ସି-୨୦ ରାଜ୍ୟସ୍ତରୀୟ କର୍ମଶାଳାରେ ନିଜ ନିଜ ମତ ରଖିଲେ ସିଭିଲି ସୋସାଇଟି ପ୍ରତିନିଧି

ଲିଙ୍ଗଗତ ସମାନତା ଓ ଭିନ୍ନକ୍ଷମଙ୍କ ସମ୍ପର୍କୀୟ କର୍ମଶାଳା

ଭୁବନେଶ୍ୱର : ଲିଙ୍ଗଗତ ଅସମାନତା ଓ ଭିନ୍ନକ୍ଷମ ସଂକ୍ରାନ୍ତୀୟ ରାଜ୍ୟ ସ୍ତରୀୟ କର୍ମଶାଳାରେ ସମସ୍ୟାର ସମାଧାନ ପାଇଁ ସିଭିଲ ସୋସାଇଟିର ପ୍ରତିନିଧିମାନେ ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଛନ୍ତି। ଲିଙ୍ଗଗତ ସମାନତା ଏବଂ ଭିନ୍ନକ୍ଷମମାନଙ୍କ ପ୍ରସଙ୍ଗକୁ ଜି-୨୦ ସ୍ୱୀକୃତିପ୍ରାପ୍ତ ସିଭିଲି-୨୦ (ସି-୨୦) କର୍ମଶାଳାରେ ଜାତୀୟ ଓ ଆର୍ନ୍ତଜାତୀୟ ସ୍ତରରେ ଉତ୍‍ଥାପନ ପାଇଁ ରାଜ୍ୟର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପିପୁଲସ କଲଚରାଲ ସେଣ୍ଟର (ପିକକ) ସହୟତାରେ ଝାଡଖଣ୍ଡର ବାଲ୍‍ କଲ୍ୟାଣ ସଂଘ ପକ୍ଷରୁ ଦି ଏସିଆ ଫାଉଣ୍ଡେସନ ସହାୟତାରେ ସିଭିଲି ସୋସାଇଟି ସଦସ୍ୟ ମାନଙ୍କୁ ନେଇ ଏଠାରେ ଏକ ଦିନିକିଆ ରାଜ୍ୟସ୍ତରୀୟ କର୍ମଶାଳା ଆୟୋଜିତ ହୋଇଯାଇଛି।

ଅଧିବେଶନର ପ୍ରାରମ୍ଭରେ ପିକକର ସମ୍ପାଦକ ରଞ୍ଜନ କୁମାର ମହାନ୍ତି ସ୍ୱାଗତ ଭାଷଣ ଦେବା ସହିତ ଲିଙ୍ଗଗତ ଅସମାନତା ଭିନ୍ନକ୍ଷମମାନଙ୍କ ପାଇଁ ଆଉ ଏକ ଆହ୍ୱାନ ବୋଲି କହିଥିଲେ। ବାଲ୍‍ କଲ୍ୟାଣ ସଂଘର ସମ୍ପାଦକ ସଞ୍ଜୟ କୁମାର ମିଶ୍ର କହିଥିଲେ ଯେ ଆଗାମୀ ୨୬ ତାରିଖରେ ରାଞ୍ଚି ଠାରେ ପୂର୍ବାଞ୍ଚଳ ରାଜ୍ୟମାନଙ୍କର ଏକ କର୍ମଶାଳାରେ ଏହା ଉପରେ ପୂର୍ଣ୍ଣାଙ୍ଗ ଆଲୋଚନା ହେବା ସହିତ ବିଭିନ୍ନ ରାଜ୍ୟରୁ ମିଳିଥିବା ମତାମତର ସାରାଂଶକୁ ଏକତ୍ର କରି ଭାରତ ଅଧ୍ୟକ୍ଷତା କରୁଥିବା ଜି-୨୦ ସମ୍ମିଳନୀକୁ ପ୍ରଦାନ କରାଯିବ। ଏହି ଅବସରରେ ଦି ଏସିଆ ଫାଉଣ୍ଡେସନର ଭାରତୀୟ ମୁଖ୍ୟ ନନ୍ଦିତା ବରୁହା ଲିଙ୍ଗଗତ ଭେଦଭାବ ଦୂର ପାଇଁ ଗ୍ରହଣ କରାଯାଉଥିବା ପଦକ୍ଷେପ ଉପରେ ନିଜର ସୁଚିନ୍ତିତ ମତାମତ ରଖିଥିଲେ।

