www.samajalive.in
Friday, December 12, 2025
19.1 C
Bhubaneswar

କର୍ଣ୍ଣାଟକ ନାଟକ ଜାରି; ବିଜେପି ନିଶାଣରେ ରିସର୍ଟ

ବେଙ୍ଗାଲୁରୁ : କର୍ଣ୍ଣାଟକରେ କଂଗ୍ରେସ ନାଟକ ବଳବତ୍ତର ରହିଛି। ଘୋଡ଼ାବେପାରରୁ ବଞ୍ଚାଇବା ଉଦ୍ଦେଶ୍ୟରେ କଂଗ୍ରେସ ନିଖୋଜ ୪ ଜଣଙ୍କ ବ୍ୟତୀତ ଅନ୍ୟ ୭୬ ବିଧାୟକଙ୍କୁ ଶୁକ୍ରବାରଠାରୁ ଇଗଲଟନ୍‌ ରିସର୍ଟରେ ରଖିଛି। ଅପରପକ୍ଷରେ ଗୁରୁଗ୍ରାମର ଏକ ହୋଟେଲରେ ଥିବା ବିଜେପି ବିଧାୟକମାନଙ୍କୁ ରାଜ୍ୟକୁ ଫେରିବା ପାଇଁ ଦଳର ମୁଖ୍ୟ ବି.ଏସ୍‌ ୟେଦୁରପ୍ପା ନିର୍ଦେଶ ଦେଇଛନ୍ତି। ସେମାନଙ୍କ ରାଜ୍ୟର ମରୁଡ଼ି ଅଞ୍ଚଳ ପରିଦର୍ଶନ ପାଇଁ ସେ ପରାମର୍ଶ ଦେଇଛନ୍ତି। ସୋମବାର ତାଙ୍କ ନେତୃତ୍ବରେ ଏକ ୭ଜଣିଆ ଦଳ ଏହି ଗସ୍ତ କରିବେ ବୋଲି ୟେଦୁରପ୍ପା କହିଛନ୍ତି। ‘ବିଜେପି ଆଦୌ ରାଜ୍ୟ ସରକାରକୁ ଭାଙ୍ଗିବା ଉଦ୍ୟମ କରୁ ନାହିଁ କିମ୍ବା ସେଭଳି କିଛି କରିବ ନାହିଁ। ଆମେ ବିରୋଧୀ ଦଳରେ ରହିବୁ, ସରକାର ଏଭଳି ଆଶଙ୍କା ନ କରନ୍ତୁ’ ବୋଲି ୟେଦୁରପ୍ପା କହିଛନ୍ତି। ୟେଦୁରପ୍ପାଙ୍କ ଏହି ମନ୍ତବ୍ୟକୁ କଂଗ୍ରେସ ବିଧାୟକ ଦଳ ନେତା ସିଦ୍ଧରାମେୟା ସ୍ବାଗତ କରିଛନ୍ତି। ବରିଷ୍ଠ କଂଗ୍ରେସ ନେତା ତଥା ମନ୍ତ୍ରୀ ଡି.କେ ଶିବକୁମାର କହିଛନ୍ତି ଯେ ସେ ସମସ୍ତ ବିଧାୟକଙ୍କ ସହିତ ଯୋଗାଯୋଗରେ ଅଛନ୍ତି। ‘ମନ୍ତ୍ରୀ ପଦ ନେଇ ବିଧାୟକମାନଙ୍କ ମଧ୍ୟରେ ଥିବା ଅସନ୍ତୋଷ ଦୂର କରିବା ପାଇଁ ମୁଁ ଇସ୍ତଫା ଦେବାକୁ ରାଜି ଅଛି, ହାଇକମାଣ୍ଡ ଚାହିଁଲେ ମୁଁ ମନ୍ତ୍ରୀ ପଦ ଛାଡ଼ି ଦେବି। ଏମିତି କି ସମସ୍ତ ବରିଷ୍ଠ ମନ୍ତ୍ରୀ ନିଜ ପଦ ଛାଡ଼ିବାକୁ ପ୍ରସ୍ତୁତ ଅଛନ୍ତି’ ବୋଲି କହିଛନ୍ତି ଶିବକୁମାର।
ଅପରପକ୍ଷରେ କଂଗ୍ରେସ ବିଧାୟକମାନେ ଅବସ୍ଥାନ କରୁଥିବା ଇଗଲଟନ୍‌ ରିସର୍ଟକୁ ନେଇ ରାଜନୀତି ଜୋର ଧରିଛି। ଏହି ରିସର୍ଟ ବିରୋଧରେ ବେଆଇନ ଜମି ଦଖଲ ନେଇ ୯୮୨କୋଟି ଟଙ୍କାର ଜୋରିମାନା ହୋଇଛି; କିନ୍ତୁ ଏହି ଟଙ୍କା ରିସର୍ଟ ମାଲିକ ଦେଉ ନାହାନ୍ତି। ବିଜେପି ପକ୍ଷରୁ କଂଗ୍ରେସକୁ ଏହି ଟଙ୍କା