ଦୃଷ୍ଟିବାଧିତ ବିଦ୍ୟାର୍ଥୀଙ୍କ ପାଇଁ ଅଧିକ ସୁବିଧା ଉପରେ ଗୁରୁତ୍ୱ, ବେଙ୍ଗାଲୁରୁର ‘ଭିଜନ୍‌ ଏମ୍ପାୱାର’ ସହ ହେବ ରାଜିନାମା

ଭୁବନେଶ୍ୱର: ଭିନ୍ନକ୍ଷମ ସଶକ୍ତିକରଣକୁ ଗୁରୁତ୍ୱ ଦେଇ ରାଜ୍ୟ ସରକାରଙ୍କ ପରିଚାଳିତ ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନଗୁଡ଼ିକରେ ଅଧ୍ୟୟନରତ ଦୃଷ୍ଟିବାଧିତ ବିଦ୍ୟାର୍ଥୀଙ୍କ ନିମନ୍ତେ ଅଧିକ ସୁବିଧା ବ୍ୟବସ୍ଥା କରିବା ପାଇଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତା’ ଉଦ୍ୟମକୁ ଜୋରଦାର କରିଛି। ଉବେଙ୍ଗାଲୁରୁସ୍ଥିତ ‘ଭିଜନ୍‌ ଏମ୍ପାୱାର’ ସହଯୋଗରେ ବିଭାଗ ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କ ନିମନ୍ତେ କାର୍ଯ୍ୟକ୍ରମ ବ୍ୟାପକ କରିବାକୁ ଯାଉଛି। ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କ ବିଜ୍ଞାନ ଓ ଗଣିତ ଶିକ୍ଷା ତଥା ଆକଳନ ଚିନ୍ତନର ବିକାଶ ପାଇଁ ନିୟମିତ ଭାବରେ
ଶିକ୍ଷକ ତାଲିମ, ବ୍ରେଲି ପୁସ୍ତକ ଉପଲବ୍ଧ, ଡିଜିଟାଲ ସ୍ବାକ୍ଷରତାରେ ଉନ୍ନତି ଓ ଦକ୍ଷତା ବୃଦ୍ଧି ନିମନ୍ତେ ପଦକ୍ଷେପ ନିଆଯିବ।
ଜଟଣୀସ୍ଥିତ ସମନ୍ୱିତ ଭିତ୍ତିଭୂମି କେନ୍ଦ୍ରରେ ଏକ ଅଭିଜ୍ଞତା କେନ୍ଦ୍ର ସ୍ଥାପନ କରାଯିବ। ରାଜ୍ୟ ସରକାର ଏଥି ପାଇଁ ଆବଶ୍ୟକୀୟ ସ୍ଥାନ ଓ ସୁବିଧା ଯୋଗାଇଦେବେ। ଦୃଷ୍ଟିବାଧିତ ଶିକ୍ଷକମାନଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ‘ପ୍ରଜ୍ଞା’ ଓ ଶିକ୍ଷଣ ପରିଚାଳନାକୁ ସୁବିଧାଜନକ ଓ ସୁଗମ କରିବା ନିମନ୍ତେ ‘ସୁବୋଧ’ ନାମରେ ଦୁଇଟି କାର୍ଯ୍ୟକ୍ରମ ଆରମ୍ଭ କରାଯିବ। ବ୍ରହ୍ମପୁରସ୍ଥିତ ରେଡ୍‌କ୍ରସ୍‌ ବ୍ରେଲି ପ୍ରେସ୍‌ରେ ବିଜ୍ଞାନ ଓ ଗଣିତ ପାଠ୍ୟପୁସ୍ତକର ଓଡ଼ିଆ ବ୍ରେଲି ସଂସ୍କରଣ ପ୍ରକାଶ ପାଇଁ ବିଭାଗ ସହଯୋଗ କରିବ। ଦୃଷ୍ଟିବାଧିତ ଶିକ୍ଷକମାନଙ୍କ ରିଫରେନ୍ସ ପୁସ୍ତକଗୁଡ଼ିକ ଓଡ଼ିଆରେ ପ୍ରସ୍ତୁତ ହେବ। ଅନୁରୂପ ଭାବରେ ଦୃଷ୍ଟିବାଧିତ ଶିକ୍ଷକ ଓ ବିଦ୍ୟାର୍ଥୀଙ୍କ ସୁବିଧା ଅନୁକୂଳ ଆପ୍‌ ପ୍ରଚଳନ ହେବ। ଏହି ଆପ୍‌ ଆଣ୍ଡ୍ରଏଡ୍‌ ଫୋନ୍‌, କମ୍ପ୍ୟୁଟର /ଲ୍ୟାପ୍‌ଟପ୍‌ ଇତ୍ୟାଦିରେ ଉପଲବ୍ଧ ହେବା ଫଳରେ ବିଦ୍ୟାର୍ଥୀମାନେ ଉପକୃତ ହେବେ।
‘ଭିଜନ ଏମ୍ପାୱାର’ ସହିତ ନିକଟ ଭବିଷ୍ୟତରେ ହେବାକୁ ଥିବା ରାଜିନାମା ସଂପାଦିତ ହେଲେ ତିନିବର୍ଷ ପାଇଁ ଉପରୋକ୍ତ ନିର୍ଘଣ୍ଟ ଅନୁସାରେ ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ କାର୍ଯ୍ୟ ହୋଇପାରିବ। ଆବଶ୍ୟକତାକୁ ଦୃଷ୍ଟିରେ ରଖି ପରେ ରାଜିନାମାର ଅବଧି ବୃଦ୍ଧ କରାଯିବ। ‘ଭିଜନ୍‌ ଏମ୍ପାୱାର’ ସଂସ୍ଥା ବିଶ୍ୱବିଖ୍ୟାତ ମାଇକ୍ରୋସଫଫ ରିସର୍ଚ୍ଚ ଓ ଆଇଆଇଟି, ବେଙ୍ଗାଲୁରୁର ସମର୍ଥନରେ କାର୍ଯ୍ୟ କରିବ। ଏହା ଫଳରେ ରାଜ୍ୟର ଶୈକ୍ଷିକ ପରିମଣ୍ଡଳରେ ଦୃଷ୍ଟିବାଧିତ ବିଦ୍ୟାର୍ଥୀଙ୍କ ଯୋଗଦାନ ଅଧିକ ପ୍ରଭାବୀ ହୋଇପାରିବ।

kalyan agarbati

Comments are closed.