ରବିବାର ହଇରାଣ କରିବେନି ବୋଲି ଆଶା କରୁଛୁ: ସୁପ୍ରିମକୋର୍ଟ

0

ନୂଆଦିଲ୍ଲୀ: ରବିବାର ଦିନ କର୍ଣ୍ଣାଟକ ରାଜନୀତିରେ କୌଣସି ଜରୁରିକାଳୀନ ଶୁଣାଣି ପାଇଁ ଆବେଦନ ହେବ ନାହିଁ ବୋଲି ଆଶା। ଶନିବାର କର୍ଣ୍ଣାଟକ ରାଜନୀତି ବିବାଦ ସମ୍ପର୍କିତ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟଙ୍କ ତିନିଜଣିଆ ଖଣ୍ଡପୀଠ ଏହା କହିଛନ୍ତି।
କର୍ଣ୍ଣାଟକ ରାଜନୀତି ନାଟକ ସହିତ ସୁପ୍ରିମକୋର୍ଟ ଉପରେ ଦେଶବାସୀଙ୍କ ନଜର ରହିଥିଲା। କର୍ଣ୍ଣାଟକ ସରକାର ଗଠନ ନାଟକ ପ୍ରତି ମୁହୂର୍ତ୍ତରେ ନୂଆ ମୋଡ଼ ନେଉଥିବା ବେଳେ ସେହି ପ୍ରସଙ୍ଗ ସହିତ ପ୍ରତ୍ୟକ୍ଷ ଭାବେ ଯୋଡ଼ି ହୋଇଯାଇଥିଲେ ସୁପ୍ରିମକୋର୍ଟ। ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ରାୟ ଗୁରୁତ୍ୱପୂର୍ଣ୍ଣ ଓ ନିର୍ଣ୍ଣାୟକ ଥିବାରୁ ଜନସାଧାରଣଙ୍କ ଉତ୍କଣ୍ଠା ବଢ଼ିବାରେ ଲାଗିଥିଲା। ପ୍ରଥମେ ମୁଖ୍ୟମନ୍ତ୍ରୀ ଭାବେ ବି ଏସ୍‍ ୟେଦୁରପ୍ପାଙ୍କୁ ରାଜ୍ୟପାଳଙ୍କ ଆମନ୍ତ୍ରଣ ନିଷ୍ପତ୍ତି ପ୍ରତିବାଦରେ ଓ ଶପଥ ଗ୍ରହଣ ଉପରେ ସ୍ଥଗିତାଦେଶ ଦାବିରେ କଂଗ୍ରେସ-ଜେଡିଏସ୍‍ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଜରୁରି ଶୁଣାଣି ପାଇଁ ଆବେଦନ କରିଥିଲେ। ଗୁରୁବାର-ଶୁକ୍ରବାର ରାତି ୨.୧୧ଟାରୁ ଶୁଣାଣି ଆରମ୍ଭ ହୋଇ ସକାଳ ୫.୨୮ରେ ଶେଷ ହୋଇଥିଲା। ଗୋଆ ଓ ମଣିପୁରର ଉଦାହରଣ ଦେଇ ଶୁକ୍ରବାର ଦିନ ଏବଂ ଅସ୍ଥାୟୀ ବାଚସ୍ପତି କେଜି ବୋପାୟାଙ୍କ ନିଯୁକ୍ତି ନେଇ ଶନିବାର ସକାଳେ ପୁଣି ଥରେ କଂଗ୍ରେସ-ଜେଡିଏସ୍‍ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଜରୁରୀ ଶୁଣାଣି ପାଇଁ ଆବେଦନ କରିଥିଲେ।
ବିଚାରପତି ଏ କେ ସିକ୍ରି, ଏସ୍‍ ଏ ବୋବ୍‍ଡ଼େ ଓ ଅଶୋକ ଭୁଷଣଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟର ତିନିଜଣିଆ ଖଣ୍ଡପୀଠ ସମ୍ପୂର୍ଣ୍ଣ ମାମଲାର ଶୁଣାଣି କରିଥିଲେ। ଶନିବାର ପୂର୍ବାହ୍ନରେ ଶୁଣାଣି ପୂର୍ବରୁ କଂଗ୍ରେସ-ଜେଡିଏସ୍‍ ପକ୍ଷରୁ ମାମଲା ଲଢ଼ୁଥିବା ବରିଷ୍ଠ ଓକିଲ କପିଲ୍‍ ଶିବଲ୍‍ ଖଣ୍ଡପୀଠଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିବା ସହିତ ଗ୍ରୀଷ୍ମକାଳୀନ ଅବକାଶରେ ଏଭଳି ଜରୁରି ଶୁଣାଣୀ ପାଇଁ ବାଧ୍ୟ କରିଥିବାରୁ ଦୁଃଖପ୍ରକାଶ କରିଥିଲେ। ଏହି ଅବସରରେ କଂଗ୍ରେସ-ଜେଡିଏସ୍‍ର ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘଭି କହିଥିଲେ ଯେ ଆସନ୍ତା କାଲି ରବିବାର ଦିନ ଆମେ ଆଉ ଖଣ୍ଡପୀଠଙ୍କୁ ହଇରାଣ କରିବୁ ନାହିଁ ବୋଲି ଆଶା କରୁଛୁ। ଏହାର ଉତ୍ତରରେ ଖଣ୍ଡପୀଠ କହିଥିଲେ ଯେ ଆମେ ମଧ୍ୟ ଏହା ହିଁ ଆଶା କରୁଛୁ। ଶୁଣାଣି ବେଳେ ମାଇକ୍ରୋଫୋନ୍‍ ବ୍ୟବହାର କରିବାକୁ ଆଟର୍ଣ୍ଣି ଜେନେରାଲ୍‍ କେ କେ ବେଣୁଗୋପାଳ ଖଣ୍ଡପୀଠଙ୍କୁ ଅନୁରୋଧ କରିଥିବା ବେଳେ ଖଣ୍ଡପୀଠର ତିନିଜଣ ସଦସ୍ୟ ଏହାକୁ ଗ୍ରହଣ କରିଥିଲେ। କିନ୍ତୁ ଚୂଡ଼ାନ୍ତ ରାୟ ଶୁଣାଇବା ବେଳେ ମାଇକ୍‍ ବ୍ୟବହାର କରିବା ପାଇଁ କପିଲ ଶିବଲ୍‍ କରିଥିବା ଅନୁରୋଧକୁ ବିଚାରପତି ଏ କେ ସିକ୍ରି ପ୍ରତ୍ୟାଖ୍ୟାନ କରିଥିଲେ।

Leave A Reply