ଭାରତର ବିଭିନ୍ନ ରାଜ୍ୟରେ ଝଡ଼ବର୍ଷା ନେଇ ସତର୍କ ସୂଚନା ଜାରି

0

ନୂଆଦିଲ୍ଲୀ : ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଗୁରୁବାର ଉତ୍ତର-ପୂର୍ବ ଏବଂ ଉତ୍ତର-ପଶ୍ଚିମ ଭାରତର ୨୦ ରାଜ୍ୟରେ ଝଡବର୍ଷା ହେବା ନେଇ ସତର୍କ ସୂଚନା ଜାରି କରିଛି। ସତର୍କ ସୂଚନା ଅନୁଯାୟୀ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଜାମ୍ମୁ-କାଶ୍ମୀର, ହିମାଚଳ ପ୍ରଦେଶ, ପଞ୍ଜାବ, ହରିୟାଣା, ଦିଲ୍ଲୀ, ଉତ୍ତରପ୍ରଦେଶ, ରାଜସ୍ଥାନ, ଚଣ୍ଡିଗଡ, ଉତ୍ତର-ପଶ୍ଚିମାଞ୍ଚଳର କିଛି ଅଂଶରେ ଝଡ଼ବର୍ଷା ଓ ପ୍ରବଳ ବେଗରେ ପବନ ବହିବାର ଆଶଙ୍କା ରହିଛି। ରାଜସ୍ଥାନରେ ଧୂଳି ଝଡ଼ ହେବାର ଆଶଙ୍କା ରହିଛି। ସେହିପରି ପୂର୍ବାଞ୍ଚଳ ରାଜ୍ୟ ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରମ, ତ୍ରିପୁରା, ସିକିମ୍‍, ଝାରଖଣ୍ଡ, ପଶ୍ଚିମବଙ୍ଗ, ଓଡ଼ିଶା, ବିହାର, ପୂର୍ବ ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ, କେରଳ, ଲକ୍ଷାଦ୍ୱୀପର କେତେକ ଅଞ୍ଚଳରେ ପ୍ରବଳ ବେଗରେ ପବନ ବହିବା ସହ ବର୍ଷା ହେବ। ଏବେ ପାଣିପାଗ ବିଭାଗର ସତର୍କ ସୂଚନା ଜାରି ପରେ ଲୋକେ ଆତଙ୍କିତ ହୋଇପଡିଛନ୍ତି। ଉତ୍ତର ଭାରତରେ ଗତ ୧୫ ଦିନ ହେବ ପାଣିପାଗରେ ହଠାତ୍‍ ପରିବର୍ତ୍ତନ ଦେଖାଯାଇଛି। ଏହା ପୂର୍ବରୁ ମଇ ୧୪ରେ ଝଡ଼ତୋଫାନ ବିତ୍ପାତରେ ୭ ରାଜ୍ୟରେ ୮୬ ଲୋକ ପ୍ରାଣ ହରାଇଥିଲେ ଓ ୧୩୬ ଆହତ ହୋଇଥିଲେ। ସେହିପରି ମେ’ ୮ରେ ଝଡ଼ ବର୍ଷାରେ ୧୪ ରାଜ୍ୟ ପ୍ରଭାବିତ ହୋଇଥିଲେ ଓ ୧୨୫ ଜଣ ପ୍ରାଣ ହରାଇଥିଲେ। ପାଣିପାଗ ବିଭାଗ ପୂର୍ବରୁ ସତର୍କ ସୂଚନା ଜାରି କରିବା ପରେ ବି ଅନେକ କ୍ଷୟକ୍ଷତି ଘଟିଥିଲା ଓ ଅନେକ ଲୋକ ପ୍ରାଣ ହରାଇଥିଲେ।
