‘ମିଶନ ବାତ୍ସଲ୍ୟ’ ଯୋଜନା ଅଧିନରେ ନାଗରିକ ସମାଜର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ

ପିଲାଙ୍କ ପାଇଁ ଆନୁଷ୍ଠାନିକ ଯତ୍ନ ଉପରେ ରାଜ୍ୟସ୍ତରୀୟ କର୍ମଶାଳା

ଭୁବନେଶ୍ୱର : ମହିଳା ଓ ଶିଶୁ ବିକାଶ ବିଭାଗ ଅଧିନସ୍ଥ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମାଜ ଆନୁକୂଲ୍ୟରେ ପିଲାମାନଙ୍କ ପାଇଁ ଆନୁଷ୍ଠାନିକ ଯତ୍ନ ଉପରେ ଏକ ରାଜ୍ୟସ୍ତରୀୟ କର୍ମଶାଳା ଆଜି ଉଦ୍‌ଘାଟିତ ହୋଇଯାଇଛି । ଏହି କର୍ମଶାଳାରେ ଶିଶୁ ଯତ୍ନ ଅନୁଷ୍ଠାନଗୁଡ଼ିକର ମୁଖ୍ୟ କାର୍ଯ୍ୟକର୍ତ୍ତାମାନେ ଯୋଗଦେଇ ଏ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ ଉପରେ ବିଶଦ ଆଲୋଚନା କରିଥିଲେ ।
ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଶୁଭା ଶର୍ମା ମୁଖ୍ୟ ଅତିଥି ଭାବେ କର୍ମଶାଳାକୁ ଉଦ୍‌ଘାଟନ କରି କହିଥିଲେ ଯେ ଆନୁଷ୍ଠାନିକ ଯତ୍ନ ଏକ ବୃହତ ଶିଶୁ ଗୋଷ୍ଠୀ ପାଇଁ ଉଦ୍ଦିଷ୍ଟ ।

ବୟସ, ଲିଙ୍ଗ, ଦକ୍ଷତା ନିର୍ବିଶେଷରେ ପିତାମାତାଙ୍କଠାରୁ ଅଲଗା ହୋଇଯାଇଥିବା ସମସ୍ତ ପିଲାଙ୍କୁ ଏହି ଅନୁଷ୍ଠାନଗୁଡ଼ିକରେ ସମାନ ସେବା ପ୍ରଦାନ କରାଯାଇଥାଏ । ‘ମିଶନ ବାତ୍ସଲ୍ୟ’ ଯୋଜନା ଅଧିନରେ ନାଗରିକ ସମାଜର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଯତ୍ନ ଓ ସୁରକ୍ଷା ଲୋଡ଼ୁଥିବା ପିଲାମାନଙ୍କ ପାଇଁ ନାଗରିକ ସମାଜ ଅତ୍ୟନ୍ତ ସଚେତନ ହେବା ଜରୁରୀ । ଶିଶୁ ଯତ୍ନ ଅନୁଷ୍ଠାନଗୁଡ଼ିକର ମୁଖ୍ୟ କାର୍ଯ୍ୟକର୍ତ୍ତାମାନେ ପିଲାମାନଙ୍କ ଯତ୍ନ ଏବଂ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ସ୍ୱଳ୍ପ ମିଆଦି ଯୋଜନା ପ୍ରସ୍ତୁତ କରିବା ଆବଶ୍ୟକ । ସମୟ ସମୟରେ ସେହି ଯତ୍ନ ଓ ସୁରକ୍ଷା ପଦକ୍ଷେପଗୁଡ଼ିକର ସମୀକ୍ଷା ମଧ୍ୟ କରିବା ଜରୁରୀ । ଅନୁଷ୍ଠାନଗୁଡ଼ିକର ଉତ୍ତମ କାର୍ଯ୍ୟକାରିତା ପାଇଁ ମୁଖ୍ୟ କାର୍ଯ୍ୟକର୍ତ୍ତାମାନେ ବିଭିନ୍ନ ସୁଚିନ୍ତିତ ପରାମର୍ଶ ଏବଂ ପ୍ରସ୍ତାବ ଦେବାକୁ ଓ ସିସିଆଇ ର୍ୟାଙ୍କିଂ ମୂଲ୍ୟାଙ୍କନ ସମୟରେ ସଠିକ୍‌ ଓ ସମୁଚିତ ସୂଚନା ପ୍ରଦାନ କରିବାକୁ ଶ୍ରୀମତୀ ଶର୍ମା ମତବ୍ୟକ୍ତ କରିଥିଲେ ।

