କୋହଲି ଆଫଗାନିସ୍ତାନ ବିପକ୍ଷ ଟେଷ୍ଟମ୍ୟାଚ୍ ଖେଳନ୍ତୁ: ବିସିସିଆଇ
ନୂଆଦିଲ୍ଲୀ : ଆସନ୍ତା ଜୁନ୍ ୧୪ରେ ଭାରତ ବିପକ୍ଷରେ ଆଫଗାନିସ୍ତାନ ନିଜର ପ୍ରଥମ ଅନ୍ତର୍ଜାତୀୟ ଟେଷ୍ଟ ମ୍ୟାଚ୍ ଖେଳିବାକୁ ଯାଉଥିବାରୁ ଏହି ମ୍ୟାଚ୍ରେ ବିରାଟ କୋହଲି ଭାରତୀୟ ଦଳର ନେତୃତ୍ୱ ନିଅନ୍ତୁ ବୋଲି ବିସିସିଆଇ ଚାହୁଁଥିବା ଜଣାପଡ଼ିଛି। ସୂଚନାଥାଉକି କୋହଲି ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ ମ୍ୟାଚ୍ରେ ନ ଖେଳି ଇଂଲିଶ୍ କାଉଣ୍ଟିରେ ଖେଳିବାକୁ ଇଚ୍ଛାପ୍ରକାଶ କରିଥିଲେ।
ଆଗାମୀ ଦିନରେ ଭାରତୀୟ ଦଳ ଇଂଲଣ୍ଡ ଗସ୍ତରେ ଯାଇ ୫ଟି ଟେଷ୍ଟ, ୩ଟି ଦିନିକିଆ ଓ ୩ଟି ଟ୍ୱେଣ୍ଟି୨୦ ମ୍ୟାଚ୍ ଖେଳିବାକୁ ଥିବାରୁ ଇଂଲଣ୍ଡର ପିଚ୍ ଓ ପାଣିପାଗ ସଂପର୍କରେ ଜ୍ଞାନ ଅର୍ଜନ କରିବାକୁ କୋହଲି କାଉଣ୍ଟି ଖେଳିବାକୁ ଚାହୁଁଥିଲେ। ଅନ୍ୟପକ୍ଷରେ ଆଫଗାନିସ୍ତାନ ନିଜର ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳିବାକୁ ଯାଉଥିବାରୁ କୋହଲି ଏହି ମ୍ୟାଚ୍ରେ ଭାରତକୁ ପ୍ରତିନିଧିତ୍ୱ ନ କଲେ ସେ ପ୍ରତିପକ୍ଷ ଦଳକୁ ସମ୍ମାନ ଦେଉନଥିବା ଆଲୋଚନା ହେବାର ଆଶଙ୍କା ରହିଛି ଏବଂ ଏହା ଏକ ଖରାପ ପରମ୍ପରା ସୃଷ୍ଟି କରିବ ବୋଲି ବିସିସିଆଇ ଅନୁଭବ କରୁଛି। ଏକ ଖବରକାଗଜକୁ ସାକ୍ଷାତକାର ଦେଇ ବିସିସିଆଇର ଜନୈକ ଅଧିକାରୀ କହିଛନ୍ତି କୋହଲି ଆଫଗାନିସ୍ତାନ ବିରୋଧରେ ଟେଷ୍ଟ ମ୍ୟାଚ୍ ଖେଳିବା ଉଚିତ୍। ଏହି ଦଳ ନିଜର ପ୍ରଥମ ଟେଷ୍ଟ ମ୍ୟାଚ୍ ଭାରତ ବିରୋଧରେ ଖେଳିବାକୁ ଯାଉଥିବାରୁ ଏଥିରେ କୋହଲି ନ ଖେଳିଲେ ସେହି ଦଳର ଖେଳାଳିମାନେ ନିଜକୁ ହୁଏତ ଅପମାନିତ ମନେ କରିବେ। ସେହିପରି କୋହଲିଙ୍କ ଏପରି ପଦକ୍ଷେପ ପ୍ରସାରଣକାରୀଙ୍କୁ କ୍ଷତି ପହଞ୍ଚାଇ ପାରେ। ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ ମ୍ୟାଚ୍ ପୂର୍ବରୁ ଯଦି କୋହଲି କାଉଣ୍ଟିରେ ଖେଳୁଥାନ୍ତି ତେବେ ସେ ଭାରତ ଫେରି ଆସି ଟେଷ୍ଟ ମ୍ୟାଚ୍ ଖେଳି ପୁନର୍ବାର କାଉଣ୍ଟିରେ ଖେଳିବାକୁ ଚାଲି ଯାଇପାରିବେ ବୋଲି ଅଧିକାରୀ ଜଣକ ମତ ଦେଇଛନ୍ତି। ଏସବୁ ପରିସ୍ଥିତିକୁ ଦୃଷ୍ଟିରେ ରଖି କୋହଲି ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ ମ୍ୟାଚ୍ରେ ଖେଳିବେ କି ନାହିଁ ତାହା ଦେଖିବାକୁ ବାକି ରହିଲା।