ସରକାରଙ୍କ ସହ ମତଭେଦ: ପରିସଂଖ୍ୟାନ ଆୟୋଗର ଦୁଇ ସଦସ୍ୟଙ୍କ ଇସ୍ତଫା

0

ନୂଆଦିଲ୍ଲୀ : ସରକାରଙ୍କ ସହ ମତଭେଦକୁ ନେଇ ଜାତୀୟ ପରିସଂଖ୍ୟାନ ଆୟୋଗ (ଏନଏସସି)ର ଦୁଇ ସ୍ବାଧୀନ ସଦସ୍ୟ ପି ସି ​‌ମୋହନନ ଓ ଜେଭି ମିନାକ୍ଷୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ମୋହନନ ଆୟୋଗର କାର୍ଯ୍ୟକାରୀ ଅଧ୍ୟକ୍ଷ ରୂପେ ଦାୟିତ୍ବ ତୁଲାଉଥିଲେ। ଇସ୍ତଫା ପରେ ମୋହନନ କହିଛନ୍ତି ଯେ ‘ଆମେ ଭାବୁଛୁ ଆୟୋଗ ଏବେ ଠିକ୍ ଭାବେ କାର୍ଯ୍ୟ କରୁ ନାହିଁଏବଂ ଆୟୋଗ ପାଇଁ ଆମେ ଆମର ଦାୟିତ୍ବ ଠିକ୍ ରୂପେ ତୁଲାଇ ପାରୁ ନାହୁଁ।’ ଏହି ଦୁଇ ସଦସ୍ୟଙ୍କ ଇସ୍ତଫା ପରେ ଆୟୋଗରେ ଆଉ ମାତ୍ର ଦୁଇଜଣ ସଦସ୍ୟ ରହିଛନ୍ତି। ସେମାନେ ହେଲେ ମୁଖ୍ୟ ପରିସଂଖ୍ୟାନବିଦ୍ ପ୍ରବୀଣ ଶ୍ରୀବାସ୍ତବ ଓ ନିତି ଆୟୋଗ ସିଇଓ ଅମିତାଭ କାନ୍ତ। ପରିସଂଖ୍ୟାନ ଓ କାର୍ଯ୍ୟାନ୍ବୟନ ମନ୍ତ୍ରଣାଳୟ ଅଧୀନରେ ରହିଥିବା ଏହି ଆୟୋଗରେ ୭ଜଣ ସଦସ୍ୟ ରହିବାର ନିୟମ ରହିଛି। ୨୦୧୭ ଜୁନ୍‌ରେ ଏନଏସସିର ସଦସ୍ୟ ଭାବେ ଉଭୟ ମୋହନନ ଓ ମିନାକ୍ଷୀ ଯୋଗ ଦେଇଥିଲେ। ୨୦୨୦ରେ ସେମାନଙ୍କ କାର୍ଯ୍ୟକାଳ ଶେଷ ହେବାର ଥିଲା। ଗତବର୍ଷ ନଭେମ୍ବରରେ ଏନଏସସି ୟୁପିଏ ସରକାର ସମୟର ସଂଶୋଧିତ ଜିଡିପି ପ୍ରକାଶ କରିବାକୁ ନିତି ଆୟୋଗ ଭର୍ତ୍ସନା କରିଥିଲେ। ଘଟଣା ଉପରେ ପ୍ରତିକ୍ରିୟା ରଖି ବରିଷ୍ଠ କଂଗ୍ରେସ ନେତା ପି ଚିଦମ୍ବରମ୍ କହିଛନ୍ତି ଯେ ସରକାରଙ୍କ ହସ୍ତକ୍ଷେପ ଯୋଗୁଁ ଆଉ ଏକ ଗୁରୁତ୍ବପୂର୍ଣ୍ଣ ଅନୁଷ୍ଠାନ ବନ୍ଦ ହେବାକୁ ଯାଉଛି। ସରକାର କହିଛନ୍ତି ଯେ ଇସ୍ତଫା ଦେଇଥିବା ଦୁଇ ସଦସ୍ୟ କେବେ ହେଲେ ଆୟୋଗର ବୈଠକରେ ଉଦ୍‌ବେଗ ପ୍ରକାଶ କରି ନାହାନ୍ତି। ତେବେ ଏନଏସସିଙ୍କ ପରାମର୍ଶ କ୍ରମେ ଏହା ଉପରେ ଯାହାକିଛି ପଦକ୍ଷେପ ନିଆଯିବ।

Leave A Reply