ଆମ ନିର୍ଦେଶକୁ ଅମାନ୍ୟ କରିପାରିବେ ନାହିଁ ବାଚସ୍ପତି: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଶିବସେନାର ଅନ୍ୟ କେତେକ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ପ୍ରସଙ୍ଗରେ ବିଚାର କରିବାରେ ବିଳମ୍ବକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟ ବିଧାନସଭା ବାଚସ୍ପତିଙ୍କ ଉପରେ କ୍ଷୁବ୍ଧ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ସିନ୍ଦେ ଓ ତାଙ୍କ ସାଥୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ଲାଗି ଉଦ୍ଧବ ଠାକରେଙ୍କ ନେତୃତ୍ବ ଶିବସେନା (ୟୁବିଟି) ପକ୍ଷରୁ ହୋଇଥିବା ଆବେଦନ ଉପରେ ବିଚାର କରିବା ଲାଗି ସର୍ବୋଚ୍ଚ ନ୍ୟାୟାଳୟ ବାଚସ୍ପତିଙ୍କୁ ଦାୟିତ୍ବ ଦେଇଥିଲେ। ମାତ୍ର ବାଚସ୍ପତି ଏହି ପ୍ରସଙ୍ଗ ଉପରେ ବିଚାର କରିବା ଲାଗି ସମୟ ଗଡାଇ ଚାଲିଛନ୍ତି। ଏହି ପ୍ରସଙ୍ଗରେ ନିଷ୍ପତ୍ତି ନେବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ବାଚସ୍ପତିଙ୍କୁ ସମୟ ସୀମା ଧାର୍ଯ୍ୟ କରିବାକୁ କହିଥିଲେ। ମାତ୍ର ବାଚସ୍ପତି ଏହା ଉପରେ ନିଷ୍ପତ୍ତି ନେଇ ନାହାନ୍ତି। ବାଚସ୍ପତିଙ୍କ ଏପରି ଆଭିମୁଖ୍ୟକୁ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ବ ସର୍ବୋଚ୍ଚ ନ୍ୟାୟାଳୟଙ୍କ ପୀଠ ଶୁକ୍ରବାର ଭର୍ତ୍ସନା କରିଛନ୍ତି। ପୀଠ କହିଛନ୍ତି ଯେ ବାଚସ୍ପତି ଶୀର୍ଷ ଅଦାଲତଙ୍କ ନିର୍ଦେଶକୁ ଅମାନ୍ୟ କରିପାରିବେ ନାହିଁ।
ଏ ସମ୍ପର୍କରେ ବାଚସ୍ପତିଙ୍କୁ କେହି ଜଣେ ପରାମର୍ଶ ଦେବା ଦରକାର। ପୀଠ ସଲିସିଟର ଜେନେରାଲ ତୁଷାର ମେହେଟାଙ୍କୁ ଏ ସମ୍ପର୍କରେ ବାଚସ୍ପତିଙ୍କୁ ଅବଗତ କରାଇବାକୁ କହିଛନ୍ତି। ବିଧାୟକଙ୍କ ଅଯୋଗ୍ୟ ଘୋଷଣା ପ୍ରସଙ୍ଗରେ ନିଷ୍ପତ୍ତି ନେବାର ସମୟ ସୀମା ଧାର୍ଯ୍ୟ କରିବାକୁ ସେପ୍ଟେମ୍ବର ୧୮ରେ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦେଶ ଦେଇଥିଲେ। ଏପରିକି ସପ୍ତାହକ ମଧ୍ୟରେ ନିଷ୍ପତ୍ତି ସମ୍ପର୍କରେ ସମୟ ସୀମା ଜଣାଇବାକୁ କହିଥିଲେ। ମାତ୍ର ଏହା ଉପରେ ବାଚସ୍ପତି କୌଣସି ଉତ୍ତର ଦେଇ ନାହାନ୍ତି। ଫଳରେ ଶିବସେନା ୟୁବିଟି ପୁନର୍ବାର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଥିଲା। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ବ ସର୍ବୋଚ୍ଚ ନ୍ୟାୟାଳୟଙ୍କ ପୀଠ କହିଛନ୍ତି ଯେ ସମ୍ବିଧାନର ୧୦ମ ଅନୁଚ୍ଛେଦ ଅନୁଯାୟୀ ବିଧାନସଭା ବାଚସ୍ପତି ଏକ ଟ୍ରିବ୍ୟୁନାଲ। ଏକ ଟ୍ରିବ୍ୟୁନାଲ ହିସାବରେ ବାଚସ୍ପତି ସର୍ବୋଚ୍ଚ ନ୍ୟାୟାଳୟଙ୍କ ବିଚାର ପରିସରଭୁକ୍ତ। ୨୦୨୨ରେ ଏକନାଥ ସିନ୍ଦେଙ୍କ ନେତୃତ୍ବରେ ଶିବସେନାରେ ବିରୋଧ ଯୋଗୁଁ ଦଳରେ ବିଭାଜନ ହୋଇଥିଲା। ଦଳର ବିଭାଜନ ପୂର୍ବରୁ ସିନ୍ଦେଙ୍କ ସମର୍ଥକ ବିଧାୟକମାନେ ବିଜେପି ସହଯୋଗରେ ନୂଆ ସରକାର ଗଠନ କରିଥିଲେ। ଦଳୀୟ ବିଧାୟକଙ୍କ ବିଦ୍ରୋହକୁ ନେଇ ଉଦ୍ଧବ ଠାକରେଙ୍କ ନେତୃତ୍ବ ମହାବିକାଶ ଅଘାଡି (ଏମଭିଏ) ସରକାର ସଂଖ୍ୟାଲଘୁ ହୋଇ ଯାଇଥିଲା। ଫଳରେ ଉଦ୍ଧବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ସିନ୍ଦେଙ୍କ ନେତୃତ୍ବରେ ନୂଆ ସରକାର ଗଠନର ବୈଧତାକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟରେ ମାମଲା ଚାଲିଥିଲା। ମାମଲାର ଶୁଣାଣି ପରେ ସର୍ବୋଚ୍ଚ ନ୍ୟାୟାଳୟ ସିନ୍ଦେ ନେତୃତ୍ବ ସରକାରକୁ ବୈଧ ଘୋଷଣା କରିଥିଲେ। ତେବେ ସିନ୍ଦେ ଓ ତାଙ୍କ ସମର୍ଥିତ ବିଧାୟକଙ୍କ ଦଳ ବିରୋଧୀ କାର୍ଯ୍ୟକୁ ନେଇ ସେମାନଙ୍କ ସଭ୍ୟ ପଦ ରଦ୍ଦ ପ୍ରସଙ୍ଗର ନିଷ୍ପତ୍ତି ସର୍ବୋଚ୍ଚ ନ୍ୟାୟାଳୟ ବାଚସ୍ପତିଙ୍କ ଉପରେ ନ୍ୟସ୍ତ କରିଥିଲେ।
Comments are closed.