ଜନ୍ମମାଟି ସୁଆଣ୍ଡୋରେ ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବ: ଭାର୍ଗବୀ ଘାଟରେ ତିଳତର୍ପଣ, ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି

ସୁଆଣ୍ଡୋ : ଆଜି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୬ ତମ ଶ୍ରାଦ୍ଧୋତ୍ସବ। ଏହି ଅବସରରେ ଜନ୍ମମାଟି ସୁଆଣ୍ଡୋରେ ଗୋପବନ୍ଧୁ ସ୍ମୁତିପରିଷଦ ପକ୍ଷରୁ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । କୂଳ ପୁରୋହିତ ଲକ୍ଷ୍ମୀକାନ୍ତ ନନ୍ଦ ବେଦମନ୍ତ୍ର ପାଠ କରିଥିଲେ। ପରେ ଭାର୍ଗବୀ ନଦୀରେ ସମବେତ ଗୋପବନ୍ଧୁ ପ୍ରେମୀମାନେ ତିଳ ତଣ୍ଡୁଳ, ପୁଷ୍ପ ଓ କୁଶ ସହିତ ତର୍ପଣ କରିଥିଲେ । ସ୍ମୁତି ପରିଷଦ ସଭାପତି ଧୀରେନ୍ଦ୍ର ନାଥ ଦାସଙ୍କ ନେତୃତ୍ବରେ ଶହଶହ ବୁଦ୍ଧିଜୀବୀ, ଅଧ୍ୟାପକ , ପ୍ରଫେସର, ଡାକ୍ତର, ଇଞ୍ଜିନିୟର, ଶିକ୍ଷକ, ଶିକ୍ଷୟତ୍ରୀ, ଶତାଧିକ ଛାତ୍ରଛାତ୍ରୀଙ୍କ ଗହଣରେ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରା ଷଠିଘର ନିକଟରୁ ଭାର୍ଗବୀ ଘାଟକୁ ଯାଇଥିଲା । ଗୋପବନ୍ଧୁ ଦାସ ଅମର ରହେ ଧ୍ୱନି ଦେବା ସହିତ ଗୋପବନ୍ଧୁଙ୍କ ଦ୍ୱାରା ଲିଖିତ କାରା କବିତା ଓ ବନ୍ଦୀର ଆତ୍ମକଥା ସମବେତ କଣ୍ଠରେ ଆବୃତି କରି ଛାତ୍ରଛାତ୍ରୀମାନେ ଯାତ୍ରାରେ ସାମିଲ ହୋଇଥିଲେ । ଉତ୍କଳମଣି କ୍ୟାମ୍ପସରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଏବଂ ସଂଗ୍ରହାଳୟ ପରିସରରେ ଥିବା ପ୍ରତିମୂର୍ତ୍ତିରେ ଅତିଥିମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସେହିପରି ସତ୍ୟବାଦୀ ଚନ୍ଦନ ପୁଷ୍କରିଣୀ ରେ ମିଶନ ସତ୍ୟବାଦୀ ତରଫରୁ ତିଳତର୍ପଣ କରାଯାଇଥିଲା । ସତ୍ୟବାଦୀ ବିକାଶ ପରିଷଦ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବସଷ୍ଟାଣ୍ଡ,  ପଞ୍ଚଶଖା ମଣ୍ଡପ, ସାକ୍ଷୀଗୋପାଳ ମନ୍ଦିର ନିକଟରେ ଥିବା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା।

Comments are closed.