ସତର୍କତା ମୂଳକ ପଦକ୍ଷେପ : ବାଇକ୍‍ ଚଳାଇବାବେଳେ ହେଲମେଟ ପିନ୍ଧନ୍ତୁ। ନଚେତ ଆଖିରେ ଧୂଳି ପସି ଦୁର୍ଘଟଣା ଘଟିପାରେ। ସେହିପରି ପ୍ରବଳ ବେଗରେ ପବନ ବହିବା ବେଳେ ଛାତ ଉପରକୁ ଯାନ୍ତୁ ନାହିଁ। ଅତ୍ୟାବଶ୍ୟକ ନପଡ଼ିଲେ ଘରୁ ପଦାକୁ ବାହାରନ୍ତୁ ନାହିଁ। ମୁହଁରେ ମାକ୍ସ ପିନ୍ଧି ପଦାକୁ ଯାନ୍ତୁ। ମାକ୍ସ ନଥିଲେ କପଡ଼ା କିମ୍ବା ଗାମୁଛା ବାନ୍ଧନ୍ତୁ। ଧୂଳି ଝଡ଼ ସମୟରେ ଚଷମା ପିନ୍ଧନ୍ତୁ।
ପଶ୍ଚିମ ଗୋଳମାଳରୁ ବାରମ୍ବାର ବିଗୁଡୁଛି ପାଣିପାଗ : ଖରାଦିନେ ପାଣିପାଗରେ ଏଭଳି ପରିବର୍ତ୍ତନ ପରିଲକ୍ଷିତ ହୋଇଥାଏ। ମାତ୍ର ଚଳିତ ଥର ପାକିସ୍ତାନ ଏବଂ ଆଫଗାନିସ୍ତାନ ଉପର ବାୟୁମଣ୍ଡଳରେ ପଶ୍ଚିମ ଗୋଳମାଳ (ୱେଷ୍ଟର୍ଣ୍ଣ ଡିଷ୍ଟର୍ବାନ୍ସ) ଏବଂ ରାଜସ୍ଥାନ, ଉତ୍ତରପ୍ରଦେଶ ଉପର ବାୟୁମଣ୍ଡଳରେ ଲଘୁଚାପ ପରିସ୍ଥିତି ଯୋଗୁ ବାରମ୍ବାର ପାଣିପାଗରେ ପରିବର୍ତ୍ତନ ଘଟୁଛି। ଗ୍ରୀଷ୍ମ ଦିନେ ପ୍ରଥମେ ୟୁରୋପ ଏବଂ ଆଫ୍ରିକା ମଧ୍ୟରେ ସ୍ଥିତ ଭୂମଧ୍ୟ ସାଗରରେ ତାପମାତ୍ରା ୨୫ ଡିଗ୍ରୀ ଉପରେ ପହଞ୍ଚିବା ପରେ ପଶ୍ଚିମ ଗୋଳମାଳ ସୃଷ୍ଟି ହୋଇଥାଏ। ଏପଟେ ଭାରତ, ପାକିସ୍ତାନ ଏବଂ ଆଫଗାନିସ୍ତାନରେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ବାୟୁମଣ୍ଡଳ ଉତ୍ତପ୍ତ ହୋଇ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଥାଏ। ଫଳରେ ସେଠାରୁ ଉତ୍ତପ୍ତ ବାୟୁ ତୁର୍କି, ଇରାନ ଅତିକ୍ରମ ଭାରତରେ ସୃଷ୍ଟି ଶୂନ୍ୟତାକୁ ପୂରଣ କରିବାକୁ ଜାମ୍ମୁ କାଶ୍ମୀରରେ ପହଞ୍ଚିଥାଏ। ଏଠାରେ ହିମାଳୟ ପର୍ବତରେ ପିଟି ହୋଇ ଭାରତରେ ବର୍ଷା କରିଥାଏ। ମାତ୍ର ଚଳିତ ଥର ରାଜସ୍ଥାନ, ଉତ୍ତରପ୍ରଦେଶ ଉପର ବାୟୁମଣ୍ଡଳରେ ସୃଷ୍ଟି ଲଘୁଚାପ ପରିସ୍ଥିତି ଯୋଗୁଁ ପାଣିପାଗରେ ବାରମ୍ବାର ପରିବର୍ତ୍ତନ ଘଟୁଛି।

Leave A Reply