ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗୁଳିମାଡ଼ ଘଟଣା : ଭାରତର ତୀବ୍ର ପ୍ରତିବାଦ, ଶ୍ରୀଲଙ୍କା ଉଚ୍ଚାୟୁକ୍ତଙ୍କୁ ସମନ
![](https://samajalive.in/wp-content/uploads/2025/01/image_1600x_6798fffd29345-750x430.webp)
ନୂଆଦିଲ୍ଲୀ : ଶ୍ରୀଲଙ୍କା ନୌସୈନିକଙ୍କ ଗୁଳିମାଡରେ ଭାରତର ୫ଜଣ ମତ୍ସ୍ୟଜୀବୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତ ମତ୍ସ୍ୟଜୀବୀମାନେ ଏବେ ଶ୍ରୀଲଙ୍କାର ଜାଫନାସ୍ଥିତ ଏକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଭାରତୀୟ ମତ୍ସ୍ୟଜୀବୀଙ୍କ ଉପରକୁ ଶ୍ରୀଲଙ୍କା ନୌସେନାର ଏହି ଗୁଳିମାଡ ଘଟଣାକୁ ନେଇ ଭାରତ ତୀବ୍ର ପ୍ରତିବାଦ ଜଣାଇଛି। ଏହି ଘଟଣାରେ ବୈଦେଶିକ ମନ୍ତ୍ରଣାଳୟ ନୂଆଦିଲ୍ଲୀରେ ଅବସ୍ଥାପିତ ଶ୍ରୀଲଙ୍କାର କାର୍ଯ୍ୟକାରୀ ଉଚ୍ଚାୟୁକ୍ତଙ୍କୁ ସମନ ଜାରି କରିବା ପୂର୍ବକ ବିଧିବଦ୍ଧ ଭାବେ ନିଜର ପ୍ରତିବାଦ ଜଣାଇଛନ୍ତି। ଭାରତ କହିଛି ଯେ ଶ୍ରୀଲଙ୍କା ନୌସେନାର ଏପରି କାର୍ଯ୍ୟ ଗ୍ରହଣୀୟ ନୁହେଁ। ରିପୋର୍ଟ ଅନୁଯାୟୀ ଶ୍ରୀଲଙ୍କା ନୌସେନା ମଙ୍ଗଳବାର ସକାଳେ ଭାରତୀୟ ମତ୍ସ୍ୟଜୀବୀଙ୍କ ଟ୍ରଲରକୁ ଅନୁଧାବନ କରିବା ପୂର୍ବକ ଗୁଳିମାଡ କରିଥିଲା। ଗୁଳିମାଡ ସମୟରେ ଟ୍ରଲରରେ ୧୩ଜଣ ମତ୍ସ୍ୟଜୀବୀ ଥିଲେ। ସେଥିରୁ ୫ଜଣ ଆହତ ହୋଇଛନ୍ତି। ଶ୍ରୀଲଙ୍କା ଅଭିଯୋଗ କରିଛି ଯେ ଏହାର ଜଳସୀମା ଅନ୍ତର୍ଗତ ଡେଲ୍ଫ୍ଟ ଦ୍ବୀପ ନିକଟରୁ ଭାରତୀୟ ଧୀବରମାନେ ମାଛ ଧରୁଥିଲେ। ଜଳସୀମା ଲଙ୍ଘନ କରି ମାଛ ଧରିବା ଅଭିଯୋଗ କରି ଶ୍ରୀଲଙ୍କା ନୌସେନା ଭାରତୀୟ ମତ୍ସ୍ୟଜୀବୀଙ୍କୁ ଧରିବା ଲାଗି ଅନୁଧାବନ କରିଥିଲା। ଭାରତୀୟ ମତ୍ସ୍ୟଜୀବୀମାନେ ଖସି ପଳାଇବାକୁ ଚେଷ୍ଟା କରିବା ବେଳେ ଶ୍ରୀଲଙ୍କା ନୌସେନା ପକ୍ଷରୁ ଗୁଳିମାଡ ହୋଇଥିଲା। ଏଥିରେ ୫ଜଣ ଆହତ ହୋଇଥିଲେ। ଆହତ ଭାରତୀୟ ମତ୍ସ୍ୟଜୀବୀମାନେ ଏବେ ଜାଫନାର ଟିଚିଙ୍ଗ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏହି ଘଟଣା ପରେ ଜାଫନାସ୍ଥିତ ଭାରତୀୟ ବାଣିଜ୍ୟିକ ଦୂତାବାସର ଅଧିକାରୀ ମତ୍ସ୍ୟଜୀବୀକ୍ୁ ଡାକ୍ତରଖାନାରେ ଭେଟି ଆବଶ୍ୟକ ସହାୟତା ଯୋଗାଇ ଦେଇଛନ୍ତି। କଲମ୍ବୋସ୍ଥିତ ଭାରତୀୟ ଉଚ୍ଚାୟୁକ୍ତ ମଧ୍ୟ ଏହି ଘଟଣା ସମ୍ପର୍କରେ ଶ୍ରୀଲଙ୍କା ବୈଦେଶିକ ମନ୍ତ୍ରଣାଳୟକୁ ଅବଗତ କରାଇଛି। ଭାରତର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ମତ୍ସ୍ୟଜୀବୀ ଜୀବିକା ନିର୍ବାହ ଉଦ୍ଦେଶ୍ୟରେ ମାଛ ଧରୁଥିବା ସମୟରେ ଭୁଲ୍ବଶତଃ ଆନ୍ତର୍ଜାତିକ ଜଳସୀମା ଅତିକ୍ରମ କରିଥାନ୍ତି। ତେଣୁ ଏପରି ଘଟଣାରେ ସେମାନଙ୍କ ତ୍ରୁଟିକୁ ମାନବିକ ଦୃଷ୍ଟିକୋଣରୁ ବିଚାର କରାଯିବା ଦରକାର। ସେମାନଙ୍କ ବିରୋଧରେ ସାମରିକ ଶକ୍ତି ପ୍ରୟୋଗ କରାଯିବା ଗ୍ରହଣୀୟ ନୁହେଁ। ଏ ନେଇ ଦୁଇଦେଶ ମଧ୍ୟରେ ବୁଝାମଣା ମଧ୍ୟ ହୋଇଛି। ଏହି ବୁଝାମଣାକୁ ଦୁଇଦେଶ କଡାକଡି ଭାବେ ଅନୁସରଣ କରିବା ଦରକାର। ଭାରତର ଏପରି ପ୍ରତିବାଦ ପରେ ଶ୍ରୀଲଙ୍କା ନୌସେନା କହିଛି ଯେ ଏହି ଗୁଳିମାଡ ଏକ ଆକସ୍ମିକ ଗୁଳିକାଣ୍ଡ। ଭାରତୀୟ ମତ୍ସ୍ୟଜୀବୀଙ୍କୁ ଅନୁସରଣ କରାଯିବା ସମୟରେ ସେମାନେ ଏକ ସଂଗଠିତ ଶକ୍ତି ଭାବେ ନୌସୈନିକଙ୍କ ଉପରକୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ମତ୍ସ୍ୟଜୀବୀମାନେ ନୌସୈନିକଙ୍କ ଠାରୁ ମାରଣାସ୍ତ୍ର ଛଡାଇ ନେବାକୁ ଉଦ୍ୟମ କରିଥିଲେ। ଯାହା ତାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଥିଲା। ନୌସୈନିକଙ୍କ ଠାରୁ ମାରଣାସ୍ତ୍ର ଛଡାଇ ନେବାକୁ ଉଦ୍ୟମ ବେଳେ ଆକସ୍ମିକ ଗୁଳିକାଣ୍ଡ ଘଟିଥିଲା ଓ ଏଥିରେ ଦୁଇଜଣ ମତ୍ସ୍ୟଜୀବୀ ଆହତ ହୋଇଥିଲେ। ଆନ୍ତର୍ଜାତିକ ଜଳସୀମାକୁ ଅତିକ୍ରମ କରିବା ଅଭିଯୋଗରେ ଶ୍ରୀଲଙ୍କା ନିୟମିତ ଭାବେ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରୁଛି। ଭାରତ ମଧ୍ୟ ଅନୁରୂପ ଭାବେ ଶ୍ରୀଲଙ୍କା ମତ୍ସ୍ୟଜୀବୀଙ୍କୁ ଗିରଫ କରୁଛି। ଗତ ୨୫ ଓ ୨୬ ତାରିଖ ଦୁଇ ଦିନରେ ଶ୍ରୀଲଙ୍କା ନୌସେନା ୩୫ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରିଥିଲା। ସେହିପରି ଜାନୁଆରୀ ୧୧ରେ ୮ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରିଥିଲା।
![kalyan agarbati](https://samajalive.in/wp-content/uploads/2025/01/kalyani-adv.jpg)
Comments are closed.