ବାଜ୍ୟାପ୍ତି ହେବ ପଳାତକଙ୍କ ସମ୍ପତ୍ତି

0

ନୂଆଦିଲ୍ଲୀ : ବିଜୟ ମାଲ୍ୟ, ନୀରବ ମୋଦି ଏବଂ ମେହୁଲ ଚୋକସୀ ଭଳି ଫେରାର୍‍ ତଥା ପଳାତକ ଅର୍ଥନୈତିକ ଅପରାଧୀଙ୍କ ସମ୍ପତ୍ତି ବାଜ୍ୟାପ୍ତି କରିବା ଲାଗି କେନ୍ଦ୍ର ସରକାର ନୂତନ ଆଇନ ପ୍ରସ୍ତୁତ କରିଛନ୍ତି। ଏ ନେଇ ଉଦ୍ଦିଷ୍ଟ ‘ଫେରାର୍‍ ଅର୍ଥନୈତିକ ଅପରାଧ ଅଧ୍ୟାଦେଶ-୨୦୧୮’କୁ ଶନିବାର କେନ୍ଦ୍ର କ୍ୟାବିନେଟ୍‍ର ମଞ୍ଜୁରୀ ମିଳିଛି। କୋର୍ଟଙ୍କ ଦ୍ୱାରା ପଳାତକ ଘୋଷିତ ଅପରାଧୀଙ୍କ ନାମରେ ଦେଶରେ ଥିବା ସମ୍ପତ୍ତିକୁ ଏହି ଅଧ୍ୟାଦେଶ ବଳରେ କେନ୍ଦ୍ର ସରକାର ସହଜରେ ବାଜ୍ୟାପ୍ତି କରିପାରିବେ। ଏଭଳି ଅପରାଧୀଙ୍କର ବିଦେଶୀ ସମ୍ପତ୍ତି ବାଜ୍ୟାପ୍ତି ଲାଗି କେନ୍ଦ୍ର ସରକାର ଅନ୍ୟ ରାଷ୍ଟ୍ରଗୁଡିକ ସହିତ ବିଚାର ବିମର୍ଶ କରିବେ। ଗତ ବଜେଟ୍‍ ଅଧିବେଶନବେଳେ ମାର୍ଚ୍ଚ ୧୨ରେ ଲୋକସଭାରେ କେନ୍ଦ୍ର ସରକାର ଏ ସମ୍ବନ୍ଧୀୟ ବିଲ୍‍ ସଂସଦରେ ଆଗତ କରିବାକୁ ଚାହୁଁଥିଲେ; ମାତ୍ର ବିଭିନ୍ନ କାରଣରୁ ପାର୍ଲାମେଣ୍ଟ ବାରମ୍ବାର ମୁଲତବୀ ହେବା କାରଣରୁ ତାହା ସମ୍ଭବ ହୋଇ ନ ଥିଲା।

prayash

ଅଧ୍ୟାଦେଶରେ କ’ଣ ରହିଛି ?

-୧୦୦ କୋଟି କିମ୍ବା ତଦୁର୍ଦ୍ଧ୍ବ ଟଙ୍କା ଠକେଇ ମାମଲାରେ ଏହି ଅଧ୍ୟାଦେଶ ଲାଗୁ ହେବ।
-ନୂତନ ଅଧ୍ୟାଦେଶ ବଳରେ ଠକେଇର ଶିକାର ହେଇଥିବା ବ୍ୟାଙ୍କ ତଥା ଅନ୍ୟାନ୍ୟ ଅର୍ଥନୈତିକ ପ୍ରତିଷ୍ଠାନଗୁଡିକ ଠକେଇ ବାବଦ ଅର୍ଥ ଅଧିକ ପରିମାଣରେ ଆଦାୟ କରିପାରିବେ।
– ଜଣେ ବ୍ୟକ୍ତିଙ୍କୁ ପଳାତକ ଅର୍ଥନୈତିକ ଅପରାଧି ଘୋଷଣା କରିବା ଲାଗି ବେଆଇନ ଅର୍ଥ କାରବାର ନିରୋଧ ଆଇନ ଅଧୀନରେ ସ୍ୱତନ୍ତ୍ର କୋର୍ଟ ଗଠନ କରାଯିବ।
– ଯଦି କୌଣସି ବ୍ୟକ୍ତିଙ୍କ ବିରୋଧରେ ଅର୍ଥ ଠକେଇ ମାମଲାରେ ଗିରଫ ପରୱାନା ଜାରି କରାଯାଇଥାଏ ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନକୁ ଏଡାଇବା ଲାଗି ସେ ବିଦେଶ ପଳାୟନ କରିବା ସହିତ ଶୁଣାଣିର ସମ୍ମୁଖୀନ ହେବା ନିମନ୍ତେ ଦେଶକୁ ଫେରିବାକୁ ମନା କରନ୍ତି, ତା’ ହେଲେ ତାଙ୍କୁ ପଳାତକ ଅର୍ଥନୈତିକ ଅପରାଧୀ ଘୋଷଣା କରାଯିବ।
– ସମ୍ପତ୍ତି ବାଜ୍ୟାପ୍ତି ଲାଗି ଏହି ଅପରାଧୀଙ୍କ ନାମ ଘୋଷଣା ନିମନ୍ତେ ଅର୍ଥ ମନ୍ତ୍ରଣାଳୟର ପ୍ରମୁଖ ଶାଖା ‘ଅର୍ଥନୈତିକ ଇଣ୍ଟେଲିଜନ୍ସ ୟୁନିଟ (ଏଫ୍‍ଆଇୟୁ)’ ଆବେଦନ କରିବ।

Leave A Reply