ବିଭାଗର ଅତିରିକ୍ତ ସଚିବ ଓ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମାଜର ନିର୍ଦ୍ଦେଶିକା ରେଗା ଗୀତାରାଣୀ ପଟ୍ଟନାୟକ କହିଲେ ଯେ ଏହି ଶିଶୁ ଯତ୍ନ ଅନୁଷ୍ଠାନଗୁଡ଼ିକରେ ରହୁଥିବା ପିଲାମାନଙ୍କୁ ସୁଦକ୍ଷ କରିବା ପାଇଁ ଆମେ ବହୁବିଧ ପଦକ୍ଷେପ ଗ୍ରହଣ କରିଛୁ । ଶିକ୍ଷା, ବୈଷୟିକ ଶିକ୍ଷା, କ୍ରୀଡ଼ା, କଳା, ଚିତ୍ରାଙ୍କନ ଓ ଅନ୍ୟାନ୍ୟ ସହପାଠ୍ୟକ୍ରମ ବିଷୟରେ ପିଲାମାନେ ଯେପରି ଚମତ୍କାର ନୈପୁଣ୍ୟ ପ୍ରଦର୍ଶନ କରିବେ ସେ ଦିଗରେ ସମସ୍ତ ଉଦ୍ୟମ କରାଯାଉଛି । ଶିଶୁ ଯତ୍ନ ଅନୁଷ୍ଠାନଗୁଡ଼ିକରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ଦକ୍ଷତା ବୃଦ୍ଧି ଓ ଜ୍ଞାନ ଆହରଣ ନିମନ୍ତେ ଅନ୍ୟ ଅନୁଷ୍ଠାନ ପରିଦର୍ଶନ ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।

ପରେ ବୈଷୟିକ ଅଧିବେଶନରେ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ ପରିଚାଳକ ପ୍ରୀତିକାନ୍ତ ପଣ୍ଡା ଶିଶୁ ସୁରକ୍ଷା ବ୍ୟବସ୍ଥା ଏବଂ ‘ମିଶନ ବାତ୍ସଲ୍ୟ’ ଯୋଜନା ଅଧିନରେ ଶିଶୁ ସୁରକ୍ଷାର ପ୍ରଭାବୀ କାର୍ଯ୍ୟକାରିତା ସମ୍ବନ୍ଧରେ ଉପସ୍ଥାପନା କରିଥିଲେ । କୋଭିଡ୍‌ ମହାମାରୀ ସମୟରେ ଶିଶୁ ଯତ୍ନ ଅନୁଷ୍ଠାନଗୁଡ଼ିକୁ ରାଜ୍ୟ ସରକାର ପ୍ରଶଂସନୀୟ ସହାୟତା ପ୍ରଦାନ କରିଛନ୍ତି ବୋଲି ସେ ମତବ୍ୟକ୍ତ କରିଥିଲେ । ବିଜୁ ଶିଶୁ ସୁରକ୍ଷା ଯୋଜନା, ବିଜୁ କନ୍ୟାରତ୍ନ ଯୋଜନା, ସ୍ୱତନ୍ତ୍ର ଯତ୍ନ ଆବଶ୍ୟକ କରୁଥିବା ପିଲାମାନଙ୍କ ପାଇଁ ‘ଆଶୀର୍ବାଦ’ ଯୋଜନା ଓ ଅନାଥ ପିଲାମାନଙ୍କ ପାଇଁ ଗ୍ରୀନ୍‌ ପ୍ୟାସେଜ୍‌ ସ୍କିମ୍‌ ସମ୍ବନ୍ଧରେ ଶ୍ରୀ ପଣ୍ଡା ଆଲୋକପାତ
କରିଥିଲେ ।

ବିତ୍ତ ପରାମର୍ଶଦାତା ତଥା ଅତିରିକ୍ତ ଶାସନ ସଚିବ ମାନଭଞ୍ଜନ ଆଚାର୍ଯ୍ୟ ବୈଷୟିକ ଅଧିବେଶନରେ ଯୋଗଦେଇ ‘ମିଶନ ବାତ୍ସଲ୍ୟ’ ଅଧିନରେ ଗ୍ରାଣ୍ଟ-ଇନ୍‌-ଏଡ୍‌ ପାଉଥିବା ଶିଶୁ ଯତ୍ନ ଅନୁଷ୍ଠାନଗୁଡ଼ିକ ଆର୍ଥିକ ମାର୍ଗଦର୍ଶିକା ଅନୁଯାୟୀ ସହାୟତା ବିନିଯୋଗ କରିବା ଜରୁରୀ ବୋଲି ମତ ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳକ (ପ୍ରଶିକ୍ଷଣ) ତୃପ୍ତି ଦାସ ଧନ୍ୟବାଦ ଦେଇଥିଲେ ।

Comments are closed.