ଭୁବନେଶ୍ଵର: ପଶ୍ଚିମଓଡ଼ିଶାର ପ୍ରସିଦ୍ଧ ପୀଠ ମା’ ସମଲେଶ୍ଵରୀଙ୍କ ମନ୍ଦିର ବିକାଶ ପାଇଁ ରାଜ୍ୟ ସରକାର ୨୦୦ କୋଟି ଟଙ୍କାର ‘ସମଲେଇ ଯୋଜନା’ ପ୍ରସ୍ତୁତ କରିଛନ୍ତି। ଏ ନେଇ ପୂର୍ତ୍ତ ବିଭାଗ ପକ୍ଷରୁ ପ୍ରସ୍ତୁତ ଚିଠା ପ୍ରସ୍ତାବକୁ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଉପସ୍ଥାପନ କରାଯାଇଛି।
ଷୋଡଶ ଶତାଦ୍ଦୀରେ ନିର୍ମିତ ମା’ ସମଲେଶ୍ବରୀଙ୍କ ପୀଠର ବିକାଶ ପାଇଁ ରାଜ୍ୟ ସରକାର ସମଲେଶ୍ଵରୀ ଟେମ୍ପଲ ଏରିଆ ମ୍ୟାନେଜମେଣ୍ଟ ଆଣ୍ଡ ଲୋକାଲ ଇକୋନୋମି ଇନିସିଏଟିଭ୍ସ (ସମଲେଇ) ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ୨୦୨୧-୨୨ ଆର୍ଥିକ ବର୍ଷରେ ୨୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇ ସମଲେଶ୍ବରୀଙ୍କ ପୀଠ ତଥା ଆଖପାଖର ୧୦୮ ଏକର ଜମିରେ ବିକାଶ କାର୍ଯ୍ୟ କରାଯିବ। ଏହି ଯୋଜନାରେ ମା’ଙ୍କ ମନ୍ଦିରର ସୌନ୍ଦର୍ଯ୍ୟକରଣ, ସ୍ଥାନୀୟ ଲୋକଙ୍କ ଆର୍ଥିକ ବିକାଶ ତଥା ପର୍ଯ୍ୟଟକ ଓ ଶ୍ରଦ୍ଧାଳୁମାନଙ୍କ ପାଇଁ ଏକ ଅନନ୍ୟ ଅନୁଭୂତି ହେବା ଉଦ୍ଦେଶ୍ୟରେ ଏହି ପ୍ରକଳ୍ପ କାର୍ଯ୍ୟ କରିବ।
ମା’ଙ୍କ ମନ୍ଦିରର ସୁରକ୍ଷା ଓ ବିକାଶ: ମା’ଙ୍କ ମନ୍ଦିର ଅଞ୍ଚଳ ୧୨ ଏକର ଜମି ଉପରେ ପ୍ରତିଷ୍ଠିତ। ତେଣୁ ଏଠାରୁ ଆସୁଥିବା ଭକ୍ତମାନେ ଯେଭଳି ସୁବିଧାରେ ମା’ଙ୍କ ଦର୍ଶନ କରିପାରିବେ, ସେଥିପାଇଁ ଧାଡି ପରିଚାଳନା ବ୍ୟବସ୍ଥା, ବିଭିନ୍ନ ଧାର୍ମିକ ଉତ୍ସବ ଅନୁଷ୍ଠାନ ପାଇଁ ସ୍ଥାନ ସହିତ ଭୋଗମଣ୍ଡପ ଓ ପୂଜୀରୀଙ୍କ ବିଶ୍ରାମଗୃହ ନିର୍ମାଣ କରାଯିବ।
ମନ୍ଦିରର ଚାରି ଦିଗରେ ୪ଟି ସୁଦୃଶ୍ୟ ଐତିହ୍ୟ ଦ୍ବାର ନିର୍ମାଣ କରାଯିବ। ଭକ୍ତମାନେ ପୂର୍ବ ଦ୍ବାର ଦେଇ ମନ୍ଦିରକୁ ପ୍ରବେଶ କରିବେ ଏବଂ ଅନ୍ୟ ୩ଟି ଦ୍ବାର ଦେଇ ବାହାରକୁ ବାହାରିବେ। ମନ୍ଦିରର ମୁଖ୍ୟ ପ୍ରବେଶ ଦ୍ବାର ପାଖରେ ମନ୍ଦିର କାର୍ଯ୍ୟାଳୟ, ଇଣ୍ଟରପ୍ରିଟେଶନ ସେଣ୍ଟର ଏବଂ ଜନସାଧାରଣଙ୍କ ପାଇଁ ଜରୁରୀ ସୁବିଧାର ବିକାଶ କରାଯିବ। ମନ୍ଦିର ନିକଟରେ ଅବସ୍ଥିତ ଗୋପାଳଜୀ ମଠର ସଂରକ୍ଷଣ କରାଯିବ ଏବଂ ଏହାର ବିକାଶକୁ ମୂଳ ଯୋଜନା ସହ ସମନ୍ବିତ କରାଯିବ ।
