www.samajalive.in
Friday, December 12, 2025
26.1 C
Bhubaneswar

ନିର୍ବାଚନୀୟ କାର୍ଯ୍ୟରେ ଅବହେଳା ବରଦାସ୍ତ କରାଯିବ ନାହିଁ: ଜିଲାପାଳ

ସୁନ୍ଦରଗଡ଼ : ନିର୍ବାଚନୀୟ ସମ୍ବନ୍ଧୀୟ କାର୍ଯ୍ୟକ୍ରମରେ ସଂପୃକ୍ତ ଅଧିକାରୀ, କର୍ମଚାରୀଙ୍କ ଅବହେଳା ଓ ଖାମଖିଆଲ ମନୋଭାବକୁ ଜମା ବରଦାସ୍ତ କରାଯିବ ନାହିଁ ବୋଲି ସୁନ୍ଦରଗଡ଼ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ମୀନା ଚେତାବନୀ ଦେଇଛନ୍ତି। ଭାରତର ନିର୍ବାଚନ ଆୟୋଗର ପ୍ରତ୍ୟକ ମାର୍ଗଦର୍ଶିକାକୁ ସଠିକ ଭାବେ କାର୍ଯ୍ୟକାରୀ କରିବା ସହ ଜିଲାରେ ଅବାଧ, ମୁକ୍ତ ଓ ନିରପେକ୍ଷ ନିର୍ବାଚନ ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଥିବାରୁ ଏ କ୍ଷେତ୍ରରେ କୌଣସି ପ୍ରକାର ସାଲିସ ଓ ପାତରଅନ୍ତର ନୀତିକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ଶ୍ରୀ ମୀନା ସ୍ପଷ୍ଟ କରିଛନ୍ତି। ଏହିକ୍ରମରେ ଭାରତ ନିର୍ବାଚନ ଆୟୋଗର ନିର୍ଦ୍ଦେଶାନୁସାରେ ଗତ ୭.୧.୧୯ ତାରିଖରୁ ଇଭିଏମ ଏବଂ ଭିଭିପିଏଟ ମେସିନର ବ୍ୟବହାର ସଂପର୍କରେ ଜିଲାର ସମସ୍ତ ଗ୍ରାମକୁ ଯାଇ ଜନସାଧାରଣଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ୪୯ଟି ସଚେତନତା ରଥ ସହ ୪୯ଜଣ ସରକାରୀ କର୍ମଚାରୀମାନଙ୍କୁ ଜିଲା ନିର୍ବାଚନ ଅଧିକାରୀ ଶ୍ରୀ ମୀନା ପ୍ରଶିକ୍ଷକ ଭାବେ ନିୟୋଜିତ କରିଛନ୍ତି। ମାତ୍ର ନିୟୋଜିତ ପୂର୍ବରୁ ସମସ୍ତ ପ୍ରଶିକ୍ଷକ ମାନଙ୍କୁ ଇଭିଏମ ଏବଂ ଭିଭିପିଏଟ ମେସିନ୍ ଗୁଡ଼ିକୁ ସରକାରୀ ଘର ଏବଂ ଯେଉଁ ସ୍ଥାନରେ ସୂର୍ଯ୍ୟକିରଣ ପଡ଼ୁନଥିବା ଠାରେ ନିର୍ବାଚନ ଆୟୋଗଙ୍କ ମାର୍ଗଦର୍ଶିକା ଅନୁଯାୟୀ ଭୋଟର ମାନଙ୍କୁ ସଚେତନ କରିବା ପାଇଁ ଜିଲା ସଦର ମହକୁମାରେ ତାଲିମ ଦିଆଯାଇଥିଲା। ଏହି ସଚେତନ କାର୍ଯ୍ୟରେ ରାଉରକେଲା ନିର୍ବାଚନ ମଣ୍ଡଳୀ ପାଇଁ ବିଶ୍ରା ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ଶରତ କୁମାର ପତି ଓ ବେଦବ୍ୟାସ ୟୁପି ସ୍କୁଲ ପ୍ରଧାନ ଶିକ୍ଷକ ବିବେକାନନ୍ଦ ଦାସଙ୍କୁ ନିୟୋଜିତ କରାଯାଇଥିଲା। ଏହି ଦୁଇ ପ୍ରଶିକ୍ଷକ ନିର୍ବାଚନ ଆୟୋଗଙ୍କ ମାର୍ଗଦର୍ଶିକାକୁ ଉଲଂଘନ କରିବା ସହ ସଚେତନତା କାର୍ଯ୍ୟରେ ଅବହେଳା କରିଥିବାର ରିପୋର୍ଟ ପାଇବା ପରେ ଜିଲାପାଳ ଶ୍ରୀ ମୀନା ବିଶ୍ରା ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ଶରତ କୁମାର ପତି ଓ ବେଦବ୍ୟାସ ୟୁପି ସ୍କୁଲ ପ୍ରଧାନ ଶିକ୍ଷକ ବିବେକାନନ୍ଦ ଦାସଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ନିଲମ୍ବିତ ସମୟରେ ଏହି ଦୁଇ ପ୍ରଶିକ୍ଷକ ସୁନ୍ଦରଗଡ଼ ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ରିପୋର୍ଟ କରିବେ ଓ ଜିଲା ଶିକ୍ଷାଧିକାରୀଙ୍କ ବିନା ଅନୁମତିରେ କେଉଠାକୁ ଯାଇପାରିବେ ନାହିଁ ବୋଲି ନିଲମ୍ବିତ ଆଦେଶନାମାରେ ସ୍ପଷ୍ଟ କରାଇବା ସହ ଜିଲା ଶିକ୍ଷା ଅଧିକାରୀଙ୍କୁ ମଧ୍ୟ ବିଧିବଦ୍ଧ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଆସନ୍ତା ସାଧାରଣ ନିର୍ବାଚନ ୨୦୧୯ ପାଇଁ ପୋଲିଙ୍ଗ ଅଧିକାରୀ ନିଯୁକ୍ତି ସକାଶେ ସରକାରୀ କର୍ମଚାରୀମାନଙ୍କର ତାଲିକା ଦେବା ପାଇଁ ଜିଲାର ସମସ୍ତ ଅଧିକାରୀ ମାନଙ୍କୁ ଜିଲା ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଥିଲେ ମାତ୍ର ସୁନ୍ଦରଗଡ଼ ସଦର ବ୍ଲକ ଶିକ୍ଷା ଅଧିକାରୀ ଲାଲିମା ଗ୍ଲୋରିଆ ଡ଼ୁଙ୍ଗଡ଼ୁଙ୍ଗ ଜାଣିଶୁଣି କେତେକ ସରକାରୀ କର୍ମଚାରୀମାନଙ୍କ ନାମ ନ ପଠେଇବା ସହ କାର୍ଯ୍ୟରେ ଅବହେଳା ପ୍ରଦର୍ଶନ, ଉଚ୍ଚ ଅଧିକାରୀଙ୍କୁ ସଠିକ ତଥ୍ୟ ନ ଦେଇ ଦ୍ୱନ୍ଦରେ ରଖିବା ଅଭିଯୋଗରେ ମଧ୍ୟ କଡ଼ା ପଦକ୍ଷେପ ସ୍ୱରୂପ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଜିଲା ନିର୍ବାଚନ ଅଧିକାରୀ ଶ୍ରୀ ମୀନା ସୁପାରିଶ କରିଥିବାବେଳେ ବିଭାଗୀୟ ତଦନ୍ତ ଆରମ୍ଭ କରିବା ପାଇଁ ଜିଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲାପାଳଙ୍କ ଏହି ପଦକ୍ଷେପରେ ଶିକ୍ଷା ବିଭାଗ ସମେତ ନିର୍ବାଚନ କାର୍ଯ୍ୟକ୍ରମରେ ନିୟୋଜିତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ଛନକା ପଶିଯାଇଛି।

Hot this week

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

Related Articles

Popular Categories