମ୍ୟାଚରୁ ୩ଟି ୱିକେଟ ନେଇଥିଲେ ମଧ୍ୟ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି। ତଥାପି ତାଙ୍କୁ ବାଂଲାଦେଶ ବିପକ୍ଷ ମ୍ୟାଚରେ ଖେଳିବାର ସମ୍ଭାବନା ରହିଛି। ଯୁଜୁବେନ୍ଦ୍ର ଚହଲ ଅନ୍ୟତମ ସ୍ପିନର ରହିଥିଲେ ମଧ୍ୟ ଅଶ୍ବିନଙ୍କୁ ଆଉ ଏକ ସୁଯୋଗ ମିଳିବାର ଆଶା କରାଯାଉଛି। ଦଳ ବାଂଲାଦେଶ ବିପକ୍ଷରେ ମ୍ୟାଚ ଜିତି ସେମିଫାଇନାଲ ରାସ୍ତା ପକ୍କା କରିବା ଲକ୍ଷ୍ୟ ନେଇ ଖେଳିବ। ଅନ୍ୟପକ୍ଷରେ ସାକିବ୍ ଅଲ୍ ହାସନଙ୍କ ନେତୃତ୍ବାଧିନ ବାଂଲାଦେଶ ୩ଟି ମ୍ୟାଚରୁ ୨ଟି ବିଜୟ ଓ ଗୋଟିଏ ପରାଜୟ ସହ ୪ ପଏଣ୍ଟ ପାଇ ଟେବୁଲର ୩ୟ ସ୍ଥାନରେ ରହିଛି। ଦଳ ନେଦରଲାଣ୍ଡ୍ସକୁ ୯ରନରେ ଓ ଜିମ୍ବାୱେକୁ ୩ରନରେ ପରାସ୍ତ କରିଥିବାବେଳେ ଦକ୍ଷିଣ ଆଫ୍ରିକା ନିକଟରୁ ୧୦୪ରନରେ ପରାଜିତ ହୋଇଛି। ବ୍ୟାଟିଂରେ ନାଜମୁଲ ହୋସେନ ସାଣ୍ଟୋ ୩ଟି ମ୍ୟାଚରୁ ୧୦୫ରନ କରିଥିବାବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଏପର୍ଯ୍ୟନ୍ତ ଭଲ ଇନିଂସ ଖେଳିବାରେ ସଫଳ ହୋଇନାହାନ୍ତି। ଅନ୍ୟମାନଙ୍କ ମଧ୍ୟରେ ଲିଟନ ଦାସ ୫୭, ସାକିବ ଅଲ୍ ହାସନ ୩୧, ସୌମ୍ୟ ସରକାର ୩୦ରନ କରିଛନ୍ତି। ବୋଲିଂରେ ତସ୍ମିନ ଅହମ୍ମଦ ୩ଟି ମ୍ୟାଚରୁ ୮ଟି ୱିକେଟ ନେଇଥିବାବେଳେ ଅନ୍ୟ କୌଣସି ବୋଲର ପ୍ରଭାବୀ ପ୍ରଦର୍ଶନ କରିପାରିନାହାନ୍ତି। ଉଭୟ ଦଳ ମଧ୍ୟେର ଖେଳାଯାଇଥିବା ଶେଷ ୫ଟି ଟ୍ବେଣ୍ଟି୨୦ ମ୍ୟାଚରୁ ଭାରତ ୪ଟି ଓ ବାଂଲାଦେଶ ଗୋଟିଏ ମ୍ୟାଚରେ ବିଜୟୀ ହୋଇଛନ୍ତି। ଉଭୟ ଦଳ ଉକ୍ତ ମ୍ୟାଚକୁ ଜିତି ସେମିଫାଇନାଲ ରାସ୍ତା ପକ୍କା କରିବାର ଲକ୍ଷ୍ୟ ରଖିଛନ୍ତି। ଅନ୍ୟପକ୍ଷରେ ଆଡିଲେଡରେ ମଙ୍ଗଳବାର ବର୍ଷା ହୋଇଥିବାରୁ ଭାରତ ଓ ବାଂଲାଦେଶ ମ୍ୟାଚ ବୁଧବାର ପ୍ରଭାବିତ ହେବାର ଆଶଙ୍କା ମଧ୍ୟ ରହିଛି।