ଐତିହ୍ୟ କରିଡର: ମନ୍ଦିର ଚାରିପଟେ ଭକ୍ତମାନେ ଯେପରି ସୁବିଧାରେ ପରିକ୍ରମା କରିପାରିବେ, ସେଥିପାଇଁ ୧ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଏକ ପାଦଚଲା ରାସ୍ତା ନିର୍ମାଣ କରାଯିବ। ସମ୍ବଲପୁରର ଜଳବାୟୁକୁ ଦୃଷ୍ଟିରେ ରଖି ପରିକ୍ରମା ପଥରେ ଛାୟାପ୍ରଦ ବୃକ୍ଷ ଆଦି ରୋପଣ କରାଯିବ।
ଯାତ୍ରୀ ସୁବିଧା: ଯାତ୍ରୀମାନଙ୍କ ପାଇଁ ସେଠାରେ ପର୍ଯ୍ୟାପ୍ତ ସୁବିଧାର ବିକାଶ କରାଯିବ ଏବଂ ତା’ସହିତ ପାର୍କିଂ ଜାଗା, ସ୍ବତନ୍ତ୍ର ଭେଣ୍ଡିଂ ଜୋନ୍, ଶୌଚାଳୟ, ସୂଚନା କେନ୍ଦ୍ର, ଦାନ କେନ୍ଦ୍ର ଇତ୍ୟାଦି ବ୍ୟବସ୍ଥା ରଖାଯିବ। ମନ୍ଦିର ପାଖରେ ଯାତ୍ରୀନିବାସର ମଧ୍ୟ ସୁବିଧା ଉପଲବ୍ଧ ହେବ।
ସେବାୟତ ପରିବାର ପାଇଁ ବାସଗୃହ: ମନ୍ଦିର ନିକଟରେ ରହୁଥିବା ସେବାୟତମାନଙ୍କ ପାଇଁ ସୁରକ୍ଷିତ ବାସଗୃହ ପ୍ରକଳ୍ପ ହାତକୁ ନିଆଯିବ ଏବଂ ଏଥିରେ ସମସ୍ତ ପ୍ରକାର ମୌଳିକ ସୁବିଧାର ବିକାଶ କରାଯିବ।
ମନ୍ଦିର ଓ ମହାନଦୀ ସଂଯୋଗ ରାସ୍ତା: ମା’ଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତମାନେ ଯେପରି ମନ୍ଦିରରୁ ମହାନଦୀ ଘାଟକୁ ସୁବିଧାରେ ଯାଇପାରିବେ ସେଥିପାଇଁ ୩୦ ମିଟର ଚଉଡା ବିଶିଷ୍ଟ ପାଦଚଲା ରାସ୍ତାର ମଧ୍ୟ ବିକାଶ କରାଯିବ।
ମହାନଦୀ ଆଳତୀ: ଉପରୋକ୍ତ ପାଦଚଲା ରାସ୍ତାର ମଧ୍ୟ ଭାଗରେ ଏକ ୩୦ ମିଟର ବିଶିଷ୍ଟ ଡେକ୍ ନିର୍ମାଣ କରାଯିବ, ଯେଉଁଠାରୁ କି ଉଭୟ ମହାନଦୀ ଓ ମା’ଙ୍କ ମନ୍ଦିର ସ୍ପଷ୍ଟ ଭାବରେ ଦେଖାଯିବ। ସେଠାରେ ପ୍ରତିଦିନ ମହାନଦୀ ଆଳତୀ ଭକ୍ତମାନଙ୍କୁ ଏକ ଅନନ୍ୟ ଆଧ୍ୟାତ୍ମିକ ଅନୁଭୂତି ଦେବ।
ରିଙ୍ଗ ରୋଡ ବିକାଶ: ବର୍ତ୍ତମାନର ରିଙ୍ଗ ରୋଡକୁ ଚଉଡା କରାଯିବ ଏବଂ ସେଥିରେ ସ୍ବତନ୍ତ୍ର ଭାବରେ ନଦୀ କୂଳେ କୂଳେ ଚଲାପଥ ଓ ଅବସର ସୁବିଧା ରହିବ।
ନଦୀ କୂଳର ବିକାଶ: ନଦୀ କୂଳର ଯୋଜନାବଦ୍ଧ ଭାବରେ ବିକାଶ କରାଯିବ ଏବଂ ଲୋକମାନେ ଯେପରି ସୁବିଧାରେ ସେମାନଙ୍କର ପରମ୍ପରା ଓ ରୀତିନୀତି ପାଳନ କରିପାରିବେ, ସେଥିପାଇଁ ପ୍ଲାଟଫର୍ମର ବ୍ୟବସ୍ଥା କରାଯିବ। ତାସହିତ ପର୍ଯ୍ୟଟକମାନଙ୍କୁ ମହାନଦୀର ଦୃଶ୍ୟ ଅବଲୋକନ ପାଇଁ ପାଭିଲିଅନ, ପ୍ଲାଜା ଓ ଡେକ୍ ଆଦି ନିର୍ମାଣ କରାଯିବ। ପୁରୁଣା ଦିନ ଭଳି ମହାନଦୀରୁ ମନ୍ଦିର ସ୍ପଷ୍ଟ ଦେଖାଯିବ।