ଚେତନାର ଡକ୍ଟର ନାରାୟଣ ପତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କର୍ମଶାଳାରେ ଅନ୍ୟମାନଙ୍କ ମଧ୍ୟରେ ନାଓର ବିଶାଖା ଭଞ୍ଜ ଲିଙ୍ଗଗତ ଅସମାନତା ଦୂର ପାଇଁ ସାର୍ବଜନୀନ ଶିକ୍ଷା ଉପରେ ଗୁରୁତ୍ୱ ଦେଇଥିଲେ। ଓଡିଶା ସରକାରଙ୍କ ଭିନ୍ନକ୍ଷମ କମିଶନର ପୂର୍ବତନ ଅଧ୍ୟକ୍ଷା କସ୍ତୁରୀ ମହାପାତ୍ର କହିଥିଲେ ଯେ ସମ୍ବିଧାନ ସମସ୍ତଙ୍କୁ ସମାନ ଅଧିକାର ଦେଇଛି। ଭିନ୍ନକ୍ଷମମାନଙ୍କ ପାଇଁ ଅନେକ ଯୋଜନା ହୋଇଥିବାବେଳେ ଏହା ଉପରେ ଅଧିକ କାର୍ଯ୍ୟ ଆବଶ୍ୟକ। ଭିନ୍ନକ୍ଷମମାନଙ୍କ ଯାତାୟତ ପାଇଁ ଉପଯୋଗୀ ବ୍ୟବସ୍ଥା କରିବାକୁ ଶ୍ରୀମତୀ ମହାପାତ୍ର ପ୍ରସ୍ତାବ ଦେଇଥିଲେ।

ମାର୍ଗଦର୍ଶୀର ସମ୍ପାଦକ ଡକ୍ଟର ସତ୍ୟ ମହାପାତ୍ର ଭିନ୍ନକ୍ଷମମାନଙ୍କ ସମସ୍ୟାର ସମାଧାନ ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ ଉପରେ ମତ ରଖିଥିବାବେଳେ ରାଜ୍ୟ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପୁର୍ବବାସ ଅଧିକାରୀ ଡକ୍ଟର ସୁବ୍ରତ କୁମାର ଦାସ କହିଥିଲେ ଯେ ଭିନ୍ନକ୍ଷମମାନଙ୍କ ପାଇଁ ହେଉଥିବା ଯୋଜନାକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ସିଭିଲି ସୋସାଇଟିର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଭିନ୍ନକ୍ଷମମାନଙ୍କ ପାଇଁ ଓଡିଶା ସରକାର ଗ୍ରହଣ କରିଥିବା ପଦକ୍ଷେପ ଜାତୀୟ ସ୍ତରରେ ବେଶ୍‍ ପ୍ରଶଂସିତ ହୋଇଥିବା ସେ କହିଛନ୍ତି।

ଧନ୍ୟବାଦ ପ୍ରସ୍ତାବ ଦେଇ ପିକକର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି କହିଥିଲେ ଯେ ସମାଜର ଲିଙ୍ଗଗତ ଅସମାନତା ଦୂର ସହିତ ଭିନ୍ନକ୍ଷମମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ ପାଇଁ ପିକକ୍‍ ଦୀର୍ଘଦିନରୁ କାର୍ଯ୍ୟ କରି ଆସୁଛି। ଓଏଲ୍‍ଏସ୍‍ର ପ୍ରକାଶ ରଥଙ୍କ ସଂଚାଳନାରେ ଏକ ଅଧିବେଶନରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଅନୁଷ୍ଠାନର ପ୍ରତିନିଧିମାନେ ଲିଙ୍ଗଗତ ଅସମାନତା ଦୂର ସହିତ ଭିନ୍ନକ୍ଷମମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ପାଇଁ କରିଥିବା ଉଦ୍ୟମ ଓ କାର୍ଯ୍ୟକ୍ରମର ଉଦାହରଣ ଦେଇଥିଲେ।

କର୍ମଶାଳାରେ ସ୍ୱାଭିମାନର ତନ୍ମୟୀ ସାହୁ, ଓଭାର ସଭାପତି ସୁରେଶ ସାହୁ, ସେବାର କିରଣବାଳା ସାହୁ, ପ୍ରାଚୀ ଗ୍ରୁପ୍‍ର ଅଜୟ ଦାସ, ବିଜିଭିଏସ୍‍ର ଉଷାରାଣୀ ବେହେରାଙ୍କ ସମେତ ଓଡିଶା ଦୃଷ୍ଟିହୀନ ସଂଘ ଓ ବହୁ ସ୍ୱେଚ୍ଛାସେବୀ ଅନୁଷ୍ଠାନର ପ୍ରତିନିଧିମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପିକକର ରତ୍ନା ଦାସ, କଳ୍ପନା ଦାସ, ଜ୍ୟୋତି ଶଙ୍କର ମହାନ୍ତି, ପ୍ରିୟଦର୍ଶନ ସ୍ୱାଇଁ, ଡକ୍ଟର ସୁମିତ୍ରା ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ।

Comments are closed.