ଅସୁଲ କରିବା ପାଇଁ ଆହ୍ବାନ ଦିଆଯାଇଛି। ଏହି ଟଙ୍କାରେ କୃଷକଙ୍କ ଋଣଛାଡ଼ କରିବାକୁ ବିଜେପି ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛି। ‘ଇଗଲଟନ୍‌ ରିସର୍ଟ ୭୭ଏକର ସରକାରୀ ଜମି ଜବରଦଖଲ କରିଛି ଓ ଏ ବାବଦରେ ତା’ଉପରେ ୯୮୨କୋଟି ଟଙ୍କାର ଜୋରିମାନା ହୋଇଛି’ ବୋଲି ନିକଟରେ ରାଜସ୍ବ ମନ୍ତ୍ରୀ ଆର.ଭି ଦେଶପାଣ୍ଡେ ବିଧାନସଭାରେ ପ୍ରକାଶ କରିଥିଲେ। ଏହି ପ୍ରସଙ୍ଗରେ ବିଧାୟକମାନଙ୍କୁ ସେଠାରେ ରଖିବା ଦାୟିତ୍ବରେ ଥିବା ସାଂସଦ ଡି.କେ ସୁରେଶ କହିଛନ୍ତି ଯେ ମାମଲା ବିଚାରାଧୀନ ଥିବାରୁ ଜୋରିମାନା ଆଦାୟ ହୋଇ ନାହିଁ। ତା’ଛଡ଼ା ଏଠାରେ ବିଧାୟକମାନଙ୍କୁ ମାଗଣା ରଖାଯାଇ ନ ଥିବାରୁ ଏହି ପ୍ରସଙ୍ଗର ଯଥାର୍ଥତା ନାହିଁ। ଆବଶ୍ୟକ ପଡ଼ିଲେ ଦଳ ପକ୍ଷରୁ ହୋଟେଲ ବିଲ୍‌ ସର୍ବସାଧାରଣରେ ଉପସ୍ଥାପନ କରାଯିବ ବୋଲି ସୁରେଶ କହିଛନ୍ତି।
କଂଗ୍ରେସ-ବିଜେପି ମଧ୍ୟରେ ଚାଲିଥିବା ଚ୍ଛାୟାଯୁଦ୍ଧ ଓ କଂଗ୍ରେସର ଅନ୍ତଃବିବାଦ ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଏଚ୍‌.ଡି କୁମାରସ୍ବାମୀ ସରକାର ବଞ୍ଚାଇବା ପାଇଁ ସମସ୍ତ ଉଦ୍ୟମ ଚଳାଇଛନ୍ତି। ସରକାର ପ୍ରତି କୌଣସି ସମସ୍ୟା ନାହିଁ ବୋଲି ସେ ଦୃଢ଼ତା ପ୍ରକାଶ କରିଛନ୍ତି। ନିଖୋଜ ଥିବା ବିଧାୟକମାନେ ନିଶ୍ଚୟ ଫେରିବେ ବୋଲି ସେ କହିଛନ୍ତି। ବିଜେପି ଉପରେ ଆକ୍ରମଣ କରି କହିଛନ୍ତି ଯେ ଘୋଡ଼ାବେପାର ପାଇଁ ବିଜେପି ଉଦ୍ୟମ କରୁଛି। କଲକାତାଠାରେ ଗଣମାଧ୍ୟମ ସମ୍ମୁଖରେ ପ୍ରଶ୍ନ କରିଛନ୍ତି ଯେ ଘୋଡ଼ାବେପାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏତେ ଟଙ୍କା ଆଣୁଛନ୍ତି କେଉଁଠୁ? ମୋଦୀ ଗୋଟିଏ ପଟେ ଦୁର୍ନୀତି ବିରୋଦରେ ଲଢ଼େଇ କଥା କହୁଛନ୍ତି; ଅପରପଟେ ତାଙ୍କ ଦଳ ଦୁର୍ନୀତିକୁ ଅସ୍ତ୍ର କରି ସରକାର ଭାଙ୍ଗିବାକୁ ଉଦ୍ୟମ କରୁଛି। ସପ୍ତାହେ ଧରି ସମସ୍ତେ ଏହା ଲକ୍ଷ୍ୟ କରୁଛନ୍ତି ବୋଲି ସେ କହିଛନ୍ତି।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories