ଦିଲ୍ଲୀରେ ପୁଣି ଧୂଳି ଝଡ଼ ସହ ବର୍ଷା
ନୂଆଦିଲ୍ଲୀ: ଆଜି ସକାଳୁ ପୁଣି ଥରେ ଧୂଳି ଝଡ଼ ସହିତ ପ୍ରବଳ ବର୍ଷାରେ ଦିଲ୍ଲୀବାସୀ ଅତିଷ୍ଠ ହୋଇଛନ୍ତି। ୪୮ ଘଣ୍ଟା ମଧ୍ୟରେ ଦୁଇ ଦୁଇ ଥର ଝଡ଼ ତୋଫାନ୍ ଦିଲ୍ଲୀବାସୀଙ୍କ ଜୀବନଯାତ୍ରାକୁ ବ୍ୟାହତ କରିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀ ସମେତ ଆଲିଗଡ଼, ମିରଟ, ପାନିପଥ୍, ବାଗପତ୍, ଅଲ୍ୱାର, ରୋହତକ୍ ଆଦି ଅଞ୍ଚଳରେ ପ୍ରବଳ ଝଡ଼ତୋଫାନ୍ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଗତ ସପ୍ତାହରେ ହୋଇଥିବା ଝଡ଼ତୋଫାନ୍ରେ ଦିଲ୍ଲୀ ଓ ଆଖପାଖ ଅଞ୍ଚଳରେ ପ୍ରାୟ ୧୦୦ ଜଣଙ୍କ ଜୀବନହାନି ଘଟିଛି। ସାଧାରଣତଃ ହିମାଳୟ ଓ ଉତ୍ତରପାର୍ବ୍ୟତାଞ୍ଚଳରେ ଅସ୍ୱାଭାବିକ ପାଣିପାଗ ଯୋଗୁଁ ଉତ୍ତର ଭାରତ ଓ ଦିଲ୍ଲୀରେ ଅକ୍ଟୋବର ଠାରୁ ମାର୍ଚ୍ଚ ଭିତରେ ଏଭଳି ଝଡ଼ ତୋଫାନ ହେବାର ଦେଖାଯାଏ। କିନ୍ତୁ ଚଳିତ ବର୍ଷ ମେ’ ମାସରେ ଏଭଳି ଅସ୍ୱାଭାବିକତାକୁ ନେଇ ପାଣିପାଗ ବିଶେଷଜ୍ଞମାନେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି।
ଆସନ୍ତା ତିନିରୁ ଚାରି ଦିନ ପର୍ଯ୍ୟନ୍ତ ଉପରୋକ୍ତ ଅଞ୍ଚଳ ସମେତ ଓଡ଼ିଶା ଓ ପଶ୍ଚିମବଙ୍ଗରେ ଝଡ଼ତୋଫାନ୍ ହେବାର ଆଶଙ୍କା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ମେ ୧୩-୧୪ ତାରିଖରେ ହୋଇଥିବା ଝଡ଼ତୋଫାନ, ବିଜୁଳି ଓ ଲଗାଣ ବର୍ଷାରେ ଜମ୍ମୁ-କଶ୍ମୀର, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ ଓ ଦିଲ୍ଲୀ ଆଦି ୫ଟି ରାଜ୍ୟର ଅନ୍ୟୂନ ୮୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କେବଳ ଉତ୍ତର ପ୍ରଦେଶରେ ୫୧ ଜଣଙ୍କ ମୃତ୍ୟୁ ଘଟିଥିଲା। ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦିଆଯାଇଛି।
୧୦ ହଜାର ଲୋକଙ୍କୁ ବଞ୍ଚାଇ ଦେଲା ଫେସ୍ବୁକ
ଫେସ୍ବୁକ୍ର ସେଫ୍ଟି ଚେକ୍ ବ୍ୟବହାର କରିଥିବା ୧୦ ହଜାର ବ୍ୟକ୍ତି ଝଡ଼ତୋଫାନ ସମ୍ପର୍କରେ ଆଗୁଆ ସୂଚନା ପାଇ ସାରିଥିଲେ। ସେଥିପାଇଁ ପୂର୍ବରୁ ସତର୍କ ରହିବା ଦ୍ୱାରା ନିଜ ଜୀବନ ବଞ୍ଚାଇ ପାରିଥିଲେ ବୋଲି କୁହାଯାଇଛି।