ହ୍ରଦ କୂଳର ବିକାଶ: ଏହି ପ୍ରକଳ୍ପ ଅଧୀନରେ ୨୨ ଏକର ଜମିରେ ହ୍ରଦ କୂଳର ବିକାଶ କରାଯିବ। ଏଥିରେ ଆର୍ଦ୍ରଭୂମିର ବିକାଶ ସହିତ ୫ ଏମଏଲଡି ସ୍ଵେରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ନିର୍ମାଣ କରାଯିବ। ଆର୍ଦ୍ରଭୂମି ଅଞ୍ଚଳର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କରାଯିବ। ଏହାସହିତ ସେଠାରେ ପର୍ଯ୍ୟଟକମାନଙ୍କ ସୁବିଧା ପାଇଁ ଫୁଡ୍ ପାର୍କ, ସ୍ଥାପତ୍ୟ ପାର୍କ ତଥା ମୁକ୍ତାକାଶ ରଙ୍ଗମଞ୍ଚର ବ୍ୟବସ୍ଥା ରହିବ। ସମ୍ବଲପୁରର ପ୍ରସିଦ୍ଧ ହସ୍ତତନ୍ତ ଓ ହସ୍ତଶିଳ୍ପ ସହିତ ବିଭିନ୍ନ ସ୍ମାରକୀ ସାମଗ୍ରୀର ବିକ୍ରି ପାଇଁ ଭେଣ୍ଡିଂ ବ୍ୟବସ୍ଥା କରାଯିବ।
ରେଲୱେ ରାସ୍ତାର ପ୍ରଶସ୍ତୀକରଣ: ରେଳଷ୍ଟେସନରୁ ମନ୍ଦିରର ଉତ୍ତର ପାର୍ଶ୍ବକୁ ସଂଯୋଗ କରୁଥିବା ରାସ୍ତାକୁ ପ୍ରଶସ୍ତ କରାଯିବ, ଯାହାଫଳରେ ଟ୍ରାଫିକ ସମସ୍ୟା ଦୂର ହୋଇପାରିବ।
ଶ୍ମଶାନର ପୁନର୍ବିନ୍ୟାସ: ବର୍ତ୍ତମାନ ଥିବା ଶ୍ମଶାନକୁ ପୂର୍ବ ପଟକୁ ସ୍ଥାନାନ୍ତର କରାଯିବ ଏବଂ ଏଠାରେ ଆଧୁନିକ ସୁବିଧାର ବିକାଶ କରାଯିବ। ଏହି ଶ୍ମଶାନଟି ୯ ମିଟର ବିଶିଷ୍ଟ ପାଦଚଲା ରାସ୍ତା ଦ୍ୱାରା ମହାନଦୀ ସହ ସଂଯୁକ୍ତ ହେବା ଫଳରେ ଲୋକମାନେ ସୁବିଧାରେ ନଦୀଘାଟକୁ ଯାଇ ପରମ୍ପରା ଓ ରୀତିନୀତି ପାଳନ କରିପାରିବେ।
ସେହିପରି ସରକାରୀ ଜମିରେ ଥିବା କ୍ଲବ, ଧାର୍ମିକ ଅନୁଷ୍ଠାନ, ସରକାରୀ ଅଫିସ ଓ ପ୍ରତିଷ୍ଠାନ ପାଇଁ ସହାୟତା ପ୍ରଦାନ କରାଯିବ। ଏହି ଚିଠା ମାଷ୍ଟର ପ୍ଲାନ ସମ୍ପର୍କରେ ଜନସାଧାରଣ development.samalei@gmail.com ଜରିଆରେ ମାର୍ଚ୍ଚ ୧୫ ସୁଦ୍ଧା ସେମାନଙ୍କର ମୂଲ୍ୟବାନ ମତାମତ ଦେଇପାରିବେ। ବୈଠକରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନରଙ୍କ ସମେତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ ଓ ଶାସନ ସଚିବ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।



