କର୍ଣ୍ଣାଟକ ନାଟକ: ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଆଜି
ନୂଆଦିଲ୍ଲୀ/ ବେଙ୍ଗାଲୁରୁ : କର୍ଣ୍ଣାଟକ ନାଟକର ଏକ ବଡ଼ ଦୃଶ୍ୟ ବୁଧବାର ମଞ୍ଚସ୍ଥ ହେବ। ମଙ୍ଗଳବାର ସୁପ୍ରିମକୋର୍ଟରେ ଇସ୍ତଫା ଦେଇଥିବା ୧୫ ବିଧାୟକଙ୍କ ଆବେଦନ ଉପରେ ଶୁଣାଣି ହୋଇଥିଲାବେଳେ ଏହାର ବିଚାରପତି ବୁଧବାର ସେମାନଙ୍କର ନିଷ୍ପତ୍ତି ଶୁଣାଇବେ ବୋଲି କହିଛନ୍ତି। ବୁଧବାର ସକାଳେ ଏହି ରାୟ ପ୍ରକାଶ ପାଇବ ଏବଂ ୧୫ ବିଦ୍ରୋହୀ ବିଧାୟକଙ୍କ ଇସ୍ତଫାପତ୍ର ବାଚସ୍ପତି ଗ୍ରହଣ କରିବେ କି ନାହିଁ ତାହା ସ୍ପଷ୍ଟ ହେବ। ବିଧାୟକମାନେ ସେମାନଙ୍କ ଇସ୍ତଫାପତ୍ର ଗ୍ରହଣ କରିବା ପାଇଁ ବାଚସ୍ପତିଙ୍କୁ ନିର୍ଦେଶଦେବାକୁ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗଇଙ୍କ ନେତୃତ୍ବାଧୀନ ପୀଠ ଏହି ମାମଲାରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍.ଡି କୁମାରସ୍ବାମୀ ଓ ବାଚସ୍ପତି ରମେଶ କୁମାରଙ୍କ ପକ୍ଷ ଶୁଣିଛନ୍ତି। ବୁଧବାର ସୁଦ୍ଧା ଇସ୍ତଫାପତ୍ର ପ୍ରସଙ୍ଗରେ ନିଜ ନିଷ୍ପତ୍ତି ଶୁଣାଇବେ ବୋଲି ବାଚସ୍ପତି ପୀଠକୁ ଅବଗତ କରିଛନ୍ତି। ଏହି ପୀଠରେ ଜଷ୍ଟିସ ଦୀପକ ଗୁପ୍ତା ଓ ଜଷ୍ଟିସ ଅନିରୁଦ୍ଧ ବୋଷ ସଦସ୍ୟ ଅଛନ୍ତି।
ବିଧାୟକଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ କରୁଥିବା ଆଇନଜୀବୀ ମୁକୁଲ ରୋହତଗୀ ବାଚସ୍ପତିଙ୍କୁ ବିଧାୟକଙ୍କ ଇସ୍ତଫା ଓ ଅଯୋଗ୍ୟ େଘାଷଣା ପ୍ରସଙ୍ଗରେ ସ୍ଥିତାବାସ୍ଥା ବଜାୟ ରଖିବା ପାଇଁ ଅନ୍ତରୀଣ ନିର୍ଦେଶ ଦେବାକୁ ନିବେଦନ କରିଥିଲେ। ଏତଦ୍ବ୍ୟତୀତ ଆସ୍ଥା ଭୋଟ୍ ପାଇଁ ଜାରି ହୋଇଥିବା ଦଳୀୟ ହ୍ବିପ୍ରୁ ସେମାନଙ୍କୁ ବାଦ ଦେବା ପାଇଁ ମଧ୍ୟ ଆବେଦନ କରିଥିଲେ। କୁମାରସ୍ବାମୀଙ୍କ ଓକିଲ ରାଜୀବ ଧାୱନ ଦର୍ଶାଇଥିଲେ ଯେ ଗୋଟିଏ ପ୍ରସଙ୍ଗରେ କୋର୍ଟ ଦ୍ବିତୀୟ ଅନ୍ତରୀଣ ନିର୍ଦେଶ ଦେଇପାରିବେ ନାହିଁ। ବାଚସ୍ପତିଙ୍କୁ ଏହି ମାମଲାରେ ନିର୍ଦିଷ୍ଟ ସମୟ ମଧ୍ୟରେ ନିଷ୍ପତ୍ତି ନେବାକୁ କୋର୍ଟ ନିର୍ଦେଶ ଦେଇପାରିବେ ନାହିଁ ବୋଲି ମଧ୍ୟ ସେ ଯୁକ୍ତି ଉପସ୍ଥାପନ କରିଥିଲେ। ବାଚସ୍ପତିଙ୍କ ପକ୍ଷ ରଖି ଆଇନଜୀବୀ ଅଭିଷେକ ମନୁ ସିଂହଭୀ ଦର୍ଶାଇଥିଲେ ଯେ ଆସ୍ଥା ଭୋଟ ପାଇଁ ବାଚସ୍ପତି ନିର୍ଦେଶ ଦେଇସାରିଥିବାରୁ ପୀଠ ତାଙ୍କ ଉପରେ କୌଣସି ନିର୍ଦେଶନାମା ଜାରି କରିପାରିବେ ନାହିଁ। ବାଚସ୍ପତି ଇସ୍ତଫାପତ୍ର ଉପରେ ବିଚାର କରୁଥିବା ସେ ଦର୍ଶାଇଥିଲେ। ଏଥିସହିତ ପୀଠ ସ୍ଥିତାବସ୍ଥା ଜାରି ସମ୍ପର୍କିତ ତାଙ୍କର ଅନ୍ତରୀଣ ନିର୍ଦେଶନାମା ପ୍ରତ୍ୟାହାର କରିବାକୁ ସେ ଆବେଦନ କରିଥିଲେ।
ଅପରପକ୍ଷରେ ବାଚସ୍ପତି ବେଙ୍ଗାଲୁରୁଠାରେ କହିଛନ୍ତି ଯେ ବିଧାୟକମାନଙ୍କ ଇସ୍ତଫାପତ୍ର ଗ୍ରହଣ କରିବା ପ୍ରସଙ୍ଗରେ ସେ ସାମ୍ବିଧାନିକ ବିଧିବ୍ୟବସ୍ଥା ଅନୁସାରେ କାର୍ଯ୍ୟ କରୁଛନ୍ତି। ବୁଧବାର ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ଏହାକୁ ତର୍ଜମା କରି ସେ ଆବଶ୍ୟକ ନିଷ୍ପତ୍ତି ନେବେ। ସମସ୍ତଙ୍କୁ ସେ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ବୋଲି ରମେଶ କୁମାର କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଆସ୍ଥା ଭୋଟ୍ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ କରିଛନ୍ତି ଏବଂ ଗୁରୁବାର ବିଧାନସଭାରେ ଏଥିପାଇଁ ସମୟ ଧାର୍ଯ୍ୟ କରାଯାଇଛି। ଏଭଳି ପରିସ୍ଥିତିରେ କଂଗ୍ରେସ ଏହାର ବିଧାୟକମାନଙ୍କୁ ମଙ୍ଗଳବାର ଏକ ରିସର୍ଟେର ନେଇ ରଖିଛି। ବିଜେପି ଓ ଜେଡି(ଏସ୍) ମଧ୍ୟ ଏହାର ବିଧାୟକମାନଙ୍କୁ ରିସର୍ଟରେ ରଖିଛି। ଆସ୍ଥା ଭୋଟ୍ରେ ବିଧାନ ପରିଷଦର ମନୋନୀତ ସଦସ୍ୟମାନଙ୍କର ମତଦାନ ଅଧିକାର ରହିଥିବାରୁ ଖେଳ ଭିନ୍ନ ହେବ ବୋଲି ରାଜନୈତିକ ମହଲ ବିଚାର କରୁଛନ୍ତି।